ଖୋର୍ଦ୍ଧା: ଆଜି କୁମାରପୂର୍ଣ୍ଣିମା ଠାରୁ ଖୋର୍ଦ୍ଧା ସହରର ବିଭିନ୍ନ ସ୍ଥାନରେ ଶ୍ରୀଦାତ୍ରୀ ଗଜଲକ୍ଷ୍ମୀଙ୍କ ମଣ୍ଡପରେ ପୂଜା ଆରମ୍ଭ ହୋଇଯାଇଛି। ୩୧ଟି ପୂଜାମଣ୍ଡପ ଓ ମେଢ଼ରେ ସମଗ୍ର ସହର ଉତ୍ସବମୁଖର ହୋଇଉଠିଛି। ଆଜି ଅପରାହ୍ନରେ ଝିପି ଝିପି ବର୍ଷାରେ ବିଭିନ୍ନ ମଣ୍ଡପରେ ବୈଦିକ ରୀତିନୀତି ଅନୁସାରେ ଘଟାଧିବାସ, ବେଦୀ ସଂସ୍କାର, ଦେବୀଙ୍କ ପ୍ରତିମା ପ୍ରତିଷ୍ଠା ଓ ହୋମ ଆଦି କର୍ମ ହୋଇଥିଲା। ବର୍ଷା ଯୋଗୁଁ ଅନେକ ମଣ୍ଡପରେ ପୂଜା ରାତି ୯ଟା ସୁଦ୍ଧା ମଧ୍ୟ ଶେଷ ହୋଇନଥିବା ବେଳେ, କିନ୍ତୁ ରାସ୍ତାଘାଟ ଓ ମଣ୍ଡପ ନିକଟରେ ଶ୍ରଦ୍ଧାଳୁ ଓ ଦେଖଣାହାରୀଙ୍କ ଭିଡ଼ ରହିଥିଲା। ପୌରପରିଷଦ ମାକେର୍ଟ ବ୍ୟବସାୟୀ ସଂଘ, ଗୁରୁଜଙ୍ଗ ଦ୍ୱାରିକା ନଗର ପୂଜା କମିଟି, ଗୋପବନ୍ଧୁ ବାଣିଜ୍ୟ ପରିଷଦ, ପଂଚଶାଖା ବ୍ୟବସାୟୀ ମହାସଂଘ, ପୁରୁଣାଡାକ୍ତରଖାନା ରୋଡ, ଲକ୍ଷ୍ମୀ ମାକେର୍ଟ, ପଦ୍ମାଳୟା ବ୍ୟବସାୟୀ ସଂଘ, ସାଗରକନ୍ୟା, ମେନରୋଡ଼, ଭାଲିଆବାଡ଼ି ମା’ ଗଜଲକ୍ଷ୍ମୀ ପୂଜା କମିଟି, ମଧୁସୂଦନ ମାର୍ଗ, କଳ୍ପତରୁ ବ୍ୟବସାୟୀ ସଂଘ, ବୁଢି ବଗିଚା ପୂଜା କମିଟି, ଟାଟା ଏସି ପୂଜା କମିଟି ସହ ୩୧ଟି ପୂଜା କମିଟି ପକ୍ଷରୁ ଅଧିକାଂଶ ଆସନ୍ତା କାଲି ଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ, ପାଲା ଆଦି କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ଏକଦା ଖୋର୍ଦ୍ଧା ସହରରେ ଆଶ୍ୱିନ ପୂର୍ଣ୍ଣିମା ଠାରୁ ନବଜ୍ୟୋତି ଗଜଲକ୍ଷ୍ମୀ ପୂଜା କମିଟି ଓ ବଡ଼ବଜାର ପୂଜା କମିଟି ଆଦି ଅଳ୍ପକେତେକ କମିଟି ପକ୍ଷରୁ ଗଜଲକ୍ଷ୍ମୀଙ୍କ ପୂଜା କାଁଭାଁ ପାଳିତ ହେଉଥିଲା।

Advertisment

publive-image Sambad

କିନ୍ତୁ ଗତ ୧୫ ବର୍ଷ ଧରି ଏହାର ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଚଳିତବର୍ଷ ମଣ୍ଡପ ସଂଖ୍ୟା ୩୧ରେ ପହଞ୍ଚି । ଚଳିତବର୍ଷ ଏହା ୧୬ ତାରିଖ ଯାଏଁ ଚାଲିବ। ପୂର୍ବ ନିଷ୍ପତ୍ତି ଅନୁସାରେ, ୧୬ ତାରିଖ ଅପରାହ୍ନରେ ସାମୂହିକ ବିସର୍ଜନ ଅନୁଷ୍ଠିତ ହେବ। ଏହି ଅବସରରେ ପ୍ରଶାସନ ପକ୍ଷରୁ ସର୍ବୋକ୍ରୃଷ୍ଟ ୩ଟି ମେଢ଼କୁ ପୁରସ୍କୃତ କରାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଖୋର୍ଦ୍ଧାରେ ପୂଜା ଶାନ୍ତିଶୃଙ୍ଖଳାର ସହକାରେ ସମ୍ପନ୍ନ କରିବାକୁ ପୁଲିସ ଓ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି। ୧୫ ଓ ୧୬ ତାରିଖ ଦୁଇଦିନ ସହରରେ ସମସ୍ତ ମଦଦୋକାନ ବନ୍ଦ ରଖିବା ସହ ଭଷାଣୀ ଉତ୍ସବ ପାଇଁ ୩ ପ୍ଲାଟୁନ୍ ଫୋର୍ସ, ୩ଜଣ ଡିଏସ୍ପି, ୫ଜଣ ଇନସପେକ୍ଟର ଓ ୨୦ ଜଣ ଏଏସ୍ଆଇ, ହାବିଲଦାର ଆଦି ନିୟୋଜିତ ହେବେ ବୋଲି ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି।