ରାୟଗଡା: ରାୟଗଡା ଜିଲ୍ଲା ଅନ୍ତର୍ଗତ ଗୁଣୁପୁର ଥାନାରେ ୬୦ ଲକ୍ଷ ଟଙ୍କା ଠକେଇ ହୋଇଥିବା ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିଛି। ସୋମବାର ପୂର୍ବାହ୍ନରେ ଏସଡିପିଓ ବିକାଶ କୁମାର ବେଉରାଙ୍କ ନେତୃତ୍ବରେ ଏକ ଚାରି ଜଣିଆ ଟିମ ଗଠନ କରାଯାଇ ଗ୍ଲୋବାଲ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟ ଉପରେ ଚଢଉ କରାଯାଇଥିଲା। ତେବେ ଗ୍ଲୋବାଲ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟରେ ତାଲା ପଡିଥିଲେ ମଧ୍ୟ ଅନ୍ୟ ଏକ ସ୍ଥାନରେ ଜଣେ ମହିଳା କାମ କରୁଥିବା ଦେଖି ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରି ଛାଡି ଦେଇଥିବା ଜଣାପଡିଛି। ସେହିପରି ସେହି ଇନଷ୍ଟିଚୁଟର ଆଉ ଜଣେ ବ୍ୟକ୍ତିକୁ ମଧ୍ୟ ପୁଲିସ ଅଟକ ରଖି ପଚରାଉଚରା କରି ଛାଡି ଦେଇଛି। ଏହି କେସଟିକୁ ପୁଲିସ ଚିଟଫଣ୍ଡ ଆକ୍ଟରେ କେସ ରୁଜୁ କରି ବ୍ରହ୍ମପୁର ସ୍ଥିତ ଓପିଆଇଡି ସ୍ବତନ୍ତ୍ର କୋର୍ଡକୁ ପଠାଇ ଦେଇଥିବା ଜଣାପଡିଛି। ଅନ୍ୟଦିଗରେ ଚାରି ଜଣ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସର ତନାଘନା ଜୋରସୋରରେ ଚାଲିଛି। ତଦନ୍ତ ପାଇଁ ଯାଇଥିବା ଅଧିକାରୀ ମାନଙ୍କ ମଧ୍ୟରୁ ଏସଡିପିଓ ଶ୍ରୀ ବେଉରାଙ୍କ ସମେତ ଇନସପେକ୍ଟର ନିଳାମ୍ବର ଜାନୀ, ସବ ଇନସପେକ୍ଟର ରୁଦ୍ରମାଧବ ମୁଦୁଲି ଅଂଶଗ୍ରହଣ କରିଥିଲେ। ସୂଚନାଯୋଗ୍ୟ ଯେ, ଗତ ୨୦୨୨ରେ ଅଭିଯୁକ୍ତ ଦେବାଶିଷ ମିଶ୍ର, ସମ୍ପୂର୍ଣ୍ଣା, ଫିଉଜନ, ପିପୁଲ ଫରମ, ଆଣ୍ଟି ଭେକଟର, ଆରୋହନ, ବେଲଷ୍ଟାର, ବନ୍ଧନ, ଭାରତ, ଅନପୂର୍ଣ୍ଣା ଘୋରଇ ଅର୍ଥ ଲଗାଣ ସଂସ୍ଥାର କର୍ମଚାରୀଙ୍କ ସହ କିମାଝୋଲା ଗ୍ରାମକୁ ଯାଇ ମହିଳା ମଣ୍ଡଳୀର ସଦସ୍ୟାମାନଙ୍କୁ ଭେଟିଥିଲେ।
ସେମାନଙ୍କ ନାମରେ ଋଣ ନେଇ ସିଲେଇ କେନ୍ଦ୍ର, ଘରୋଇ କ୍ଲିନିକ, ହସ୍ପିଟାଲ, ଏମ.କେ ରାଇ ଓ ଡ଼ମ୍ୱସରା ଜନସେବା କେନ୍ଦ୍ର ଓ କୋଚିଂ କେନ୍ଦ୍ର ଖୋଲି ସମସ୍ତଙ୍କୁ ଚାକିରିରେ ନିଯୁକ୍ତି ଦେବାକୁ ପ୍ରତିଶୃତି ଦେଇଥିଲେ। ଆଉ ଋଣ ଟଙ୍କା ସୁଧ ସହ ନିଜେ ସୁଝିଦେବେ ବୋଲି ଦେବାଶିଷ ପ୍ରତିଶୃତି ଦେଇଥିଲେ। ଏହାପରେ ଘୋରଇ ଅର୍ଥ ଲଗାଣକାରୀ ସଂସ୍ଥାରୁ ପ୍ରତ୍ୟେକ ମହିଳାଙ୍କ ନାମରେ ୩୦ରୁ ୩୫ ହଜାର ଟଙ୍କା ଏମିତି ପ୍ରାୟ ୬୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଅଭିଯୁକ୍ତ ଦେବାଶିଷ ମିଶ୍ର ଉଠେଇ ନେଇଥିଲେ। ପରବର୍ତ୍ତି ସମୟରେ ଋଣ ଟଙ୍କାର ସୁଧ ଓ ମୂଳ ବୃଦ୍ଧି ପାଉଥିଲେ ମଧ୍ୟ ଆଉ ସୁଝି ନଥିଲେ। ଅର୍ଥ ଲଗାଣ ସଂସ୍ଥାର କର୍ମଚାରୀ ମାନେ ଗାଁକୁ ଯାଇ ମହିଳା ମାନଙ୍କୁ ଟଙ୍କା ଜମା କରିବାକୁ ଚାପ ସୃଷ୍ଟି କରି ହଇରାଣ କରୁଥିଲେ। ଏହା ପରେ ମହିଳା ମାନଙ୍କ ଦ୍ବାରା ଥାନାରେ ଏତଲା ପରେ ସବୁ ଘଟଣା ପଦାକୁ ଆସିଥିଲା। ତେବେ ଏହି ଚାରି ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ସାମ୍ବାଦିକ ମଧ୍ୟ ରହିଛନ୍ତି। ତାଙ୍କୁ ବଞ୍ଚାଇବାକୁ ସାମ୍ବାଦିକ ସଂଘ ତରଫରୁ ପୁଲିସ ଉପରେ ଚାପ ପଡୁଥିବା ମଧ୍ୟ ଜଣାପଡିଛି। ତେବେ ଏହି ଘଟଣାରେ ସଂଘକୁ ପୁଲିସ କିନ୍ତୁ କୌଣସି ସହଯୋଗ କରୁନଥିବା ଜଣାପଡିଛି। ସମସ୍ତ ଅଭିଯୁକ୍ତ ଏବେ ମଧ୍ୟ ଫେରାର ରହିଥିବା ଜଣାପଡିଛି।