ବ୍ୟାଙ୍କରେ ଚାକିରି ଦେବା ନାମରେ ଠକେଇ, ଜଣେ ଗିରଫ 

ଖୋର୍ଦ୍ଧା : ଏକ ଘରୋଇ ବ୍ୟାଙ୍କରେ ଚାକିରି ଦେବା ନାମରେ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଜଣେ ଠକକୁ ଆଜି ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନାନୁସାରେ, ବାଲେଶ୍ୱରର ଶଙ୍କରପୁରର ଅନିଲ କୁମାର ମହାନ୍ତି (୩୩) ନିଜକୁ ମୁମ୍ବାଇ ସ୍ଥିତ ଘରୋଇ ବ୍ୟାଙ୍କ ଆର୍ବିଏଲ୍ (ପୂର୍ବେ ରତ୍ନାକର ବ୍ୟାଙ୍କ)ର ଓଡ଼ିଶା ମୁଖ୍ୟ ବୋଲି ପରିଚୟ ଦେଇ ବିଭିନ୍ନ ଲୋକଙ୍କ ସହ ସମ୍ପର୍କ ଗଢ଼ିଥିଲା । ପରେ ସେମାନଙ୍କୁ ବ୍ୟାଙ୍କରେ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ଲାଂଚ ନିମନ୍ତେ ଟଙ୍କା ଆଦାୟ କରିଥିଲା । ଟଙ୍କା ଦେଇ ଚାକିରି ନପାଇବା ଓ ଅନେକ ଦିନ ଧରି ଦେଇଥିବା ଟଙ୍କା ଫେରିନପାଇବାରୁ ଖୋର୍ଦ୍ଧା ଟାଉନ୍ ଥାନାରେ କଂଟାବଣିଆର ବାଉରିବନ୍ଧୁ ସାହୁ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ପୁଲିସ ୨୯୧/୨୦୨୧ରେ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଥିଲା ।

ଅନୁସନ୍ଧାନ ସମ୍ପର୍କରେ ଖୋର୍ଦ୍ଧା ଟାଉନ୍ ଥାନା ଅଧିକାରୀ ସଂଜୟ ପଟ୍ଟନାୟକ କହିଛନ୍ତି ଯେ ଅନିଲ ମହାନ୍ତି ବାଉରିବନ୍ଧୁ ସାହୁଙ୍କ ଠାରୁ ୪୯ହଜାର ୧୦୦ଟଙ୍କା, ବେଣୁଧର ପାଣିଙ୍କ ଠାରୁ ୯୫,୦୦୦ଟଙ୍କା, ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଠାରୁ ୨୫,୦୦୦ଟଙ୍କା, ରମାକାନ୍ତ ଦାସଙ୍କ ଠାରୁ ୩ଲକ୍ଷ ଟଙ୍କା, ଶଙ୍କର୍ଷଣ ବିହାରୀଙ୍କ ଠାରୁ ୨ଲକ୍ଷ ୨୦ହଜାର ଟଙ୍କା, ଦେବାଶିଷ ମହାର୍ଥାଙ୍କ ଠାରୁ ୧୨ହଜାର ଟଙ୍କା, ରମେଶ ଚନ୍ଦ୍ର ପଲାଇଙ୍କ ଠାରୁ ୧୨,୦୦୦ଟଙ୍କା ଅନୁରୂପ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ଟଙ୍କା ନେଇଛନ୍ତି । କେବଳ ଏହାନୁହେଁ ଅନିଲଙ୍କ ବିରୋଧରେ ଶରଣକୁଳ ଥାନାରେ ଚଳିତ ବର୍ଷ ମାର୍ଚ୍ଚ ୨୬ ତାରିରେ ଏକ ଠକେଇ ମାମଲା ରହିଛି । ସାଲେପୁର, କଂଟିଲୋ, ବାଲିଅନ୍ତାର ତ୍ରିନାଥ ବଜାରରେ ନିଜର ଜାଲି ବ୍ୟାଙ୍କ ଶାଖା ଖୋଲି ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଜଣାପଡ଼ିଛି ।

ଗତକାଲି ଅନିଲ ଖୋର୍ଦ୍ଧାରେ ଥିବା ସୂଚନା ପାଇ ଯୋଜନାବଦ୍ଧ ଭାବେ ଚଢ଼ଉ କରି ନୂଆ ବସ୍ଷ୍ଟାଣ୍ଡ୍ ଛକରୁ ଗିରଫ କରାଯାଇଥିଲା । ସ୍ୱାସ୍ଥ୍ୟ ପରୀକ୍ଷଣ ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସମ୍ବନ୍ଧିତ ଖବର