ଟମକା: ଗତକାଲି ମଧ୍ୟରାତ୍ରରେ ହୋଇଥିବା ଘୂର୍ଣ୍ଣିଝଡ଼ରେ ଟମକା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଝଡ଼ତୋଫାନରେ ଚାଳଛପର ଘର, ସିମେଣ୍ଟ ଖୁଣ୍ଟ ଓ ଆଜବେଷ୍ଟସ ଘର ମଧ୍ୟ ମାଟିରେ ମିଶିଯାଇଛି। ଏଥିରେ ଟମକା ଥାନା ଅନ୍ତର୍ଗତ ଗୋବର୍ଦ୍ଧନପୁର ପଞ୍ଚାୟତ ତାରୀ ଗାଁର ୧୫ ନମ୍ବର ୱାର୍ଡ ବାସିନ୍ଦା ବୁଡ଼ାନସିଂ ଲାମାଏଙ୍କ ଆଜବେଷ୍ଟସ ଘର ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛି। ଏହି ଝଡ଼ତୋଫାନରେ ଗୋଟିଏ ବଖରାରେ ଶୋଇଥିବା ବୁଡ଼ାନ ସିଂ ଓ ପତ୍ନୀ ସୁରୁ ଲାମାଏ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଅନ୍ୟ ବଖରାରେ ଥିବା ଗୃହପାଳିତ ପ୍ରାଣୀମାନଙ୍କର ମଧ୍ୟ କିଛି କ୍ଷତି ହୋଇନାହିଁ।
ସେହିପରି ବୁଡ଼ାନଙ୍କ ୬ଜଣ ପିଲା ଅନ୍ୟ ଏକ ଘରେ ଥିବାରୁ ରକ୍ଷା ପାଇଯାଇଛନ୍ତି। ଏହି ଘଟଣା ପରେ ସାହି ଲୋକମାନେ ପହଞ୍ଚି ଲାମାଏ ଦମ୍ପତିଙ୍କୁ ଉଦ୍ଧାର କରିବା ସହ ଗୋବର୍ଦ୍ଧନପୁର ସରପଞ୍ଚ ଶୁକଦେବ ମହାନ୍ତିଙ୍କୁ ସୂଚନା ଦେଇଥିଲେ। ସରପଞ୍ଚ ଶ୍ରୀ ମହାନ୍ତି ଓ ଟମକା ପୁଲିସ ପହଞ୍ଚି କ୍ଷତିଗ୍ରସ୍ତ ପରିବାରକୁ ନେଇ ସୁରକ୍ଷିତ ସ୍ଥାନରେ ଥଇଥାନ କରିଥିଲେ। ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରକୁ ସହାୟତା ପ୍ରଦାନ କରିବାକୁ ସରପଞ୍ଚ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/28-15.jpg)