ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ପଞ୍ଚାୟତ ସିଂହବିଲା ଗ୍ରାମରେ ଆଜି ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ହୋଇଛି। ସାଙ୍ଗର ଗୁଳିମାଡ଼ରେ ଗ୍ରାମର ମଦନ ମୋହନ ଦାସଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ଦାସ (୨୨) ଗୁରୁତର ହୋଇଛନ୍ତି। ଗୁଳି ଫୁଟାଇବା ପରେ ସେହି ଗ୍ରାମର ଅଭିଯୁକ୍ତ ବିନୋଦ ପାତ୍ର ଫେରାର ହୋଇଯାଇଛି। ପୂର୍ଣ୍ଣଚନ୍ଦ୍ରଙ୍କ କହିବା ଅନୁଯାୟୀ, ସେ ଓ ବିନୋଦ ଗାଁ ପୋଖରୀ ହୁଡ଼ାରେ ବସି କଥାବାର୍ତ୍ତା ହେଉଥିଲେ। ବିନୋଦ ପାଖକୁ କିଏ ଜଣେ ଫୋନ୍‌ କଲା। ଏହାପରେ ବିନୋଦ ମଦ ଆଣିବା ପାଇଁ ଯିବାକୁ କହିଥିଲା।

Advertisment

ପୂର୍ଣ୍ଣଚନ୍ଦ୍ର ବାଇକ୍‌ ଷ୍ଟାର୍ଟ କରିବା ପରେ ପଛରେ ବସିଥିବା ବିନୋଦ ତାଙ୍କ ମୁଣ୍ଡ ପଛ‌କୁ ଗୁଳି ମାରିଥିଲା। ପୂର୍ଣ୍ଣଚନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ହରିଚନ୍ଦନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁଳିଟି ମୁଣ୍ଡ  ଭିତରେ ଅଛି ନା ଖପୁରୀରେ ବାଜି ବାହାରକୁ ଚାଲିଯାଇଛି ତାହା ଜଣାପଡ଼ୁ ନାହିଁ ବୋଲି ଡାକ୍ତର ରାଧାକୃଷ୍ଣ ମିଶ୍ର କହିଛନ୍ତି। ସ୍କାନିଂ ପାଇଁ ତାଙ୍କୁ କେନ୍ଦୁଝର ଡାକ୍ତରଖାନା ପଠାଯିବ ବୋଲି ଡାକ୍ତର କହିଛନ୍ତି। ତେବେ ପୂର୍ଣ୍ଣଚନ୍ଦ୍ର କଥାବାର୍ତ୍ତା କରୁଛନ୍ତି। ଅନ୍ୟପକ୍ଷରେ ପୁଲିସ ଅଭିଯୁକ୍ତ ବିନୋଦକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।