ପାଚିପେଣ୍ଟା, ବୋରାମୁଠା ପରି କୋଟିଆ ବି ଯିବା ଆଶଙ୍କା ; ରାଜସ୍ବ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଦାଧର

ନିଘୋଡ ନିଦରେ ଶୋଇଛନ୍ତି ସରକାର: ତାରା

କୋରାପୁଟ : ‘ଅତୀତର ଜୟପୁର ପଟାଙ୍ଗି ତହସିଲରେ ରହିଥିବା ପାଚିପେଣ୍ଟା, ବୋରାମୁଠା ପରି କୋଟିଆ ବି ହାତରୁ ଯିବ। ଆନ୍ଧ୍ରର ଉପନିବେଶବାଦ ମନୋଭାବ ଯୋଗୁଁ ପୂର୍ବରୁ ଓଡ଼ିଶା ହାତରେ ରହିଥିବା ପାଚିପେଣ୍ଟା ଓ ବୋରାମୁଠା  ପରି ଦୁଇ ଜମିଦାରୀକୁ ହାତରୁ ଯାଇଥିବାବେଳେ କୋଟିଆ ମଧ୍ୟ ସମାନ ଉପାୟରେ ନେଇଯିବ ଆନ୍ଧ୍ର।’ ଏପରି ଆଶଙ୍କା କରି ଆଜି ସ୍ଥାନୀୟ ଆଦିବାସୀ ସଂଗ୍ରହାଳୟରେ କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ଏକ ସମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହାସହ ଓଡ଼ିଶାର ରାଜସ୍ବ ମନ୍ତ୍ରୀଙ୍କୁ ଏକ ତିନି ଦଫା ଦାବି ଥିବା ଏକ ଦାବିପତ୍ର ପ୍ରଦାନ କରିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।  ସେ କହିଛନ୍ତି ଯେ ସ୍ବାଧୀନତା ପରଠାରୁ ଓଡ଼ିଶାରେ ବହୁ ସରକାର ଆସିଛନ୍ତି ଓ ଯାଇଛନ୍ତି ହେଲେ ଏହି ଆନ୍ଧ୍ରର ଉପନିବେଶବାଦ ବିରୋଧରେ ସ୍ବର ଉତ୍ତ‌ୋଳନ କରି ନାହାନ୍ତି। ଏହାର ସୁଯୋଗ ନେଇ ଏହି ଆନ୍ଧ୍ର ସରକାର ଓଡ଼ିଶାର ପାଚିପେଣ୍ଟା, ବୋରାମୁଠାକୁ ନେଇ ସାରିଛନ୍ତି। ଏବେ ଏହି କୋଟିଆକୁ ବିବାଦିୟ କରି ଆନ୍ଧ୍ର ମ୍ୟାପରେ ମିଶାଇବାକୁ ଷଡଯନ୍ତ୍ର ଜାରି ରଖିଛନ୍ତି। ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରେ ୧୯୩୬ ମସିହା ମାର୍ଚ୍ଚ ମାସ ୧୯ ତାରିଖରେ ପ୍ରିଭି କାଉନସିଲ (୧୯୩୪ରେ ଇଂରେଜ ସମୟର ହାଇକୋର୍ଟରେ ଏହା ଓଡ଼ିଶା‌ର ରହିବ ବୋଲି ନିର୍ଦ୍ଦେଶ ରହିଥିଲା) ଅନୁସାରେ ଜୟପୁର ମହାରାଜାଙ୍କ ଅଧୀନରେ ରହିଥିବା ପାଚିପେଣ୍ଟା ଓ ମଦଗୁଲ (ପାଚିପେଣ୍ଟା ଜମିଦାରୀ ଅନ୍ତର୍ଗତ) ରହଥିଲା। ୧୯୫୨ ମସିହା ଡିସେମ୍ବର ୨୯ ତାରିଖରେ ସାମ୍ବିଧାନିକ ଭାବେ ଓଡ଼ିଶା ଅଧିନରେ ରହିଥିବାରୁ ଜୟପୁର ଜମିଦାରୀ ଅଧୀନରେ ରହିଥିବା ସମସ୍ତ ଜମି ଯେପରି ପାଚିପେଣ୍ଟା ଜମିଦାରୀ ମଧ୍ୟ ଓଡ଼ିଶା ଅଧୀନରେ ରହିଥିବା କଥା। କିନ୍ତୁ କାହିଁକି ଏହି ତହସିଲ ସାଲୁର ମଣ୍ଡଳ ଅଅଧୀନରେ ରହିଛି। ଏନେଇ ଓଡ଼ିଶାର ସରକାର ବିଗତବର୍ଷ ଗୁଡିକରେ କ’ଣ କରୁଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ କୋଟିଆ ଘଟଣାକୁ ନେଇ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି। ସେ କହିଛନ୍ତି ଯେ ଜାଣି ଶୁଣିକି ଆନ୍ଧ୍ର ସରକାର କୋଟିଆରେ ବିଭ୍ରାନ୍ତି ସୃଷ୍ଟି କରିଛନ୍ତି। କେତେଟି ଗଛ, କେତେଟି ଭିତ୍ତି ପ୍ରସ୍ତର ଓ କିଛି ଗାଈଙ୍କୁ ଟିକା ଦେବା ପରେ ମୁଖୃମନ୍ତ୍ରୀଙ୍କୁ ଭେଟିବାକୁ କହିଛନ୍ତି। ଓଡ଼ିଶାର ସରକାର ନିଘୋଡ ନିଦରେ ରହିଛନ୍ତି। ପୂର୍ବରୁ ଦେଇଥିବା କଥା ମୁତାବକ ତାଙ୍କ କଥା ରଖନ୍ତୁ। କୋଟିଆକୁ ଆସି ଲୋକଙ୍କୁ ଭେଟନ୍ତୁ। ନ ଭେଟି କରି ଜିଲ୍ଲାପାଳଙ୍କୁ ଗୃହ କମିଟି ବୈଠକ‌େରେ ବିକାଶମୂଳକ କାର୍ଯ୍ୟକୁ ତ୍ବାରାନ୍ବତ କରିବାକୁ ନିର୍ଦ୍ଦ‌େଶ ଦେଇଛନ୍ତି। ସ୍ବାଧୀନତା ପରେ ସବୁଠାରେ ବିକାଶ ହେଉଛି। ବିକାଶ ବିକାଶ ପଟେ ଚାଲିଥିବାବେଳେ ‌ଆନ୍ଧ୍ର ସରକାର ତାଙ୍କ ଉପନିବେଶବାଦ ଜାରି ରଖିଛନ୍ତି। ଏହାକୁ ରୋକିବାକୁ ଯୋଜନା କରାଯାଉନାହିଁ, ସର୍ବଦଳୀୟ ନେତା ତାଙ୍କ ବାଟରେ ରହିଥିବା ପ୍ରଶାସନ ତା ବାଟରେ ରହିଛି। ଯଦି ସରକାର ଏହାକୁ ଗୁରୁତ୍ବ ସହ ନ ନ‌େବେ ତେବେ କୋଟିଆକୁ ଆନ୍ଦ୍ର ନିଜର କରିଦେବା ଦୂର ନୁହେଁ। ଏନେଇ ବିଧାନସଭାରେ ଆଲୋଚନା ହୋଇଥିଲା। ଆସନ୍ତା ୧ରେ ବସୁଥିବା ବିଧାନସଭାରେ ମଧ୍ୟ ଏହା ଉପରେ ଆଲୋକପାତ ହେବ। ବାଚସ୍ପତିଙ୍କୁ ଏନେଇ କଂଗ୍ରେସ ଘେରିବ। ଗୃହ କମିଟି କାହିଁକି କୋଟିଆ ଆସି ସମୀକ୍ଷା କରାଯିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ଏନେଇ ବିଜେଡି ଜିଲ୍ଲା ସଭାପତି ଇଶ୍ବର ପାଣିଗ୍ରାହୀ କହିଛନ୍ତି ଯେ ସର୍ବଦଳୀୟ ବୈଠକ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବୁ। ବାରମ୍ବାର ଯେଉଁ ଆନ୍ଦ୍ର ଅନୁପ୍ରବେଶ କରୁଛି ତାହାର ମୁହଁ ତୋଡ ଜବାବ ଦିଆଯିବ। ଅନ୍ୟପଟେ ପାଚିପେଣ୍ଟା ଜମିଦାରୀ ପରି କୋଟିଆକୁ ନେବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି।

୧୬ ତାରିଖ ଦିନ କୋଟିଆର ଫାଟୁସେନେରୀ ଠାରେ  ଆନ୍ଧ୍ରର ପ୍ରସ୍ତାବିତ କାର୍ଯ୍ୟକ୍ରମକୁ ଏହି ସର୍ବ ଦଳୀୟ କମିଟି ଜୋରଦାର ବିରୋଧ କରିବା ସହ ସୀମା ଜଗିଥିଲେ।ଫଳରେ ନିରୁପାୟ ହୋଇ ଆନ୍ଧ୍ର ଅଧିକାରୀ ଓ ସାଲୁର ବିଧାୟକ ଫେରି ଯାଇଥିଲେ। ରାଜନେତାଙ୍କ ସରକାରୀ କାର୍ଯ୍ୟକ୍ରମରେ ସାମିଲ କଲେ ବିବାଦ ବଢୁଥିବାରୁ ସେମାନଙ୍କୁ ବାଦ ଦେଈ ଆନ୍ଧ୍ର ଅଧିକାରୀ ମାନେ ଲଗାତାର ଭାବେ କୋଟିଆ ଭିତରକୁ ଆସି ବିଭିନ୍ନ କାର୍ଯ୍ୟକ୍ରମ ସପ୍ତାହେ ହେଲା ବେଧଡକ କରୁଛନ୍ତି।ହେଲେ ଏମାନଙ୍କୁ ପ୍ରତିରୋଧ କରିବା ତ ଦୂରର କଥା କେହି ବି ପ୍ରତିବାଦ କରୁନାହାନ୍ତି।ଫଳରେ ଲଗାତାର ଆନ୍ଧ୍ର ଅଧିକାରୀ କୋଟିଆର ବିଭିନ୍ନ ଗାଁକୁ ବୁଲି ଭିତ୍ତିପ୍ରସ୍ତ ସ୍ଥାପନ କରିବା ସହ ଚାରା ବାଣ୍ଟୁଛନ୍ତି।ଗତ କାଲି ପରି ଆଜି ମଧ୍ୟ କୋଟିଆର ତଳସେମ୍ବି, ଉପରସେମ୍ବି ଓ ଗଂଜେଇ ପଦରରେ ପଶୁମାନଙ୍କୁ ଚିକିତ୍ସା କରିବା ସହ ଔଷଧ ବାଣ୍ଟିଥିଲେ ଆନ୍ଧ୍ର ଅଧିକାରୀ।

ସମ୍ବନ୍ଧିତ ଖବର