ପଦକ୍ରମ ତାଲିକାରେ ଜାଲିଆତି, ପୂର୍ବତନ ବିଇଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରାଥମିକ ଶିକ୍ଷକ ସଂଘର ଦାବି

ଖୋର୍ଦ୍ଧା,: ଖୋର୍ଦ୍ଧା ବ୍ଲକରେ ୨୦୧୯-୨୦ ଶିକ୍ଷା ବର୍ଷରେ ପଦକ୍ରମ (ଗ୍ରେଡେସନ୍) ତାଲିକାରେ ଜାଲିଆତି ହୋଇଛି । ଫଳରେ ବ୍ଲକର ଅନେକ ବରିଷ୍ଠ ଶିକ୍ଷକ ପଦୋନ୍ନତିରୁ ବଞ୍ଚିତ ହୋଇଛନ୍ତି । ଏହି ଜାଲିଆତିରେ ପୂର୍ବତନ ବିଇଓ ବୈଦ୍ୟନାଥ ସାହୁ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଅଛନ୍ତି ବୋଲି ଖୋର୍ଦ୍ଧା ବ୍ଲକ ପ୍ରାଥମିକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ଏହାର ତଦନ୍ତ କରି ବଂଚିତ ଶିକ୍ଷକଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଏକ ଦାବିପତ୍ର ବିଇଓଙ୍କୁ ଦିଆଯାଇଛି ।

ଆଜି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଯୁଧିଷ୍ଠିର ସାହୁ ଓ ସଂଘର ୭ ଜଣ କର୍ମକର୍ତ୍ତା ଗୋଷ୍ଠୀ ଶିକ୍ଷାଧିକାରୀ ସଂଧ୍ୟାରାଣୀ ରାଉତଙ୍କୁ ଭେଟି ଏନେଇ ଦାବିପତ୍ର ଦେଇଛନ୍ତି । ଏହି ଅବସରରେ ଶ୍ରୀ ସାହୁ କହିଛନ୍ତି ଯେ ପୂର୍ବତନ ବିଇଓ ବୈଦ୍ୟନାଥ ସାହୁଙ୍କ ଜାଲିଆତି ଯୋଗୁଁ ଅନେକ ପ୍ରଧାନଶିକ୍ଷକ ପଦୋନ୍ନତି ନପାଇ ଚାକିରିରୁ ଅବସର ନେଇଛନ୍ତି । ଅନେକ ବର୍ତମାନ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନିର୍ଯ୍ୟାତିତ ହେଉଛନ୍ତି । ବଣିଆଟାଙ୍ଗି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଉମେଶ ଚନ୍ଦ୍ର ରାଉତ, ନିଆଳ ବିଦ୍ୟାଳୟର ସତ୍ୟାନନ୍ଦ ବେହେରା, ବଣିଆଟାଙ୍ଗି ବିଦ୍ୟାଳୟର ସୁଶାନ୍ତ ହରିଚନ୍ଦନ ପଦୋନ୍ନତିରୁ ବଂଚିତ ହୋଇଛନ୍ତି ।

ଏନେଇ ସଂଘର ନିଷ୍ପତ୍ତିକ୍ରମେ ବିଇଓଙ୍କ ସହ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମହେଶ୍ୱର ସାହୁଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ଯଦି ଏହି ଜାଲିଆତିର ତଦନ୍ତ, ଶିକ୍ଷକଙ୍କୁ ନ୍ୟାୟ ପ୍ରଦାନ କରାନଯାଏ ତେବେ ସେମାନେ ମୁଖ୍ୟମନ୍ତ୍ରୀ, ୫-ଟି ସଚିବ, ମୁଖ୍ୟ ଶାସନ ସଚିବ, ଗଣଶିକ୍ଷାମନ୍ତ୍ରୀଙ୍କୁ ଦାବି ଜଣାଇବେ ।ଆଜିର ଏହି ପ୍ରତିନିଧିମଣ୍ଡଳରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଅମୀୟ କୁମାର ପରିଡ଼ା, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ମହାପାତ୍ର, ଉପସଭାପତି ସୁକାନ୍ତି ଦେବୀ, ସହସମ୍ପାଦକ ଦିବ୍ୟସିଂହ ସୁବୁଦ୍ଧି, ରଶ୍ମୀ ଦାସ, ସଂଯୋଜକ ସୁଶାନ୍ତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର