ବୋରିଗୁମ୍ମା ବ୍ଲକ ଚାଷୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ; ମଣ୍ଡି ସରିଗଲା ଟାର୍ଗେଟ୍ ଆସିଲାନି, ପୁନଃ କାର୍ଯ୍ୟକ୍ଷମ ହେଲାନି ୬୯୦ ଟୋକନ୍

ଜୟପୁର: ଆଜି ଏହି ବର୍ଷର ଖରିଫ ମଣ୍ଡି ସରିଛି। ସବୁ ବର୍ଷ ମଣ୍ଡି ଆରମ୍ଭରୁ ବିବାଦ ଦେଖାଦେବା ସହ ପରବର୍ତ୍ତୀ ସମୟରେ ଶାନ୍ତି ଶୃଙ୍ଖଳାରେ ଧାନ ଉଠିଥାଏ। ତେବେ ଏହି ବର୍ଷ ଆରମ୍ଭରୁ ଶାନ୍ତିଶୃଙ୍ଖଳାରେ ଧାନ ଉଠୁଥିବା ବେଳେ ଅଚାନକ ଭାବେ ଟାର୍ଗେଟ ଆସିବା ବନ୍ଦ ହୋଇଥିଲା। ଏବଂ ଶେଷ ଆଡ଼କୁ ଗୋଳିଆ ହୋଇଥିଲା। ଟୋକନ୍ ଆଉ ନ ଆସିବାରୁ ଜିଲ୍ଲାର ୨୮୩୨ଚାଷୀ ଧାନ ମଣ୍ଡିରେ ବିକ୍ରୀ କରି ନପାରି ଅଭାବି ବିକ୍ରୀର ଶୀକାର ହୋଇଛନ୍ତି। ଆଜି ବୋରିଗୁମ୍ମା ବ୍ଲକର ସେମଳାଗୁଡା ଅଂଚଳର ଚାଷୀ ମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ସମ୍ମୁଖରେ ବସି ଧାରଣା ବି ଦେଇଥିଲେ। ଏଥିରେ ମାଗତା ମାଳି, ଉମେଶ ଚନ୍ଦ୍ର ମାଳି, ଗୁପ୍ତ ମାଳି, ସିଦ୍ଧେଶ୍ବର ମାଳି, ରତ୍ନାକର ବିଷୋୟୀ, କପିଳ ମାଝୀ, ରମେଶ ବାଗ, ମଦନ ହରିଜନ, ବାବୁଲା ମହୁରିଆ, ବିପଦଭଂଜନ ଦାଶ ପ୍ରମୁଖ ଭାଗ ନେଇଥିଲେ। ଗତ ଡିସେମ୍ବର ଠାରୁ ମଣ୍ଡି ଗୁଡ଼ିକରେ ଧାନ କିଣିବା ଟାର୍ଗେଟ କମି କମି ଆସିଥିଲା। ଚାଷୀଙ୍କ ନିକଟରେ ଟୋ‌କନ ରହିଥିଲେ ହେଁ କ୍ରମାନୁସାରେ କିଣାଯାଉନଥିଲା। ଏହା ପରେ ପ୍ରଶାସନ ପକ୍ଷରୁ ଜିଲ୍ଲାରେ କେତେ ପରିମାଣର ଧାନ ଚାଷୀଙ୍କ ନିକଟରେ ଜମା ରହିଛି ତାହାର ଆକଳନ କରିବାକୁ ଯୋଜନା କରିଥିଲେ।

ଜାନୁଆରି ୧୫ତାରିଖ ସୁଦ୍ଦା ସବୁ ମଣ୍ଡିରେ ଧାନ ଜମା ରଖିବାକୁ ଜିଲ୍ଲାପ୍ରଶାସନ ନିର୍ଦେଶ ଦେଇଥିଲେ। ଜିଲ୍ଲାପ୍ରଶାସନର ସ୍ବତନ୍ତ୍ର ଦଳ ୯୯ଟି ମଣ୍ଡିରେ ୧୦ହଜାର ୫୧୨ଜଣ ଚାଷୀଙ୍କର ୭ଲକ୍ଷ ୪୦ହଜାର ୪୬୨କୁଇଣ୍ଟାଲ ଧାନ ଗଚ୍ଛିତ ରହିଥିବା ଚିହ୍ନଟ କରିଥିଲେ। ପରେ ୨ଟି ପର୍ୟ୍ୟାୟରେ ୬ଲକ୍ଷ ୮୩ କ୍ବୁଣ୍ଟାଲ ଧାନ କିଣିବା ପାଇଁ ସରକାର ଟାର୍ଗେଟ ଦେଇଥିଲେ। ତେବେ ବଳକା ଧାନ କିଣିବା ପାଇଁ ସରକାର ଶେଷ ପର୍ଯ୍ୟନ୍ତ ଆଉ ଟାର୍ଗେଟ ଦେଇନଥିଲେ। ଜାନୁଆରୀ ୧୫ମଧ୍ୟରେ ୬୯୦ଜଣ ଚାଷୀଙ୍କ ଟୋକନ୍ ପାଇଥିଲେ ହେଁ ପରବର୍ତ୍ତୀ ସମୟରେ ବାତିଲ୍ ହୋଇଥିଲା। ଏହି ୬୯୦ ଟୋକନକୁ ପୁନଃ କାର୍ୟ୍ୟକ୍ଷମ ପାଇଁ ଜିଲ୍ଲାଯୋଗାଣ ବିଭାଗ ଓ ଜିଲ୍ଲାପ୍ରଶାସନ ପକ୍ଷରୁ ସବୁ ଚାଷୀଙ୍କର ସଂପୂର୍ଣ୍ଣ ବିବରଣୀ ସହ ରାଜ୍ୟ ଖାଦ୍ୟ ଯୋଗାଣ ଓଖାଉଟି କଲ୍ୟାଣ ସଚିବଙ୍କୁ ଅବଗତ କରିଥିଲେ।

ତେବେ ମଣ୍ଡି ବନ୍ଦ ହୋଇଥିଲେ ସୁଦ୍ଧା ତାହା ପୁନଃ କାର୍ଯ୍ୟକ୍ଷମ ହୋଇ ନଥିବା ନଥିବା କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ତୁଳାରାମ ନାୟକ। ଜିଲ୍ଲାର ୧୪ଟି ବ୍ଲକରୁ ୩୩ହଜାର ୮୦୬ଜଣ ପଂଜିକରଣ କରାଇଥିଲେ। ଏମାନଙ୍କ ମଧ୍ୟରେ ୧୧ଜଣ ପ୍ରାରମ୍ଭିକ ଯାଂଚରେ କଟିବା ସହ ୩୩ହଜାର ୭୯୫ଜଣ ଚାଷୀଙ୍କର ପଂଜିକରଣ କାଏମ ରହିଥିଲା। ଆଜି ମଣ୍ଡିର ସାଇଟ୍ ବନ୍ଦ ହୋଇଥିବା ବେଳେ ୩୦ହଜାର ୯୬୩ଜଣ ଚାଷୀଙ୍କ ଠାରୁ ୨୮ଲକ୍ଷ ୭ ହଜାର୫୪୦ କୁଇଣ୍ଟାଲ ଧାନ କିଣା ଯାଇଛି। ଅନ୍ୟ ପକ୍ଷରେ ବାତିଲ୍ ୬୯୦ଟୋକନ୍ ପୁନଃ କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ଏବଂ ୨୧୪୨ଜଣ ଚାଷୀ ଗତ ଦେଢ଼ ମାସ ହେବ ମଣ୍ଡିରେ ଧାନ ବିକ୍ରି କରିବାକୁ ଅପେକ୍ଷା କରି ଟୋକନ୍ ନ ପାଇ ମଣ୍ଡିରେ ବିକ୍ରୀ କରି ପାରିନାହାନ୍ତି। ସ୍ଥାନୀୟ ବଜାରରେ ବିଭିନ୍ନ ଦଲାଲ ମାଧ୍ୟମରେ କମ ଦରରେ ଧାନ ବିକ୍ରି କରି ଅଭାବି ବିକ୍ରିର ଶିକାର ଚାଷୀ ହୋଇଛନ୍ତି।

ସମ୍ବନ୍ଧିତ ଖବର