ଗଜଲକ୍ଷ୍ମୀ ପୂଜା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି, ଅକ୍ଟୋବର ୯ସୁଦ୍ଧା ଅନୁମତିପତ୍ର; ଅଶ୍ଳୀଳ ନାଚ-ଗୀତ ମନା

କେନ୍ଦ୍ରାପଡା: କେନ୍ଦ୍ରାପଡା ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ ଆଜି ପୌରପାଳିକା ଟାଉନ୍‌ ହଲରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏସ୍‌ପି ସନ୍ଦୀପ ସମ୍ପଦ ମଡକର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ)  ଦୁର୍ଗାପ୍ରସାଦ ମହାରଣା, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପୀତାମ୍ବର ସାମଲ, ଏସ୍‌ଡିପିଓ ଜୟନ୍ତ ମହାପାତ୍ର ପୌରପରିଷଦ ଅଧ୍ୟକ୍ଷା ସରିତା ସାହୁ, ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ଟାଉନ ଥାନାଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ଉପଜିଲ୍ଲାପାଳ ନିରଞ୍ଜନ ବେହେରା ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ଶାନ୍ତିଶୃଙ୍ଖଳା ସହିତ ପୂଜା ପାଳନ କରିବାକୁ ଉପସ୍ଥିତ ବିଭିନ୍ନ ପୂଜା କମିଟି ସଭାପତି, ଉପସଭାପତି ଓ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ଏହି ଅବସରରେ ପୂଜା କମିଟି ଗୁଡ଼ିକ ଉପଜିଲ୍ଲାପାଳଙ୍କଠାରୁ ଆସନ୍ତା ୯ ତାରିଖ ସୁଦ୍ଧା ଅନୁମତିପତ୍ର ସଂଗ୍ରହ କରିବାକୁ ନିଷ୍ପତ୍ତି ହୋଇଛି। ସେହିପରି ପୂଜା ପୂର୍ବରୁ ରାସ୍ତା ମରାମତି କାର୍ଯ୍ୟ ସାରିବାକୁ ଏବଂ ପୂଜାରେ ଜଳ ଯୋଗାଣ, ନିରବିଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ  ଜିଲ୍ଲାପାଳ  ନିର୍ଦ୍ଦେଶ ଦେଇଛନ୍ତି।

ଗତବର୍ଷ ପରି ଏବର୍ଷ ପୌରପାଳିକା ଦ୍ବାରା ପ୍ରସ୍ତୁତ ହେବାକୁ ଥିବା ଅସ୍ଥାୟୀ ୪ଟି ଘାଟକୁ ବିସର୍ଜନ ନିମନ୍ତେ ବ୍ୟବହାର କରିବାକୁ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଅନୁରୋଧ କରିଥିଲେ । ମେଢ ପାଇଁ ଅନୁମତିପତ୍ର ଶୀଘ୍ର ଆବେଦନ କରିବାକୁ ଉପଜିଲ୍ଲାପାଳ ପ୍ରତ୍ୟେକ ମେଢର କର୍ମକର୍ତ୍ତାଙ୍କୁ ଅନୁରୋଧ କରିଥିଲେ । ଦୀର୍ଘ ୩ ବର୍ଷ ପରେ କୋଭିଡ କଟକଣା ବିହୀନ ଗଣପର୍ବ ଗଜଲକ୍ଷ୍ମୀ ପୂଜାରେ ପ୍ରବଳ ଜନଗହଳିକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ, ବେଆଇନ ଚାନ୍ଦା ଆଦାୟ, ଡ୍ରେନ ସଫେଇ ବ୍ଲିଚିଂ ପାଉଡର ପକାଇବା, ବାସି ଖାଦ୍ୟ ବିକ୍ରି ଉପରେ ଚଢଉ କରିବା, ଆମ୍ବୁଲାନ୍ସ ସେବା ଯୋଗାଇବା, ପାଣି ଟ୍ୟାଙ୍କର ବ୍ୟବସ୍ଥା କରିବା ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ  କରିଥିଲେ। କେଶପୁର ବଜାର, ପୁରୁଣା ବସଷ୍ଟାଣ୍ଡ, ନୂଆ ବସଷ୍ଟାଣ୍ଡର ୩ଟି ସମନ୍ୱୟ କମିଟିରେ ନୂତନ ସଦସ୍ୟ ସମ୍ପୃକ୍ତ କରାଇ ତାହାର ତାଲିକା ମେଢର କର୍ମକର୍ତ୍ତାମାନେ ଜିଲ୍ଲା ପ୍ରଶାସନକୁ ୨ଦିନ ମଧ୍ୟରେ ଜଣାଇବାକୁ କୁହାଯାଇଛି। ପୂଜା ସମୟରେ କେନ୍ଦ୍ରାପଡା ପୌରପାଳିକା ପକ୍ଷରୁ ୩ଟି ଡିଜେ ସେଟ୍‌ର ବ୍ୟବସ୍ଥା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ସେହିପରି ପୂଜା ଓ ଭସାଣି ସମୟରେ କୌଣସି ଅଶ୍ଳୀଳ ଗୀତ ବା ନାଚକୁ ଅନୁମତି ମିଳିବ ନାହିଁ ବୋଲି ବୈଠକରେ ସ୍ପଷ୍ଟ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଏହି  ବୈଠକରେ ରାସ୍ତା ଓ ଗୃହ ନିର୍ମାଣ, ଜନସ୍ବାସ୍ଥ୍ୟ, ଟିପିସିଓଡିଏଲ, ଜଳସେଚନ ବିଭାଗ, ଅଗ୍ନିଶମ ବିଭାଗର ବିଭାଗୀୟ ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି, ବୁଦ୍ଧିଜୀବୀ, ବିଭିନ୍ନ ମେଢର ସଭାପତି, ସମ୍ପାଦକ ଓ କର୍ମକର୍ତ୍ତା, ପୌରପରିଷଦର କାଉନସିଲର, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର