ଛୋଟ ହାତରେ ବଡ଼ କାମ; କୋଭିଡ଼ ଆକ୍ରାନ୍ତଙ୍କୁ ମାଗଣା ଖାଦ୍ୟ ଯୋଗାଉଛନ୍ତି ଭାଇ ଭଉଣୀ

ରାଜଗାଙ୍ଗପୁର: କରୋନା ସଂକ୍ରମିତଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି ଖାଦ୍ୟ। ଘରୁ ବାହାରକୁ ଯାଇ ପାରୁ ନଥିବା ଅନେକ ସଂକ୍ରମିତ ଖାଇବା ମାମଲାରେ ଭାରି ହଇରାଣ ହେଉଛନ୍ତି। ପୁଣି ଲକ୍‌ ଡାଉନ୍‌ କାମକୁ ଯାଇ ପାରୁ ନଥିବା ଦିନମଜୁରିଆ ଓ ରାସ୍ତାକଡ଼ରେ ଜୀବନ କାଟୁଥିବା ଅସହାୟ ଲୋକଙ୍କର ମଧ୍ୟ ସମଦଶା। ଏଭଳି ଲୋକଙ୍କୁ ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଷ୍ଟେସନପଡ଼ା ଫାଟକରେ ରହୁଥିବା ଛାତ୍ର ଛାତ୍ରୀ ଭାଇ ଓ ଭାଉଣୀ ମାଗଣାରେ ଖାଦ୍ୟ ଯୋଗାଇ ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଛନ୍ତି। ‌‌ଏ ମହାମାରୀ ସମୟରେ ସେମାନେ ପ୍ରାୟ ୭୦ ଜଣ ଅସହାୟଙ୍କର ଅନ୍ନଦାତା ସାଜିଛନ୍ତି।

ରାଜଗାଙ୍ଗପୁରର ଜଣେ ସାଧାରଣ ବ୍ୟବସାୟୀ ଦିନେଶ ପୁରୋହିତଙ୍କର ପୁଅ ଲିପିକା ଓ ପୁଅ ହର୍ସ। ଦୁହେଁ ଘରେ ଅନ୍‌ଲାଇନ୍‌ କ୍ଲାସ କରୁଥିବା ସମୟରେ କରୋନା ମହାମାରୀରେ ଆକ୍ରାନ୍ତ ହୋଇଥିବା ଲୋକମାନଙ୍କ ସେବା କରିବା ପାଇଁ ଯୋଜନା କରିଥିଲେ। ବର୍ତ୍ତମାନ ରାଜଗାଙ୍ଗପୁରରେ ଘରେ ଘରେ କରୋନା ଆକ୍ରାନ୍ତଙ୍କର ସଂଖ୍ୟା ବୃଦ୍ଧି ପାଉଛି। ସେମାନଙ୍କ ପାଇଁ ଖାଦ୍ୟ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଏହି ଲୋକଙ୍କୁ ମାଗଣାରେ ଅପରାହ୍ନ ଓ ରାତି ଭୋଜନ ଯୋଗାଇବାପାଇଁ ମନସ୍ଥ କରିଥିଲେ ଭାଇ ଭଉଣୀ।

ସେମାନେ ପ୍ରଥମେ ନିଜର ‘ପକେଟ ମନି’ରୁ ଅଳ୍ପ କେତେଜଣଙ୍କ ପାଇଁ ଭୋଜନ ଯୋଗାଣ ଆରମ୍ଭ କରିଥିଲେ। ନିଜ ଘରେ ମାଆଙ୍କ ଦ୍ବାରା ରନ୍ଧା ଖାଦ୍ୟକୁ ପ୍ରଥମେ ସେମାନେ ନିଜ ପଡ଼ାରେ ରହୁଥିବା କରୋନା ଆକ୍ରାନ୍ତ ୫ଟି ପରିବାରକୁ ଘରକୁ ଘର ଯାଇ ବାଣ୍ଟିଥିଲେ। ସେମାନେ ଯୋଗାଉଥିବା ଖାଦ୍ୟ ପୁଡ଼ିଆରେ ଅପରାହ୍ନରେ ଭାତ, ଡ଼ାଲି ଓ ତରକାରି ଏବଂ ରାତିରେ ରୁଟି ଓ ତରକାରି ଦେଇଥିଲେ। ସେହି ସମୟରେ ପୁଅ ଝିଅଙ୍କ କାମରେ ଖୁସିହୋଇ ବାପା ମଧ୍ୟ ଆର୍ଥିକ ସାହାଯ୍ୟ ଦେଲେ ଓ ନିଜେ ମଧ୍ୟ ହାତ ମିଳାଇଲେ। କ୍ରମଶଃ ସେମାନଙ୍କର କିଛି ବନ୍ଧୁ, ଯଥା, ସୌରଭ ଚାଟାର୍ଜି, ରୋହିତ ଗୋଏଲ ଓ ଆଦିତ୍ୟ କୁମାର ମଧ୍ୟ ସାମିଲ ହେଲେ।

ବର୍ତ୍ତମାନ ପିଲାଙ୍କର ଏହି ଦଳଟି ରାଜଗାଙ୍ଗପୁର ଷ୍ଟେସନରେ ରହୁଥିବା ଅସହାୟ ଲୋକଙ୍କ ଠାରୁ ଆରମ୍ଭ କରି ଶାନ୍ତି ସେବାସଦନ ଓ ଏକ ନର୍ସିଂହୋମ୍‌ରେ ଥିବା ରୋଗୀ ଓ ସେମାନଙ୍କର ପରିବାର ଲୋକଙ୍କୁ ଖାଦ୍ୟ ଯୋଗାଉଛନ୍ତି। ଅତି ଅଧିକ ନହେଲେ ବି ଉଭୟ ଦିନ ଓ ରାତି ଖାଇବାଲାଗି ୭୦ଟି କରି ଖାଦ୍ୟ ପୁଡ଼ିଆ ବାଣ୍ଟୁଛନ୍ତି। ସେମାନଙ୍କର ଏହି ମହତ କାର୍ଯ୍ୟକୁ ଦେଖି ରାଜଗାଙ୍ଗପୁରର ସୁନାମଧନ୍ୟ ଡ଼ାକ୍ତର ଜୟଦେବ ଦାଶ ଆର୍ଥିକ ସହାୟତାର ହାତ ବଢ଼ାଇଛନ୍ତି। ମହାମାରୀ କୋରନା ନିୟନ୍ତ୍ରଣକୁ ଆସିବା ଯାଏ ସେମାନଙ୍କର ଏହି କାର୍ଯ୍ୟ ଚାଲୁ ରହିବ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର