କଟକ: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ରେ ଚାଲିଥିବା କେଳେଙ୍କାରୀ ଧରାପଡ଼ିବା ପରେ ଏହାକୁ ନେଇ ଏବେ ଆଶ୍ଚର୍ଯ୍ୟଚକିତ କଲା ଭଳି ତଥ୍ୟ ସାମ୍‌ନାକୁ ଆସୁଛି। ଲୋକଙ୍କୁ ମିଛ ରୋଗୀ ଦର୍ଶାଇ ରାଜକୋଷରୁ ଟଙ୍କା ଲୁଟୁଥିବା ଅଭିଯୋଗରେ କଟକର ସାଉଥ୍‌ପଏଣ୍ଟ୍ ହସ୍ପିଟାଲ୍‌ ଓ ଆଠଗଡ଼ର ପଣ୍ଡା ନର୍ସିଂହୋମ୍ ଧରାପଡ଼ିଥିବା ବେଳେ ଏବେ ପୂରା ପ୍ରକ୍ରିୟାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ଏଭଳି କାରବାରରେ ଏକାଧିକ ଘରୋଇ ହସ୍ପିଟାଲ୍‌ ଓ ନର୍ସିଂହୋମ୍ ସାମିଲ୍‌ ଥିବା ସନ୍ଦେହ କରାଯାଉଛି। ବିଏସ୍‌କେୱାଇ ଆରମ୍ଭ ପରଠାରୁ ଗଲା ୨ ବର୍ଷ ଭିତରେ କେବଳ କଟକର ଘରୋଇ ହସ୍ପିଟାଲ୍‌ ଓ ନର୍ସିଂହୋମ୍ ରାଜକୋଷରୁ ୧୬୬ କୋଟି ଟଙ୍କା ଉଠାଇ ସାରିଲେଣି। ଏହି ଯୋଜନାରେ ଜିଲ୍ଲାରେ ଏଯାଏ ୮୩ ହଜାର ଲୋକ ଉପକୃତ ହୋଇଥିବା ତଥ୍ୟ କହୁଛି। କିନ୍ତୁ, ଏଭଳି ଘଟଣା ତଦନ୍ତ ସାପେକ୍ଷ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

Advertisment

ତଥ୍ୟ ଅନୁସାରେ, କଟକ ଜିଲ୍ଲାର ୧୦୧ଟି ବିଏସ୍‌କେୱାଇ ଯୋଜନାରେ ଅନୁବନ୍ଧିତ ହସ୍ପିଟାଲ୍‌ ଅଛନ୍ତି। ୨୦୨୧ ଜାନୁଆରିରୁ ଡିସେମ୍ବର ଭିତରେ ଜିଲ୍ଲାର ଏହିସବୁ ହସ୍ପିଟାଲ୍‌ରେ ୧୪ ହଜାର ୪୦୦ ହିତାଧିକାରୀ ବିଏସ୍‌କେୱାଇ ଯୋଜନାରେ ଚିକିତ୍ସିତ ହୋଇଥିଲେ। ୨୦୨୨ରେ କିନ୍ତୁ ଏହି ସଂଖ୍ୟା ୪ ଗୁଣ ବଢ଼ି ଯାଇଥିଲା। ଅର୍ଥାତ୍‌ ୬୮ ହଜାର ୫ ଶହ ହିତାଧିକାରୀ ବିଏସ୍‌କେୱାଇ ଯୋଜନାରେ ମାଗଣା ଚିକିତ୍ସା ସୁବିଧା ନେଇଥିଲେ। ଏହାକୁ ନେଇ ସନ୍ଦେହ ବଢୁଥିବା ବେଳେ ଏବେ ଛାନଭିନ୍ ଆରମ୍ଭ ହୋଇଛି। ହେଲେ, ସଂପୂର୍ଣ୍ଣ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନହେବା ଯାଏ ଏଥିରେ ସଂପୃକ୍ତ ଅନ୍ୟ ସଂସ୍ଥା ହୁଏତ ଖସି ଯିବାର ଆଶଙ୍କା କରାଯାଉଛି।

ଘରୋଇ ହସ୍ପିଟାଲ ଓ ନର୍ସିଂହୋମ୍‌ର ଜିଏସ୍‌ଟି ଖୋଳତାଡ଼
ସାଉଥ୍ ପଏଣ୍ଟ୍ ଆକାଉଣ୍ଟ ଜବତ୍‌, ବେଆଇନ ନିର୍ମାଣ ଭାଙ୍ଗିଲା

ଏହିଭଳି ଦୁର୍ନୀତି ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ସାଉଥ୍‌ ପଏଣ୍ଟ ଓ ଆଠଗଡ଼ର ପଣ୍ଡା ନର୍ସିଂହୋମର ବିଏସ୍‌କେୱାଇ ଅବୁବନ୍ଧନ କାଟି ଦିଆଯାଇଛି। ଉଭୟ ହସ୍ପିଟାଲ୍‌ ରୋଗୀସେବା କରିପାରିବେ ନାହିଁ ବୋଲି ସିଡିଏମ୍‌ଓଙ୍କ ପକ୍ଷରୁ ଉଭୟଙ୍କୁ ନୋଟିସ୍‌ ଦିଆଯାଇଛି। ସାଉଥ୍‌ ପଏଣ୍ଟରେ ଗତକାଲି ଜିଏସ୍‌ଟି ସ୍କ୍ବାଡ ପକ୍ଷରୁ ଚଢାଉ କରାଯାଇଥିବା ବେଳେ ମେଡିସିନ୍ ଦୋକାନ ଜିଏସ୍‌ଟି ନମ୍ବରରେ ହସ୍ପିଟାଲ ଚାଲିଥିବା ତଥ୍ୟ ସାମ୍ନାକୁ ଆସିଛି। ସାଉଥ୍‌ ପଏଣ୍ଟ ହସ୍ପିଟାଲ୍‌ ପ୍ରୋପ୍ରାଇଟର୍‌ ହାଇକୋର୍ଟରେ ଆଗୁଆ ଜାମିନ୍ ଲୋଡ଼ି ଏବେ ଫେରାର୍‌ ଥିବାରୁ ଜିଏସ୍‌ଟି ବିଭାଗର ତଦନ୍ତରେ ବାଧା ଉପୁଜିଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ ଏବେ ବାଣିଜ୍ୟକର ବିଭାଗ କଟକ ଜିଲ୍ଲାରେ ଥିବା ସମସ୍ତ ହସ୍ପିଟାଲ ଓ ନର୍ସିଂହୋମର ତଥ୍ୟ ସ୍ବାସ୍ଥ୍ୟ ବିଭାଗରୁ ନେଇଛି। ସବୁ ହସ୍ପିଟାଲର ଜିଏସ୍‌ଟି ଲାଇସେନ୍ସ ଅଛି ନା ନାହିଁ, ତା’ର ତଦନ୍ତ ଆରମ୍ଭ କରିଛି। କିଛିଦିନ ତଳେ କଟକର ସନ୍‌ ଓ ନିଦାନ ହସ୍ପିଟାଲରେ ବି ଜିଏସ୍‌ଟି ଚଢ଼ଉ କରାଯାଇଥିଲା। ଏସବୁର ତଦନ୍ତ ଚାଲିଥିବା କଟକ ସିଟିଆଣ୍ଡ ଜିଏସ୍‌ଟି ଅଧିକାରୀ ବିରଞ୍ଚି ମହାନନ୍ଦିଆ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ, ଆଜି ସାଉଥ୍ ପଏଣ୍ଟର ବେଆଇନ ନିର୍ମାଣ ଅଂଶକୁ ସିଏମସି ପକ୍ଷରୁ ଭଙ୍ଗା ଯାଇଛି। ସେହିଭଳି ହସ୍ପିଟାଲ୍‌ର କର୍ମଚାରୀଙ୍କୁ ଦରମା ମିଳି ନଥିବା ଅଭିଯୋଗ ଆଧାରରେ ବାଦାମବାଡ଼ି ଥାନା ପୁଲିସ ହସ୍ପିଟାଲ୍‌ର ଆକାଉଣ୍ଟ୍ ଜବତ କରିଥିବା ସୂଚନା ମିଳିଛି। ଏ ଘଟଣାର ବି ଖୋଳତାଡ଼ ଜାରି ରହିଛି।