ଏନ୍‌ଆଇଟି ଛାତ୍ରଙ୍କୁ ‘ଫୁଲ୍‌ବ୍ରାଇଟ୍‌-କଲାମ୍’ ଜଳବାୟୁ ଫେଲୋସିପ୍

ଏହି ସଫଳତା ପାଇବାରେ ମନୋଜ ହରିହରନ ଅନୁଷ୍ଠାନ ଇତିହାସରେ ପ୍ରଥମ

ରାଉରକେଲା: ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ର ପୃଥିବୀ ଓ ବାୟୁମଣ୍ଡଳ ବିଜ୍ଞାନର ପିଏଚ୍‌ଡି ଛାତ୍ର ମନୋଜ ହରିହରନ୍ ‘ଫୁଲବ୍ରାଇଟ୍-କଲାମ ଜଳବାୟୁ ଫେଲୋସିପ୍’ ପାଇବାରେ ଯୋଗ୍ୟ ବିବେଚିତ ହୋଇଛନ୍ତି। ବିଭାଗର ପ୍ରଫେସର ଭୀଷ୍ମ ତ୍ୟାଗୀଙ୍କ ତତ୍ତ୍ୱାବଧାନରେ ମନୋଜ ଗବେଷଣା ପାଇଁ ଏହି ଫେଲୋସିପ୍‌ ପାଇଛନ୍ତି। ସେ ଆମେରିକାର କଲୋରଡୋରେ ଗବେଷଣା କରିବେ। ଏହି ଫୋଲୋସିପ୍‌ ପାଇବାରେ ମନୋଜ ହେଉଛନ୍ତି ପ୍ରଥମ ଏନ୍‌ଆଇଟି ଛାତ୍ର। ସଫଳତା ନେଇ ମନୋଜ କହିଛନ୍ତି, ଏହି ସଫଳତା ବହୁମାତ୍ରାରେ ଆନନ୍ଦିତ କରିଛି। ଏହା ପଛରେ ବିଭାଗର ବହୁମୂଲ୍ୟ ଅବଦାନ ରହିଛି। ଠିକ୍ ସମୟରେ ସଠିକ୍ ମାର୍ଗଦର୍ଶନ ମିଳିବାସହ ପରାମର୍ଶଦାତା ପ୍ରଫେସର ଭୀଷ୍ମ ତ୍ୟାଗୀଙ୍କଠାରୁ ଆକୁଣ୍ଠ ସାହଯ୍ୟସହଯୋଗ ପାଇଥିବା କହିଛନ୍ତି। ଏନେଇ ପ୍ରଫେସର ତ୍ୟାଗୀ କହିଛନ୍ତି, ମନୋଜଙ୍କ ସଫଳତା ସମଗ୍ର ଅନୁଷ୍ଠାନ ପାଇଁ ଗର୍ବ ଆଣିଦେଇଛି। ନୂଆ ପ୍ରସଙ୍ଗରେ ଜ୍ଞାନ ଆହରଣ କରିବାର ନିରନ୍ତର ପ୍ରୟାସ ତଥା ପ୍ରତ୍ୟେକ କାର୍ଯ୍ୟରେ ଉତ୍କୃଷ୍ଟତା ବଜାୟ ରଖିବା ତାଙ୍କୁ ଏକ ଆଦର୍ଶ ଗବେଷକଭାବେ ଗଢ଼ି ତୋଲିଛି। ଏହି ଫେଲୋସିପ୍‌ ତାଙ୍କୁ ଅଧିକରୁ ଅଧିକ ଅନୁସନ୍ଧାନ ପାଇଁ ପର୍ଯ୍ୟାପ୍ତ ସୁଯୋଗ ଯୋଗାଇବବୋଲି କହିଛନ୍ତି ।

ପ୍ରକାଶଥାଉକି, ୟୁଏସ୍‌-ଇଣ୍ଡିଆ ଏଜୁକେସନାଲ ଫାଉଣ୍ଡେସନ(ୟୁଏସ୍‌ଆଇଇଏଫ୍‌) ପକ୍ଷରୁ ଜଳବାୟୁ ଗବେଷଣା ଓ ଶିକ୍ଷା ସହ ଜଡ଼ିତ ଉଭୟ ଦେଶର ଗବେଷକମାନଙ୍କୁ ଫୁଲବ୍ରାଇଟ୍-କଲାମ ଜଳବାୟୁ ଫେଲୋସିପ୍ ପ୍ରଦାନ କରାଯାଇଥାଏ। ଚଳିତବର୍ଷ ଦେଶର ୪ ଜଣଙ୍କୁ ଏହି ମର୍ଯ୍ୟାଜନକ ଫେଲୋସିପ୍‌ ମିଳିଛି। ଏମାନେ ଏନ୍‌ସିଏଆର୍‌ ଆମେରିକାର ଲାବୋରେଟୋରୀରେ ୯ ମାସ ଧରି ଗବେଷଣା କରିବେ। ଏହାସହ ବିଶ୍ବର ବଛାବଛା ବୈଜ୍ଞାନିକ ସହ କାର୍ଯ୍ୟ କରିବାର ସୁଯୋଗ ପାଇବେ। ଏହାପୂର୍ବରୁ ଏନ୍‌ଆଇଟି ଆର୍ଥ‌୍ ଓ ବାୟୂମଣ୍ଡଳ ବିଭାଗ ମୁଖ୍ୟ ପ୍ରଫେସର ଜଗବନ୍ଧୁ ପଣ୍ଡାଙ୍କ ତତ୍ତ୍ୱାବଧାନରେ ତିନି ପୂର୍ବତନ ପିଏଚ୍‌ଡି ଛାତ୍ରଛାତ୍ରୀ ଡ. କସ୍ତୁରୀ ସିଂ, ଡ. ସୁଧାଂଶୁ ସେଖର ରଥ, ଡ. ବିଜୟ ଗୁହା ପ୍ରମୁଖ ଯଥାକ୍ରମେ ୟୁକେ, ଆମେରିକା ଓ ୟୁଏଇରେ ପୋଷ୍ଟ୍‌ ଡକ୍ଟରେଟ ଫେଲୋସିପ୍ ଗ୍ରହଣ କରିବାରେ ସଫଳ ହୋଇଥିଲେ।

ସମ୍ବନ୍ଧିତ ଖବର