ରାଉରକେଲା: ବେଧଡ଼କ ହରିଲୁଟ୍‌ ହେଉଛି ଗରିବଙ୍କ ଚାଉଳ। ସୁରକ୍ଷା କବଚ ସାଜିଛନ୍ତି ଯୋଗାଣ ବିଭାଗର କରିତ୍‌କର୍ମା କର୍ମଚାରୀ। ଗୋଟିଏ ସ୍ଥାନକୁ ଯିବା ପରିବର୍ତ୍ତେ ଅନ୍ୟ ସ୍ଥାନକୁ ନେଇ ବିକ୍ରି କରି ଦିଆଯାଉଛି। ଟ୍ରାକିଂ ଦାୟିତ୍ବରେ ଥିବା ଯୋଗାଣ ଗୋଦାମର କର୍ମଚାରୀ ଏମାନଙ୍କ ସୁରକ୍ଷା କବଚ ସାଜିଛନ୍ତି। ଗତ ଦୁଇଦିନ ତଳେ ରାଉରକେଲା ଏସ୍‌ଟିଆଇ ଯୋଗାଣ ଗୋଦାମରୁ ନୂଆଗାଁ କର୍କଟନାସା ପଞ୍ଚାୟତକୁ ଯାଉଥିବା ୨୫ ଟନ୍‌ ପିଡିଏସ୍‌ ଚାଉଳ ଲାଠିକଟା ବ୍ଲକସ୍ଥ ବିରକେରାରୁ ଉଦ୍ଧାର ଘଟଣାରେ ଯୋଗାଣ ବିଭାଗର ଗୁମର ଖୋଲିଛି।

Advertisment

ଉଭୟ ପରିବହନ ଠିକା ସଂସ୍ଥା ଓ ଯୋଗାଣ ବିଭାଗର କିଛି କରିତକର୍ମା କର୍ମଚାରୀଙ୍କ ଭିତିରି ସଲାସୁତୁରାରୁ ବର୍ଷ ବର୍ଷ ଧରି ଗରିବଙ୍କ ଚାଉଳର ବ୍ୟାପକ ହେରଫେର ହେଉଛି। ଶନିବାର ସକାଳେ ଧରା ପଡ଼ିଥିବା ୨୫ ଟନ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପାନପୋଷ ଉପଜିଲ୍ଲାପାଳ ଅଭିମନ୍ୟୁ ମାଝି। ତାଙ୍କ ନିର୍ଦ୍ଦେଶକ୍ରମେ ନୂଆଗାଁ ବ୍ଲକ୍‌ର ଯୋଗାଣ ନିରୀକ୍ଷକ ପାଉଲୁସ୍‌ କେର୍କେଟା ରଘୁନାଥପାଲୀ ଥାନାରେ ଲିଖିତ ଏତଲା ଦେଇଛନ୍ତି। ତାଙ୍କ ଲିଖିତ ଅଭିଯୋଗ ଆଧାରରେ ରଘୁନାଥପାଲୀ ପୁଲିସ ତଦନ୍ତ ପାଇଁ ୪ ଜଣିଆ ଟିମ୍‌ ଗଠନ କରିଛି। ତଦନ୍ତ ରିପୋର୍ଟ ଆସିବା ପରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ମାଝି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ପରିବହନ ଠିକାସଂସ୍ଥା ମନ୍ଦ ଉଦ୍ଦେଶ୍ୟରେ ଏଭଳି କରିଥିବା ପ୍ରାଥମିକ ତଦନ୍ତ ଜଣାପଡ଼ିଛି।

ରାଉରକେଲା ଏସ୍‌ଟିଆଇ ଛକ ଯୋଗାଣ ଗୋଦାମରୁ ନୂଆଗାଁ ଯାଉଥିବା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକକୁ କିପରି ଦାୟିତ୍ବରେ ଥିବା ଯୋଗାଣ ବିଭାଗ କର୍ମଚାରୀ ଜାଣିପାରିଲେ ନାହିଁ, ତା’ର ମଧ୍ୟ ତଦନ୍ତ କରାଯାଉଛି। ଉଲ୍ଲେଖଯୋଗ୍ୟ, ଉରକେଲା ଏସ୍‌ଟିଆଇ ସ୍ଥିତ ଯୋଗାଣ ବିଭାଗ ଗୋଦାମରୁ ନୂଆଗାଁ ବ୍ଲକ୍‌ କର୍କଟନାସା ପଞ୍ଚାୟତକୁ ଯିବାପାଇଁ ଦୀନଦୟାଲ ସାହା ନାମକ ଅଧିକୃତ ପରିବହନ ଠିକାଦାରଙ୍କୁ ଟ୍ରାଞ୍ଜିଟ ପାସ୍‌ ଇସ୍ୟୁ ହୋଇଥିଲା। ତେବେ ୨୫ ଟନ ଚାଉଳ ବୋଝେଇ ଟ୍ରକଟି କିଛି ଘଣ୍ଟା ମଧ୍ୟରେ ଧାର୍ଯ୍ୟ ସ୍ଥାନରେ ପହଞ୍ଚିବା ପରିବର୍ତ୍ତେ ଲାଠିକଟା ବ୍ଲକ ଅଭିମୁଖେ ଯାଇଥିଲା। ବିରକେରାସ୍ଥ ନାକଖଣ୍ଡି ଅଞ୍ଚଳର ଏକ ନିଚ୍ଛାଟିଆ ସ୍ଥାନରେ ଟ୍ରକରୁ ଚାଉଳ ବସ୍ତା କଢ଼ାଯାଇ ପିକ୍‌ଅପ୍‌ ଭ୍ୟାନ ଯୋଗେ ଅନ୍ୟତ୍ର ଚାଲାଣ ହେଉଥିବା ଦେଖି ସ୍ଥାନୀୟ ଲୋକେ ସଂଦେହରେ ଟ୍ରକକୁ ଅଟକ ରଖି ପୁଲିସକୁ ସୂଚନା ଦେଇଥିଲେ। ସେତେବେଳକୁ ଟ୍ରକରୁ ଅଧା ଚାଉଳ ବସ୍ତା ଖାଲି ହୋଇ ସାରିଥିଲା। ଏନେଇ ପରିବହନ ଠିକାଦାରଙ୍କ ପାଖରେ ଖବର ପହଞ୍ଚିବା ପରେ ଷଡ଼୍‌ଯନ୍ତ୍ର ରଚାଯାଇଥିବା କହାଯାଉଛି।

ଏହି ପରିବହନ ଠିକାଦାର ଓ ଦାୟିତ୍ବରେ ଥିବା ଯୋଗାଣ ବିଭାଗ କର୍ମଚାରୀଙ୍କ ମଧ୍ୟରେ କଣ ସଂପର୍କ ରହିଛି ତା’ର ଯାଞ୍ଚ କରିବାକୁ ଦାବି ହେଉଛି। ଲାଠିକଟା ବ୍ଲକ ଅନ୍ତର୍ଗତ ବିକକେରାରୁ ଜବତ ଟ୍ରକକୁ ଲାଠିକଟା କିମ୍ବା ବ୍ରାହ୍ମଣୀତରଙ୍ଗ ଥାନା ପରିବର୍ତ୍ତେ ରଘୁନାଥପଲ୍ଲୀ ଥାନାକୁ କାହିଁକି ଅଣାଗଲା ତାହା ବି ଏଯାଏଁ ପ୍ରଶ୍ନବାଚୀ ହୋଇ ରହିଛି। ଏସ୍‌ଟିଆଇ ସ୍ଥିତ ଗୋଦାମରୁ ନୂଆଗାଁ, କର୍କଟନାଶା ପଞ୍ଚାୟତ ମାତ୍ର ୪୦ କିମିର ଗନ୍ତବ୍ୟ ସ୍ଥଳକୁ ପହଁଚି ପାରିନଥିବା ଟ୍ରକ ବାବଦରେ ମନିଟରିଂ ଦାୟିତ୍ୱରେ ଥିବା ବିଭାଗୀୟ କର୍ମଚାରୀ ଓ ଅଧିକାରୀ ଜାଣିପାରିଲେନି କେମିତି ? ସାଧାରଣରେ ଏମିତି ଅନେକ ପ୍ରଶ୍ନ ଉଠିବା ସ୍ବାଭାବିକ। ତେବେ ଆଗାମୀ ଦିନରେ ପରିବହନ ଠିକା ସଂସ୍ଥା ଓ ଦାୟିତ୍ବରେ ଥିବା ଯୋଗାଣ ବିଭାଗ କର୍ମଚାରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।