ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରରେ ତଞ୍ଚକତା କରି ଜଣେ ଏଲଆଇସି ଏଜେଣ୍ଟ ଜଣେ ବୀମାଧାରୀଙ୍କଠାରୁ ୪୫ ଲକ୍ଷ ଟଙ୍କା ଠକି ନେଇଥିବା ଭଳି ଘଟଣା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ଏହି ଥାନା ଅନ୍ତର୍ଗତ ତ୍ରିବଣପୁର ପଞ୍ଚାୟତ ଛନ୍ଦପୁର ଗ୍ରାମର ପଦ୍ମାବତୀ ପ୍ରଧାନଙ୍କ ସ୍ବାମୀ ବିଶ୍ବାମିତ୍ର ପ୍ରଧାନ ସମ୍ପୃକ୍ତ ଏଜେଣ୍ଟଙ୍କ ଜରିଆରେ ଏକ ପଲିସି କରିଥିଲେ। ଆଜିକୁ ୩ ବର୍ଷ ତଳେ ପଲିସିଧାରକ ବିଶ୍ବାମିତ୍ରଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ସମ୍ପୃକ୍ତ ଏଜେଣ୍ଟଜଣକ ବିଶ୍ବାମିତ୍ରଙ୍କ ବୀମା ଅର୍ଥ ପାଇବାକୁ କ୍ଲେମ୍ କରିଥିଲେ। ତାଙ୍କ କହିବା ମୁତାବକ ବିଧବା ପଦ୍ମାବତୀ ସମସ୍ତ କାଗଜ ପତ୍ରରେ ଦସ୍ତଖତ ମଧ୍ୟ କରିଥିଲେ। ଇତିମଧ୍ୟରେ ତା’ଙ୍କ ନାମରେ ଏଲଆଇସି ପକ୍ଷରୁ ୫୦ ଲକ୍ଷ ଟଙ୍କାର ଚେକ୍ ମଧ୍ୟ ଇସ୍ୟୁ ହୋଇଥିଲା। ତାହା ପଦ୍ମାବତୀଙ୍କ ଖାତାରେ ଜମା ମଧ୍ୟ ହୋଇଥିଲା। ହେଲେ ସମ୍ପୃକ୍ତ ଏଜେଣ୍ଟ ଜଣକ ତଞ୍ଚକତା କରି ସେହି ଟଙ୍କାକୁ ହଡ଼ପ କରି ନେଇଥିଲେ। ସେ ପଦ୍ମାବତୀଙ୍କ ଦସ୍ତଖତ ବଳରେ ୫୦ ଲକ୍ଷ ଟଙ୍କା ଉଠାଇ ନେଇଥିବା ବେଳେ ତା’ଙ୍କୁ ମାତ୍ର ୫ ଲକ୍ଷ ଟଙ୍କା ଦେଇ ଅବଶିଷ୍ଟ ୪୫ ଲକ୍ଷ ଟଙ୍କା ହଡ଼ପ କରି ନେଇଥିଲେ। ସେହି ସମୟରେ ପଦ୍ମାବତୀଙ୍କ ଦୁଇପୁଅ ବାହାରେ ରହୁଥିଲେ। ସେମାନେ ଘରକୁ ଆସିବା ପରେ ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ। ପଦ୍ମାବତୀଙ୍କ ପୁଅ ସୌମେନ ଏଲଆଇସି କାର୍ଯ୍ୟାଳୟକୁ ଆସି ପଚାରିବାରୁ ଘଟଣା ସମ୍ପର୍କରେ ଜାଣିପାରି ଥିଲେ। ଘଟଣା ସମ୍ପର୍କରେ ରେଢ଼ାଖୋଲ ଜୀବନ ବୀମା କାର୍ଯ୍ୟାଳୟର ଶାଖା ପରିଚାଳକ ଅନିରୁଦ୍ଧ ସ୍ବାଇଁଙ୍କୁ ପଚାରିବାରୁ ସେ କହିଛନ୍ତି, ‘ମୁଁ ଏହି ଘଟଣା ସମ୍ପର୍କରେ ଅବଗତ ଅଛି। ହେଲେ ଏହି ପଲିସି  ସମ୍ବଲପୁର ବ୍ରାଞ୍ଚ-୧ ଅଧୀନରେ ଯାଉଥିବାରୁ ମୁଁ କିଛି କରିପାରିବି ନାହିଁ। ଏହାଛଡ଼ା ଏଥିରେ ଏଲଆଇସି ଅଫିସର କିଛି ଭୁଲ ନାହିଁ। ଯାହାକିଛି ଅନିୟମିତତା ହୋଇଛି, ତାହା ବ୍ୟାଙ୍କରେ ହିଁ ହୋଇଛି।’ ଏ ସମ୍ପର୍କରେ ଖବର ଲେଖାହେବା ପର୍ଯ୍ୟନ୍ତ ରେଢ଼ାଖୋଲ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଥାନାଧିକାରୀ ସବିତାବାଳା ସେଠୀ କହିଛନ୍ତି।