ଅବସର ପରେ ଚାଷରେ ମନ ଲଗାଇଛନ୍ତି ରାମେଶ୍ୱର

ବିଂଝାରପୁର,: ଅବସର ପରେ ଫଳ ବଗିଚାରେ ସମୟ କଟୁଛି। ବୟସ ୬୦ ଅତିକ୍ରମ କରିବା ପରେ ସେ ଗଛ ଲଗାଇବା ଓ ଯତ୍ନ ନେବାରେ ନିଜକୁ ନିୟୋଜିତ କରିଛନ୍ତି। ବିଂଝାରପୁର ବ୍ଲକ କପିଳା ପଞ୍ଚାୟତ କପିଳା ଗ୍ରାମର ରାମେଶ୍ୱର ପ୍ରସାଦ ସାମଲ। ପିଲାଦିନୁ ଚାଷ ପ୍ରତି ତାଙ୍କର ଆଗ୍ରହ ଥିଲା। ସେ ଅଳକୁଣ୍ଡସ୍ଥିତ ଆଞ୍ଚଳିକ ବଳଦେବ ଜିଉ ମହିଳା ଡିଗ୍ରି ମହାବିଦ୍ୟାଳୟର ମୁଖ୍ୟ କିରାଣି ଭାବେ କାର୍ଯ୍ୟ କରୁଥିଲେ। ସେ ଗତବର୍ଷ ଏପ୍ରିଲ ମାସରେ ଅବସର ନେଇଛନ୍ତି। ଅବସର ପରେ ଚାଷକୁ ସଂପୂର୍ଣ୍ଣ ଭାବେ ସେ ନିଜର କରିନେଇଛନ୍ତି।

ନିଜ ଘରଠାରୁ ୧ କିଲୋମିଟର ଦୂର କପିଳା-ମାଁସଡ଼ା ମୁଖ୍ୟ ରାସ୍ତା କଡ଼ରେ ନିଜର ୧୦ ଏକର ଜମି ମଧ୍ୟରୁ ୫ ଏକର ଜମିରେ ଧାନ ଫସଲ କରୁଛନ୍ତି। ଅବଶିଷ୍ଟ ୫ ଏକର ମଧ୍ୟରୁ ୩ ଏକର ଜମିରେ ପୋଖରୀ ଖୋଳି ମାଛ ଚାଷ କରିଛନ୍ତି। ଅନ୍ୟ ଦୁଇ ଏକର ଜମିକୁ ବାଡ଼ ଘେରି ସେଥିରେ ଫଳ ବଗିଚା କରିଛନ୍ତି। ତାଙ୍କ ବଗିଚାରେ ବିଭିନ୍ନ କିସମର ଦେଶୀବିଦେଶୀ ଆମ୍ବ ସହିତ ନଡ଼ିଆ, ପଣସ, କଦଳୀ, ଗୁଆଗଛ ଓ ବିଭିନ୍ନ ପରିବା ଚାଷ ହୋଇଛି। ସେହି ରାସ୍ତା ଦେଇ ଯାଉଥିବା ଲୋକମାନେ ମଧ୍ୟ ତାଙ୍କ ବଗିଚା ଦେଖି ଦଣ୍ଡେ ଅଟକିଯାଉଛନ୍ତି। ସେ ଚାକିରିରେ ଥିଲାବେଳେ ବଗିଚା କାମ ଆରମ୍ଭ କରିଥିଲେ। ନିଜେ ପରିଶ୍ରମ କରିବାସହ ଶ୍ରମିକଙ୍କ ଦ୍ୱାରା କାର୍ଯ୍ୟ କରୁଥିଲେ। ଅବସର ନେଲାପରେ ସେ ନିଜେ ସଂପୂର୍ଣ୍ଣ ଭାବେ ବଗିଚା କାମରେ ଲାଗିଛନ୍ତି। ସଫଳତାର ସହ ଧାନଚାଷ କରୁଥିବାବେଳେ ମାଛ ଚାଷରେ ମଧ୍ୟ ଭଲ ଲାଭ ହେଉଛି। ସେହିପରି ନିଜ ବଗିଚାରେ ଦେଶୀବିଦେଶୀ ବିଭିନ୍ନ କିସମର ଆମ୍ବଗଛ ଲଗାଇଛନ୍ତି। ଭଲ ଫଳ ମଧ୍ୟ ଆସିଛି। ସେହିପରି ବିଭିନ୍ନ କିସମର କଦଳୀ ଗଛ ଲଗାଇଛନ୍ତି। ବଗିଚା କାମ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ଆତ୍ମସନ୍ତୋଷ ମିଳୁଛି ବୋଲି ସେ କହନ୍ତି।

ସମ୍ବନ୍ଧିତ ଖବର