ପାଟଣା: କୋପ କରିଛନ୍ତି ଇନ୍ଦ୍ର ଦେବତା। ଧରା ଶ୍ରାବଣରେ ବର୍ଷା ନାହିଁ। ଚାଷକାମ ପଛେଇ ଯାଇଛି। ଭଲ ବର୍ଷା ପାଇଁ ଆଜି ପାଟଣା ବ୍ଲକ୍‌ ଗୋଡ଼ିପୋଖରୀ ଗ୍ରାମରେ ଲୋକେ ଇନ୍ଦ୍ରଯଜ୍ଞ କରିବା ସହ ବେଙ୍ଗ-ବେଙ୍ଗୁଲୀ ବାହାଘର କରିଛନ୍ତି। ଏପରି କରିବା ଦ୍ବାରା ଭଲ ବର୍ଷା ହେବ ବୋଲି ଗ୍ରାମବାସୀ କହିଛନ୍ତି।

Advertisment

ଗ୍ରାମର ଶତାଧିକ ପୁରୁଷ, ମହିଳା ଆଜି ଗାଁର ଠାକୁରାଣୀ ଶାଳରେ ଏକାଟି ହୋଇଥିଲେ। ଦେହୁରୀ ପୂଜାର୍ଚ୍ଚନା କରିବା ପରେ ମହିଳାମାନେ ଭଜନକୀର୍ତ୍ତନ କରିଥିଲେ। ଗ୍ରାମ ଦେବତୀଙ୍କ ନିକଟରେ ପୂଜା କରିବା ପରେ କଳସରେ ଏକ ବେଙ୍ଗକୁ ନେଇ ଗାଁ ପରିକ୍ରମା କରିଥିଲେ। ଗାଁ ମୁଣ୍ଡରେ ବେଙ୍ଗ-ବେଙ୍ଗୁଲୀ ବାହାଘର କରାଯିବା ପରେ ଭଜନକୀର୍ତ୍ତନ କରାଯାଇଥିଲା। ପରେ ବେଙ୍ଗ-ବେଙ୍ଗୁଲୀକୁ ନିକଟସ୍ଥ ପୋଖରୀରେ ଛଡ଼ାଯାଇଥିଲା। ଏହାପରେ ଇନ୍ଦ୍ରଯଜ୍ଞ କରାଯାଇଥିଲା। ପୂଜକ ଦେବେନ୍ଦ୍ର ତ୍ରିପାଠୀ ପୂଜାର୍ଚ୍ଚନା କରିଥିବା ବେଳେ ଗ୍ରାମବାସୀ ଭଲ ବର୍ଷା ପାଇଁ ଇନ୍ଦ୍ରଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଗ୍ରାମର ରବୀନ୍ଦ୍ର ନାଏକ, ତ୍ରିଲୋଚନ ନାଏକ, କହ୍ନେଇ ଚରଣ ନାଏକ, ପ୍ରେମାନନ୍ଦ ନାଏକ, ବେଣୁଧର ନାଏକ, ରାସବିହାରୀ ନାଏକ, କୃଷ୍ଣଚନ୍ଦ୍ର ମହାନ୍ତ, ବିଭୀଷଣ ମହାନ୍ତ, ଆନନ୍ଦ ନାଏକ, ଉପେନ୍ଦ୍ର ନାଏକ, ଚିନ୍ତାମଣି ନାଏକ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।