ଗାଭାଲି ପରାଗ ହର୍ଷଦ ସୁନ୍ଦରଗଡ଼ ଜିଲ୍ଲାପାଳ, ନିଖିଲ ପବନ ସିଏମସି କମିସନର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ବଦଳି ହୋଇଛି। ତାଙ୍କ ସ୍ଥାନରେ ନୂଆ ଜିଲ୍ଲାପାଳ ଭାବେ ଡ. ଗାଭାଲି ପରାଗ ହର୍ଷଦଙ୍କୁ ନିଯୁକ୍ତି ଦିଆଯାଇଛି। ୨୦୧୩ ବ୍ୟାଚର ଏହି ଆଇଏଏସ ଅଧିକାରୀ ଶିକ୍ଷାନବିସ ଭାବେ କିଛି ମାସ ବିଭିନ୍ନ ଜିଲ୍ଲାରେ କାଟିବା ପରେ ପ୍ରଥମେ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଯୋଗ ଦେଇଥିଲେ। ଏହା ପରେ ୨୦୧୮ ଅଗଷ୍ଟ ୮ରେ ପ୍ରଥମ କରି ଜିଲ୍ଲାପାଳ ଭାବେ କଳାହାଣ୍ଡିରେ କାର୍ଯ୍ୟ ଆରମ୍ଭ କରିଥିଲେ। ସେଠାରେ ୩ ବର୍ଷ ୧୦ ମାସ ଦାୟିତ୍ବ ନିର୍ବାହ କରି ଏବେ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି।

ବିଦାୟୀ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ୨୦୧୯ ଜୁନ ୨୯ରେ ସୁନ୍ଦରଗଡ଼ରେ ଯୋଗ ଦେଇ ବହୁ ବିକାଶମୂଳକ କାମ ଆରମ୍ଭ କରିଥିଲେ। ତାଙ୍କ ଉଦ୍ୟମରେ ଜିଲ୍ଲାରେ ଏକ ନିଆରା କାର୍ଯ୍ୟକ୍ରମ ବହିପଢ଼ ଅଭିଯାନ ଆରମ୍ଭ ହୋଇଥିଲା। ସହର ଠାରୁ ଗ୍ରାମାଞ୍ଚଳ ଓ ସମସ୍ତ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟରେ ସେ ନୂଆ ପାଠାଗାର ଖୋଲି ଲୋକଙ୍କୁ ପଢ଼ିବାକୁ ଆହ୍ବାନ ଦେଇଥିଲେ। ଏହା ଛଡ଼ା ତାଙ୍କ ସମୟରେ ବୃହତ ପ୍ରକଳ୍ପ ସବୁ ହାତକୁ ନିଆଯାଇଥିଲା। ବିବାଦୀୟସ୍ଥିତିରେ ଥିଲେ ମଧ୍ୟ ବିଜୁଳି ବନ୍ଧ ସୌନ୍ଦର୍ଯ୍ୟକରଣ, ଭବାନୀଭବନ ପଡ଼ିଆରେ ବିବିଧ କ୍ରୀଡ଼ା ଭିତ୍ତିଭୂମି ପ୍ରତିଷ୍ଠା ଓ ଜିଲ୍ଲା କ୍ରୀଡ଼ା ସଂସଦ ଷ୍ଟାଡ଼ିୟମର ଉନ୍ନତିକରଣ, ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆମ୍ବୁଲାନ୍ସ ସେବା, ବାଇକ୍ ଆମ୍ବୁଲାନ୍ସ, କୋଇଡ଼ାରେ ଆଇଟିଆଇ ପ୍ରତିଷ୍ଠା, ଗର୍ଭବତୀ, ପ୍ରସୂତିଙ୍କ ସେବା ପାଇଁ ମା ଗୃହ, ଅଙ୍ଗନବାଡ଼ି ଖାଦ୍ୟରେ ମାଣ୍ଡିଆକୁ ସାମିଲ କରିବା ପରି ଅନେକ ଉନ୍ନତିମୂଳକ କାମ ଆରମ୍ଭ କରିଥିଲେ ସେ। ୨୦୧୮ ଜାନୁଆରିରେ ଢେଙ୍କାନାଳ ଜିଲ୍ଲାପାଳ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ଶ୍ରୀ କଲ୍ୟାଣ ସେଠାରେ ୨୦୧୯ ଜୁନ୍ ୨୯ ଯାଏ ବିତାଇ ସୁନ୍ଦରଗଡ଼ ଆସିଥିଲେ।

ସମ୍ବନ୍ଧିତ ଖବର