କ୍ଷତିପୂରଣ ନଦେଇ ଗେଲ୍ ଇଣ୍ଡିଆର ପାଇପ ବିଛା ଅଭିଯୋଗ ! ବିରୋଧ କଲେ ଜମି ମାଲିକ

ସୁନ୍ଦରଗଡ଼ : ପେଟ୍ରୋଲିୟମ ଓ ଖଣିଜ ଦ୍ରବ୍ୟର ଭୂତଳ ପରିବହନ ପାଇଁ ଜଗଦୀଶପୁର-ହଳଦିଆ-ବୋକାରୋ- ଧାମରା ଗ୍ୟାସ ପାଇପଲାଇନ୍ ପ୍ରକଳ୍ପ କାମ ଚାଲିଛି । ଏହାର ପାଇପଲାଇନ୍ ସୁନ୍ଦରଗଡ଼ ଜିଲ୍ଲା ଦେଇ ଯାଉଥିବା ବେଳେ ଘରୋଇ ଜମିଗୁଡ଼ିକର କ୍ଷତିପୂରଣ ନଦେଇ ଗେଲ୍ କର୍ତ୍ତୃପକ୍ଷ ଜୋର୍ କରି ପାଇପ୍ ବିଛାଇବା କାମ କରୁଥିବା ଅଭିଯୋଗ ହୋଇଛି ।

ଆଜି ଧରୁଆଡିହି ସୁଆଁମାଳ ମୌଜାର ରାମକ୍ରିପାଲ ବିଶ୍ବକର୍ମାଙ୍କ ଜମିରେ ଜୋର୍ କରି ପାଇପ ବିଛାଧଇବାକୁ ଉଦ୍ୟମ କରୁଥିବା ଅଭିଯୋଗ କରି ଜମି ମାଲିକ ଏହାକୁ ବିରୋଧ କରିଥିଲେ । ଜମିର କ୍ଷତିପୂରଣ ନଦେଇ କାହା ଅନୁମତିରେ କମ୍ପାନି ପାଇପ ବିଛାଉଛି ବୋଲି ପ୍ରଶ୍ନ କରିଥିଲେ। ଯାହାକୁ ନେଇ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଅଭିଯୋଗ ଅନୁସାରେ, ରାମକ୍ରିପାଲ ବିଶ୍ବକର୍ମାଙ୍କ ସୁଆଁମାଳ ମୌଜାସ୍ଥିତ ଖାତା ନଂ ୬୩/୧୫ ପ୍ଲଟ ନଂ ୮୧୫ କ୍ଷେତ୍ରଫଳ ୭୦ ବର୍ଗମିଟର ଜମିରେ ଗେଲ୍ ଇଣ୍ଡିଆ ଗ୍ୟାସ ପାଇପ୍ ପାଇଁ ଅଧିଗ୍ରହଣ କରିବ ବୋଲି ଗତ ୨୦୧୭ ଡିସେମ୍ବର ୧୬ରେ ନୋଟିସ ମାଧ୍ୟମରେ ସୂଚୀତ କରିଥିଲା। ନୋଟିସରେ ଭୂତଳ ପାଇପ ଲାଇନ ବିଛା ଯିବା ପରେ ଜମି ଉପରେ ମାଲିକଙ୍କ ଅଧିକାର ରହିଥିଲେ ମଧ୍ୟ ଜମି ଉପରେ କୌଣସି ପ୍ରକାର ଘର, ପୋଖରୀ, କୂପ, ନଳକୂପ, ଜଳାଶୟ, ବନ୍ଧ ନିର୍ମାଣ ବା ଖନନ କରିପାରିବେ ନାହିଁ ବୋଲି ସୂଚୀତ କରାଯାଇଥିଲା। ସେହି ଦୃଷ୍ଟିରୁ ଜମି ଆଉ ତାଙ୍କର କୌଣସି କାମରେ ଆସିବା ସମ୍ଭାବନା ନଥିବାରୁ ସେ କ୍ଷତିପୂରଣ ପାଇଁ ଅପେକ୍ଷା କରିଥିଲେ । କିନ୍ତୁ କୌଣସି କ୍ଷତିପୂରଣ ମିଳି ନଥିବା ବେଳେ ଆଜି ହଠାତ କମ୍ପାନି ଜେସିବି ଧରି ଜମିରେ ଖୋଳାଖୋଳି ଆରମ୍ଭ କରି ପାଇପ୍ ବିଛାଇବାକୁ ଉଦ୍ୟମ କରିଥିଲା। ଯାହାକୁ ରାମକ୍ରିପାଲ ସମେତ ଜମିର ଅନ୍ୟ ସତ୍ତ୍ବାଧିକାରୀମାନେ ବିରୋଧ କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିବା ବେଳେ ପାଇପ୍ ବିଛା କାମ ବନ୍ଦ ରହିଛି।

ସମ୍ବନ୍ଧିତ ଖବର