ଘୁ. ଉଦୟଗିରି: ଦୀର୍ଘ ବର୍ଷର ପରମ୍ପରା ଭାଙ୍ଗିବାକୁ ଯାଉଛି ପ୍ରଶାସନ। ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ହବାକ୍ ଉଚ୍ଚବିଦ୍ୟାଳୟ ଖେଳ ପଡ଼ିଆ ଠାରେ ପ୍ରତିବର୍ଷ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସାମୁହିକ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥାଏ। ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ମୁଖ୍ୟ ଅତିଥିଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ ପରେ ସାମୁହିକ ପରେଡ ପ୍ରଦର୍ଶନ କରିବା ସହ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇଥାନ୍ତି ଓ ଦେଶର ଏହି ମହାପର୍ବକୁ ମହା ଆଡ଼ମ୍ବରରେ ପାଳନ କରିଥାନ୍ତି। କିନ୍ତୁ ଚଳିତ ବର୍ଷ ଘୁମୁସର ଉଦୟଗିରିରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ଅନିଶ୍ଚିତତା ମଧ୍ୟରେ ରହିବା ଅତ୍ୟନ୍ତ ଲଜ୍ଜାଜନକ।

Advertisment

ସାଧାରଣତନ୍ତ୍ର ଦିବସକୁ ଆଉ ମାତ୍ର ୮ ଦିନ ବାକି ଥିବାବେଳେ ବର୍ତ୍ତମାନ ସୁଦ୍ଧା ଉକ୍ତ ବିଭାଗ ତଥା ପ୍ରଶାସନ ତରଫରୁ ପ୍ରସ୍ତୁତି ବୈଠକ କରାଯାଇନାହିଁ, ଯାହାକି ଚଳିତ ମାସ ପ୍ରଥମ ସପ୍ତାହ ସୁଦ୍ଧା କରାଯିବା କଥା। ଫଳରେ ସାମୁହିକ ପରେଡରେ ଅଂଶଗ୍ରହଣ କରୁଥିବା ୧୫ରୁ ଊର୍ଦ୍ଧ୍ବ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଏ ପର୍ଯ୍ୟନ୍ତ ଉକ୍ତ ଦିବସ ପାଳନ ବିଷୟରେ ଅବଗତ ନ ଥିବା ଶୁଣିବାକୁ ମିଳୁଛି।

ସୂଚନା ଅନୁସାରେ ଘୁ. ଉଦୟଗିରି ଠାରେ ଦୀର୍ଘ ଦିନ ହେବ ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟରେ କୌଣସି କର୍ମଚାରୀ ନଥିବାରୁ ତାଲା ଝୁଲୁଛି। ବିଭାଗୀୟ କର୍ମଚାରୀ ନଥିବାରୁ ସାଧାରଣତନ୍ତ୍ର ଓ ସ୍ଵାଧୀନତା ଦିବସ ଭଳି ଗୁରୁତ୍ୱପୂର୍ଣ୍ଣ ଦିବସ ପାଳନ ଆୟୋଜନ ନିମନ୍ତେ ଅସୁବିଧା ହେଉଛି। ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଏ ସମ୍ପର୍କରେ ଭଲ ଭାବେ ଅବଗତ ଥିଲେ ମଧ୍ୟ ସକାରାତ୍ମକ ମନୋଭାବ ନେଇ କୌଣସି ପଦକ୍ଷେପ ଗ୍ରହଣ ନକରିବା ଦୁଃଖ ଓ ପରିତାପର ବିଷୟ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି। ଘୁ. ଉଦୟଗିରି ଭଳି ସ୍ଥାନରେ ଯେଉଁଠି ଜଣେ ଅତିରିକ୍ତ ଉପଜିଲ୍ଲାପାଳ, ବିଡିଓ ଏବଂ ତହସିଲଦାର କାର୍ଯ୍ୟରତ ସେଠାରେ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଆୟୋଜନରେ ପ୍ରଶାସନ ପକ୍ଷରୁ ଏପରି ବ୍ୟତିକ୍ରମ ତଥା ଅବହେଳା କରାଯିବା ଦେଶ ସ୍ଵାଧୀନ ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ଦେଶ ଭକ୍ତ ଓ ବୀର ସହିଦ୍ ମାନଙ୍କୁ ଅବମାନନା କରିବା ସହ ଗଣତନ୍ତ୍ରର ହତ୍ୟା କରାଯିବା ସଦୃଶ ବୋଲି ବୁଦ୍ଧିଜିବୀ ମତ ପ୍ରକାଶ କରିଛନ୍ତି। ଯାଥା ଶୀଘ୍ର ଜିଲ୍ଲାର ପ୍ରାଶାସନିକ ମୁଖ୍ୟ ଜିଲ୍ଲାପାଳ ମହୋଦୟ ଦାୟିତ୍ୱବାନ ହେବା ସହ ଦେଶର ପରମ୍ପରା ଓ ସଂସ୍କୃତିକୁ ସମ୍ମାନ ଜଣାଇ ଏହି ସମସ୍ୟାର ସମାଧାନ କରି ସ୍ଥାନୀୟ ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟରେ କର୍ମଚାରୀ ନିଯୁକ୍ତି ଦେବା ସହ ବିଭାଗର ପ୍ରମୁଖ ଦାୟିତ୍ୱବାନ କାର୍ଯ୍ୟ ସମ୍ପାଦନ କରିବା ସହ ସାମୁହିକ ସାଧାରଣତନ୍ତ୍ର ଦିବସ ପାଳନକୁ ଆୟୋଜନ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।