ସିମୁଳିଆ: ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ୍ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହୋଇଛି। ଅଯୋଗ୍ୟମାନେ ଘର ପାଇଥିବା ବେଳେ ଯୋଗ୍ୟତା ଥିବା ଲୋକଙ୍କୁ ନିରାଶ ହେବାକୁ ପଡ଼ିଛି।
ସିମୁଳିଆ ବ୍ଲକ୍ରେ ୨୨ଟି ପଞ୍ଚାୟତ ରହିଛି। ସରକାରୀ ହିସାବରୁ ବ୍ଲକ୍ରେ ମୋଟ ୩୭୯୬ ଜଣ ପ୍ରଧାନମନ୍ତ୍ରୀ ଆବାସ ପାଇବେ ବୋଲି ଜଣାପଡ଼ିଥିଲା। ନିକଟରେ ଯୋଗ୍ୟତା ତାଲିକା ପ୍ରକାଶ ପାଇଥିଲା। ସେଥିରେ ୨୭୭୯ ଜଣଙ୍କ ନାମ ରହିଥିବା ବେଳେ ୧୦୧୭ ଜଣ ବାଦ୍ ପଡ଼ିଥିଲେ। ତେବେ ପ୍ରକାଶ ପାଇଥିବା ତାଲିକାକୁ ନେଇ ନାନା ଅଭିଯୋଗ ଆସିଥିଲା। ତାଲିକା ପ୍ରସ୍ତୁତିରେ ଅନିୟମିତତା ହୋଇଥିବା କୁହାଗଲା। ସରକାରୀ କର୍ମଚାରୀଙ୍କ ପତ୍ନୀ, ପୁଅ ଓ ଭାଇଙ୍କ ସହ ଏକର ଏକର ଜମି ଥିବା ବ୍ୟକ୍ତିଙ୍କ ନାମ ତାଲିକାରେ ଥିଲା। ଦାୟିତ୍ବରେ ଥିବା ଅଧିକାରୀମାନେ ରାଜନୈତିକ ଚାପ ଏବଂ ଅନ୍ୟ କାରଣ ପାଇଁ ମନଇଚ୍ଛା ହିତାଧିକାରୀ ତାଲିକା ପ୍ରସ୍ତୁତି କରିଛନ୍ତି ବୋଲି ଅଣ୍ଡରାଇ ସମିତି ସଭ୍ୟ ଉତ୍ତମ କୁମାର ମହାନ୍ତି, ମୁରୁଣା ସମିତି ସଭ୍ୟ ଗୋପୀକାନ୍ତ ମହାନ୍ତି, ମାର୍କୋଣା ସରପଞ୍ଚ କମଳାକାନ୍ତ ନାୟକ ପ୍ରମୁଖ ଅଭିଯୋଗ ଆଣିଥିଲେ।
ଫଳରେ ତତ୍କାଳୀନ ବିଡିଓ ପର୍ଶୁରାମ ପଣ୍ଡା ଏକ ଚିଠି ଜାରି କରିଥିଲେ। ସେ ଚିଠିରେ ଅଭିଯୋଗର ତଦନ୍ତ ହେବ ଏବଂ ଯେଉଁ ୧୦୧୭ ଜଣ ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରେ ପ୍ରକାଶ ପାଇ ନାହିଁ, ସରକାର ଘର ମଞ୍ଜୁର କଲେ ସେମାଙ୍କୁ ପ୍ରଦାନ କରାଯିବ ବୋଲି ଉଲ୍ଲେଖ କରିଥିଲେ। ଏଇଭିତରେ ବିଡିଓ ଶ୍ରୀ ପଣ୍ଡାଙ୍କ ବଦଳି ହୋଇଗଲା। ଫଳରେ ତଦନ୍ତ ହେଲାନି। ଅନ୍ୟପଟେ ତାଲିକାରେ ଥିବା ଅଯୋଗ୍ୟ ହିତାଧିକାରୀମାନେ କାର୍ଯ୍ୟାଦେଶ ସହ ପ୍ରଥମ ପର୍ଯ୍ୟାୟ ଟଙ୍କା ପାଇଗଲେ। ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ସିମୁଳିଆ ବିଡିଓ, ବାଲେଶ୍ୱର ଜିଲ୍ଲାପାଳ ଏବଂ ୫-ଟି ସଚିବଙ୍କ ନିକଟରେ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ବର୍ତ୍ତମାନର ସିମୁଳିଆ ବିଡିଓ ପୃଥ୍ୱୀରାଜ ପରିଡ଼ାଙ୍କୁ ପଚରାଯାଇଥିଲା। ସେ ଅଭିଯୋଗର ତଦନ୍ତ ହେବ ଏବଂ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।