ଘୁ.ଉଦୟଗିରି: ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ କନ୍ଧମାଳ ଜିଲ୍ଲା ପର୍ଯ୍ୟଟନକ୍ଷେତ୍ର ପାଇଁ ଯେତିକି ପରିଚିତ ତାହାର କଳା, ସଂସ୍କୃତି, ପରମ୍ପରାକୁ ନେଇ ସେତିକି ଗର୍ବିତ। ଏଠାରେ ପ୍ରକୃତି ଖୁନ୍ଦି ଦେଇଛି। ହେଲେ ତାର ସୁବିନିଯୋଗ କରିବାରେ ସରକାରୀ କଳ ବିଫଳ ଯାହାର ପରିଣାମ ସ୍ୱରୂପ ସ୍ଥାନୀୟ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ହୋଇପାରିନି। କାମଧନ୍ଦା ଅଭାବରୁ ଯୁବପିଢ଼ି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି।
ପର୍ଯ୍ୟଟକଙ୍କ ମନ କିଣି ନେଉଥିବା ଲୋକ ନୃତ୍ୟ, ବେଶଭୂଷା, ଭାଷା, ଦେଶ ବିଦେଶରେ ସ୍ୱତନ୍ତ୍ର ହୋଇଥିବା ବେଳେ ଏହାର ପ୍ରାକୃତିକ ଖାଦ୍ୟ ପଦାର୍ଥ ବିଶ୍ବ ବିଖ୍ୟାତ। ହେଲେ ସରକାରୀ ଅବହେଳା, ପ୍ରଶାସନିକ ଆନ୍ତରିକତା ଅଭାବରୁ ନା ପର୍ଯ୍ୟଟନସ୍ଥଳ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି ନା ସଂସ୍କୃତି ପରମ୍ପରାକୁ ଦୃଷ୍ଟି ଦିଆଯାଇଛି।
ଫଳରେ ଆଜି ସେମିତି ଅବହେଳିତ ଅବସ୍ଥାରେ ଯୁବପିଢ଼ି ପେଟକୁ ଦାନା ଯୋଗାଡ କରିବା ରାଜ୍ଯ ବାହାରକୁ ଯାଉଥିବା ବେଳେ ଖାଦ୍ୟ ଅଭାବରୁ ଆମ୍ବ କୋଇଲି ଖାଇ ଜୀବନ ମଧ୍ୟ ଯାଉଛି। ପର୍ଯ୍ୟଟନସ୍ଥଳର ବିକାଶ, ସଂସ୍କୃତି ପରମ୍ପରା, ସହିତ ପ୍ରାକୃତିକ ଖାଦ୍ୟ ସାମଗ୍ରୀର ପ୍ରଚାର ପ୍ରସାର ହିଁ ଜିଲ୍ଲାର ଭାଗ୍ୟ ବଦଳାଇବା ଭଳି ସମ୍ଭାବନା ରହିଥିଲେ ମଧ୍ଯ ସେଥିପ୍ରତି ଦୃଷ୍ଟି ନଦେବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଅଞ୍ଚଳବାସୀ।
ଯାହାର ଜ୍ୱଳନ୍ତ ଉଦାହରଣ ଘୁ.ଉଦୟଗିରିକୁ ନିଆଯାଇପାରେ। ସ୍ଥାନୀୟ ବ୍ଲକରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପର୍ଯ୍ୟଟନସ୍ଥଳ ରହିଛି। ଆଉ ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ପାଇଁ ଭରପୂର ସୌନ୍ଦର୍ଯ୍ୟ ରହୁଥିବା ବେଳେ ଏଥିପାଇଁ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଦୃଷ୍ଟି ଦିଆ ନ ଯିବା ଫଳର ନିରାଶ ହୋଇଛନ୍ତି ପର୍ଯ୍ୟଟକ, ଅଞ୍ଚଳବାସୀ।
ଦୀର୍ଘ ବର୍ଷ ହେଲା ଘୁ.ଉଦୟଗିରି ରାଜ୍ଯର ସବୁଠାରୁ ଶୀତଳ ସହର ଭାବେ ପରିଚତ ହୋଇଆସୁଥିଲେ ମଧ୍ୟ ସରକାରଙ୍କ ତରଫରୁ ଘୁ.ଉଦୟଗିରିରେ ଶୀତ ମହୋତ୍ସବ ଆୟୋଜନ ନ କରିବା ସହିତ, ପର୍ଯ୍ୟଟନ ସ୍ଥଳ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ନଦେବା ସମସ୍ତଙ୍କୁ ନିରାଶ କରିଛି।
ଅଞ୍ଚଳରେ ମନୋରଞ୍ଜନ ବୋଲି କିଛି କାଯ୍ଯକ୍ରମ ନ ଥିବା ବେଳେ ଏହାର ପ୍ରଚାର ପ୍ରସାରରେ ଯେମିତି ସରକାରଙ୍କ ଆନ୍ତରିକତା ନ ଥିବା କଥାକୁ ହ୍ରୁଦୟଙ୍ଗମ କରିଛନ୍ତି ଜନତା। ଅସଲ ବିକାଶ ପ୍ରତି ଦୃଷ୍ଟି ନଦେଇ କେବଳ ବିକାଶ କଥାରେ କଥାରେ କୁହାଯାଉଥିବା ଅଭିଯୋଗ କରିଛନ୍ତି ସାଧାରଣ ଲୋକେ।
ଅଧିକ ପଢ଼ନ୍ତୁ: ରସୁଲଗଡ ଫ୍ଲାଏ ଓଭର ହତ୍ୟା: ଅଭିଯୁକ୍ତଙ୍କ ମୃତ୍ୟୁଦଣ୍ଡ ଦାବିରେ ପ୍ରଦର୍ଶନ
ତେଣୁ ରାଜ୍ୟର ସବୁଠାରୁ ଥଣ୍ଡା ସହରର ଭାବେ ପରିଚିତ ଘୁ.ଉଦୟଗିରି ସହରରେ ଜିଲ୍ଲାସ୍ତରୀୟ ଶୀତ ମହୋତ୍ସବ ଆୟୋଜନ କରିବା ସହିତ ଘୁ.ଉଦୟଗିରି ବ୍ଲକରେ ରହିଥିବା ପର୍ଯ୍ୟଟନସ୍ଥଳ ଗୁଡ଼ିକ ପ୍ରତି ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଇ ଏହାର ବିକାଶ କଲେ ଅଞ୍ଚଳର ପ୍ରକୃତ ବିକାଶ ହୋଇପାରିବ ବୋଲି ସମସ୍ତ ଅଞ୍ଚଳବାସୀ ମତ ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ପତ୍ନୀଙ୍କ ମୃତ୍ୟୁ ଖବର ଭାଇରାଲ୍ ଭିଡିଓରୁ ଜାଣିଲେ ଭେଙ୍କଟେଶ