ଚାକିରି ଦେବା ନାଁରେ କୋଟି କୋଟି ନେଇ ଠକ ସଂସ୍ଥା ଫେରାର!

ବ୍ୟାଙ୍କ ଚାକିରିରୁ ଗୃହ ସହାୟକ ନିଯୁକ୍ତି ଯାଏଁ ଆଶା ଦେଖାଇଥିଲା

ସୁନ୍ଦରଗଡ଼: ଶିକ୍ଷିତ ବେରୋଜଗାର ଯୁବକଯୁବତୀ ନିଯୁକ୍ତି ପାଇଁ ଧନ୍ଦି ହେଉଛନ୍ତି। ଏହାର ସୁଯୋଗ ନେଇ କିଛି ଠକ ସଂସ୍ଥାବ ଏପରି ଯୁବକଯୁବତୀମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରୁଥିବା ଦେଖାଯାଇଛି। ସୁନ୍ଦରଗଡ଼ ସହରରେ ଏପରି ଏକ ଠକ ସଂସ୍ଥା ଚାକିରି ଦେବା ନାଁରେ ବର୍ଷେ କାଳ ଯୁବକଯୁବତୀଙ୍କ ମନରେ ବିଶ୍ବାସ ଜନ୍ମାଇ କୋଟି କୋଟି ଟଙ୍କା ନେଇ ଫେରାର ହୋଇଯାଇଥିବାର ଏକ ଚାଞ୍ଚଲ୍ୟକର ଅଭିଯୋଗ ଆସିଛି। ଏ ସମ୍ପର୍କରେ ଝାରସୁଗୁଡ଼ାର ଜଣେ ଯୁବକ ସୁନ୍ଦରଗଡ଼ ଟାଉନଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ସମ୍ପର୍କୀୟ ଚାକିରି ପାଇଁ ସଂସ୍ଥାକୁ ୧.୨୦ ଲକ୍ଷ ଟଙ୍କା ଦେଇଥିବା ସେ ଉଲ୍ଲେଖ କରିଛନ୍ତି।

ତେବେ କେବଳ ଏ ଜଣେ ଠକେଇରେ ପଡ଼ି ନାହାନ୍ତି, ସୁନ୍ଦରଗଡ଼ ସମେତ ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲା ଏବଂ ପଡ଼ୋଶୀ ଛତିଶଗଡ଼, ଝାରଖଣ୍ଡର ବହୁ ଯୁବକଯୁବତୀଙ୍କୁ ବ୍ୟାଙ୍କ ଚାକିରିରୁ ଗୃହ ସହାୟକ ଯାଏଁ ୨୬ରୁ ଅଧିକ ପଦରେ ନିଯୁକ୍ତି ଦେବାର କ୍ଷମତା ରଖିଥିବା ଦର୍ଶାଇ ସଂସ୍ଥା ଚୂନ ଲଗାଇଥିବା ଅଭିଯୋଗ ହୋଇଛି। ତେବେ ବଡ଼ କଥା ହେଲା, ବର୍ଷେ କାଳ ଏକ ଅଜଣା ଘରୋଇ ସଂସ୍ଥାଟି ଦିନଦ୍ବିପ୍ରହରରେ ସହର ଭିତରେ ଅଫିସ ଖୋଲି ନିଯୁକ୍ତିର ପ୍ରଚାର କରୁଥିବା ଓ ନିଯୁକ୍ତି ପାଇଁ ଟଙ୍କା ନେଉଥିବା ବେଳେ ଜିଲ୍ଲା ପ୍ରଶାସନ ଓ ପୁଲିସ ବିଭାଗ ପାଖରେ ଏ ଖବର କେମିତି ପହଞ୍ଚିଲା ନାହିଁ, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅଭିଯୋଗ ଅନୁସାରେ, ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍ପିଟାଲ ନିକଟସ୍ଥ ବିଦ୍ୟୁତ ବିହାରରେ ବର୍ଷେ ତଳେ ଅହମଦ ରିସୋର୍ସ ହାଉସ ପ୍ରାଇଭେଟ ଲିମିଟେଡ୍ ନାମରେ ଏକ ସଂସ୍ଥା ଖୋଲିଥିଲା। ସଂସ୍ଥା ପରିଚାଳକ ନିଜକୁ ବିହାର ରାଜ୍ୟର ବୋଲି ପରିଚୟ ଦେଇଥିଲା। ଅଫିସ ପାଇଁ ଏକ ବିଶାଳ କୋଠାକୁ ସଂସ୍ଥା ଭଡ଼ା ନେଇଥିଲା। ଘର ମୁହଁରେ ବଡ଼ ନାମଫଳକ ଲଗାଇବା ସହ ମୋବାଇଲ ନମ୍ବର, ଅଣୁ ଡାକ (ଇ-ମେଲ୍) ଇନଷ୍ଟାଗ୍ରାମ ଆଇଡି ଦେଇ ନିଯୁକ୍ତି ସମ୍ପର୍କିତ ଏକ ପ୍ରଚାରପତ୍ର ବାଣ୍ଟିଥିଲା। ବ୍ୟାଙ୍କ ଚାକିରି, ସୁରକ୍ଷାକର୍ମୀଙ୍କ ଠାରୁ ଆରମ୍ଭ କରି ମାର୍କେଟିଂ ମ୍ୟାନେଜର, ସିଭିଲ ଇଞ୍ଜିନିୟର, ମେକାନିକାଲ ଇଞ୍ଜିନିୟର, ଇଲେକ୍ଟ୍ରିକାଲ ଇଞ୍ଜିନିୟର, ଆକାଉଣ୍ଟାଣ୍ଟ, ସେଲ୍ସ ବୟ, ସେଲ୍ସ ଗାର୍ଲ, ହାଉସକିପିଙ୍ଗ୍ ଆଦି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା। ଏଥିପାଇଁ ଅଭିଜ୍ଞ ଓ ନୂଆ ପ୍ରାର୍ଥୀ ଦରଖାସ୍ତ କରିବାକୁ କୁହାଯାଇଥିବା ବେଳେ ବିଭିନ୍ନ ପଦ ପାଇଁ ୨୬ ହଜାରରୁ ୭ ହଜାର ଟଙ୍କା ଯାଏଁ ଦରମା ଦିଆଯିବ ବୋଲି ସୂଚୀତ କରିଥିଲା ସଂସ୍ଥା। ଯୋଗ୍ୟତା ଅନୁସାରେ ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ସଂସ୍ଥାରେ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଥିଲା। ସୁନ୍ଦରଗଡ଼ ସମେତ ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲା ଏବଂ ପଡ଼ୋଶୀ ଛତିଶଗଡ଼, ଝାରଖଣ୍ଡର ବହୁ ଯୁବକଯୁବତୀ ଧାଇଁ ଆସିଥିଲେ।

ଅଫିସର ପରିଚାଳକ ଓ ଅନ୍ୟ କର୍ମଚାରୀଙ୍କ ଆଦବକାଇଦା ସରକାରୀ ଅଧିକାରୀଙ୍କ ଭଳି ଥିବାବେଳେ ନିଯୁକ୍ତି ସମ୍ପର୍କିତ କାଗଜପତ୍ରରେ ସ୍ବଚ୍ଛତା ପ୍ରଦର୍ଶନ କରି ସଂସ୍ଥା ନିଯୁକ୍ତି ଆଶାୟୀଙ୍କ ବିଶ୍ବାସ ଜିଣିଥିଲେ। ସଂସ୍ଥାକୁ ଶହ ଶହ ଆବେଦନ ପହଞ୍ଚିଥିଲା। ତେବେ ସଂସ୍ଥା ପରିଚାଳକ ଅତି ଚତୁରତାର ସହ ନିଯୁକ୍ତି ପାଇଁ ଅନେକଙ୍କୁ ଆବଶ୍ୟକ ଦକ୍ଷତା ବା ଅଭିଜ୍ଞତା ନଥିବା ଦର୍ଶାଇ ଏଥିପାଇଁ ଉପଯୁକ୍ତ ତାଲିମ ନେବାକୁ ପରାମର୍ଶ ଦେଉଥିଲେ। ତାଲିମ ଓ ନିଯୁକ୍ତି ବାବଦକୁ ଲକ୍ଷେରୁ ଦେଢ଼ ଲକ୍ଷ ପ୍ରୋସେସିଂ ଫି’ ଦେବାକୁ କହୁଥିଲେ। ନିଯୁକ୍ତି ବିକଳରେ ଯୁବକଯୁବତୀମାନେ ସଂସ୍ଥା କହିବା ମୁତାବକ ଟଙ୍କା ଦେଇ ଅପେକ୍ଷା କରିଥିଲେ। ତେବେ ପରିଚାଳକ ଟଙ୍କା ଦେଇଥିବା ଲୋକଙ୍କୁ ବିଭିନ୍ନ ଆଳରେ ଭଣ୍ଡିବା ସହ ଦିନ ଗଡ଼ାଇ ଚାଲିଥିଲେ। ଶେଷକୁ ଗତ ୨୦୨୨ ଡିସେମ୍ବରରେ ଭଡ଼ା ଘର ଛାଡ଼ି ଚମ୍ପଟ ମାରିଥିଲେ ସଂସ୍ଥା ପରିଚାଳକ ।

ନାମଫଳକ ମଧ୍ୟ କାଢ଼ି ନିଆଯାଇଥିବା ଦେଖା ଯାଇଥିଲା। ସଂସ୍ଥାରେ କାମ କରୁଥିବା କିଛି ସ୍ଥାନୀୟ ଯୁବକଯୁବତୀ ମଧ୍ୟ ଏହାର ଟେର୍ ପାଇ ନଥିଲେ। ଟଙ୍କା ଦେଇଥିବା ଆଶାୟୀମାନେ ଆସି ଦେଖିଲା ବେଳକୁ ଆଉ କିଛି ନଥିଲା। ସେମାନଙ୍କ ମଧ୍ୟରୁ ଅନେକ ସଂସ୍ଥାର ମୋବାଇଲ ନମ୍ବରରେ ଯୋଗାଯୋଗ କରିଥିଲେ, କିନ୍ତୁ ସେସବୁ ସୁଇଚ୍ ଅଫ୍ ହୋଇଯାଇଛି। ଠକାମୀରେ ପଡ଼ିଥିବା ଜାଣି ଯୁବକଯୁବତୀମାନେ ମୁଣ୍ଡରେ ହାତ ଦେଇଛନ୍ତି। ତେବେ ୧.୨୦ ଲକ୍ଷ ଟଙ୍କା ହରାଇଥିବା ୨ ଯୁବକଙ୍କ ତରଫରୁ ଝାରସୁଗୁଡ଼ାର ଯୁବକ ଟାଉନଥାନାରେ ଅଭିଯୋଗ କରିଥିଲେ ମଧ୍ୟ ସଂସ୍ଥା ସମ୍ପର୍କରେ ବିଶେଷ ସୂଚନା ଦେଇପାରି ନାହାନ୍ତି। ଏପରିକି ସେ ଟଙ୍କା ଦେଣନେଣର କୌଣସି ପ୍ରମାଣ ମଧ୍ୟ ରଖି ନଥିବା ଜଣାପଡ଼ିଛି। ଏସ୍ଥିତିରେ ପୁଲିସ ଆଉ କିଛି ଅଭିଯୋଗକୁ ଅପେକ୍ଷା କରିଥିବା ଟାଉନଥାନା ଅଧିକାରୀ ସୁଶାନ୍ତ ପରିଡ଼ା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର