ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ; ଜେଲଗଲା ଯୁବକ, ଦୁଇଦିନିଆ ରିମାଣ୍ଡରେ ଆଣିବ ପୁଲିସ

ଧଉଳି: ରେଲବାଇରେ ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କ‌ା ଠକି ନେଇଥିବା ଜଣେ ଯୁବକକୁ ଧଉଳି ଥାନା ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ସେ ହେଲା ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ କରୁଣ ଗ୍ରାମର ସରୋଜ କୁମାର ଜେନା (୨୯) । ତେବେ କୋର୍ଟରେ ସରୋଜର ଜାମିନ ନାମଂଜୁର ହେବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଏନେଇ ଧଉଳି ଥାନାରେ ପୃଥକ ପୃଥକ  ମାମଲା ରୁଜୁ ହୋଇଛି । ହେଲେ ମାମଲାରେ ସଂପୃକ୍ତ ମୁଖ୍ୟ ସହଯୋଗୀ କୁହାଯାଉଥିବା ସରୋଜର ପତ୍ନୀକୁ ଗିରଫ କରାଯାଇନଥଇବା ସୂଚନା ମିଳିଛି। ମାମଲାରେ ଆଉ କିଏ ସଂପୃକ୍ତ ଅଛନ୍ତି  ଏବଂ ସମଗ୍ର ଘଟଣାର ସତ୍ୟତା ଜାଣିବା ପାଇଁ ପୁଲିସ ସରୋଜକୁ ଦୁଇଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିବ ବୋଲି ଥାନା ସୂତ୍ରରୁ ଜଣାପଡ଼ିଛି ।

ଅଭିଯୋଗ ମୁତାବକ ଧଉଳି ଥାନା ଅଧୀନ ନୂଆଗାଁ ବିଶାଲ ସିଟି ଲେନ ନଂ ୧ରେ ରହୁଥିଲା । ଓଏଲଏକ୍ସରେ ବିଜ୍ଞାପନ ଦେଇ  ରେଳବାଇରେ ଚାକିରି କରାଇ ଦେବାକୁ କହି ବେକାର ଯୁବକ ଯୁବତୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେିଇଥିବା ସୂଚନା ମିଳିଛି । ପିପିଲି ଥାନା ଅଧୀନ ସାତଶଙ୍ଖ ଗ୍ରାମର ବବିତା ବିଶ୍ବାଳଙ୍କ ଠାରୁ ୩୦ ହଜାର ଟଙ୍କା ଠକି ନେଇଥିଲା । ଅନୁରୂପ ଭାବେ  କଟକ ଜିଲ୍ଲା ଜଗତପୁର ଥାନା ଅଧୀନ ରାମେଶ୍ବର ଗ୍ରାମର ସତ୍ୟରଂଜନ ଜେନାଙ୍କ ଠାରୁ ୬.୪୩ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି ।

ପୁଲିସ ସରୋଜକୁ ଥାନାରେ ପଚରାଉଚରା କରିବା ପରେ ଫୁଲବାଣୀ ଅଞ୍ଚଳର ଜଣେ ବେକାର ଯୁବକଙ୍କ ଠାରୁ ମଧ୍ୟ ଲକ୍ଷାଧିକ ଟଙ୍କା ଠକି ନେଇଥିବା‌ ଜାଣିବାକୁ ପାଇଛି । ତେଣୁ ସମଗ୍ର ଘଟଣା ଉପରୁ ପରଦା ହଟାଇବା ପାଇଁ ପୁଲିସ ସରୋଜକୁ ରିମାଣ୍ଡରେ ଆଣି ସତ୍ୟତା ଜାଣିବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି । ସରୋଜ ରିମାଣ୍ଡରେ ଆସିଲା ପରେ ତା’ର କେଉଁ କେଉଁ ବ୍ୟାଙ୍କ ଆକାଉଣ୍ଟକୁ ଆଉ କାହା ଆକାଉଣ୍ଟରୁ ଟଙ୍କା ଆସିଛି ସେ ନେଇ ମଧ୍ୟ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର