ଗଜପତି ପ୍ରଶାସନର ବାତ୍ୟା ମୁକାବିଲା ପ୍ରସ୍ତୁତି

ପାରଳାଖେମୁଣ୍ଡି: ବାତ୍ୟା ତିତଲିକୁ ନେଇ ଗଜପତି ଜିଲ୍ଲା ପ୍ରଶାସନ ସଜାଗ ରହିଛି। ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏ ନେଇ ଆଜି ପାରଳାଖେମୁଣ୍ଡି ଠାରେ ଜିଲ୍ଲାପାଳ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମସ୍ତ ବ୍ଲକସ୍ତରୀୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇ ଧନଜୀବନର ଯେଭଳି କ୍ଷତି ନ ହେବ ସେ ଦିଗରେ ନିଜ ନିଜ ଅଞ୍ଚଳରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି। ଯେମିତି ସମସ୍ତେ ଜାଗ୍ରତ ରହି ପରିସ୍ଥିତି ଉପରେ ଧ୍ୟାନ ରଖିବେ ସେଥିପାଇଁ ଜିଲ୍ଲାପାଳ ଶ୍ରୀ ସାହା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଯୋଗାଣ ବିଭାଗକୁ ବ୍ୟାପକ ପରିମାଣରେ ଶୁଖିଲା ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଜନସ୍ବାସ୍ଥ୍ୟ ବିଭାଗକୁ ପ୍ରଚୁର ପରିମାଣରେ ଆବଶ୍ୟକ ପଡ଼ୁଥିବା ବିଭିନ୍ନ ପ୍ରକାରର ଔଷଧ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟ ଓ ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକରେ ଆବଶ୍ୟକ ସ୍ଥଳେ ବିପନ୍ନମାନଙ୍କୁ ରଖାଯିବା ପାଇଁ ବ୍ଲକ ପ୍ରଶାସନକୁ ନି‌େର୍ଦ୍ଦଶ ଦିଆଯାଇଛି।

ଏନଡିଆରଏଫ୍ ଟିମକୁ କାଶୀନଗର ପଠାଯାଇଛି। ବଂଶଧାରା ନଦୀ କୂଳରେ ଥିବା ସମସ୍ତ ଗ୍ରାମକୁ ବାତ୍ୟା ସମ୍ପର୍କିତ ସୂଚନା ଦିଆଯାଇଛି ବୋଲି ଜରୁରୀକାଳୀନ ଅଧିକାରୀ ସତ୍ୟସମ୍ପନ୍ନା ରାଉତ ପ୍ରକାଶ କରିଛନ୍ତି। ସେହିଭଳି, ଉପଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମହମ୍ମଦ ଇମତିଆଜ ଆଲମ ନିଆଯାଇଥିବା ବିଭିନ୍ନ ନିଷ୍ପତ୍ତି ସମ୍ପର୍କରେ ସମୀକ୍ଷା‌ କରିଛନ୍ତି।

ଆଜି ଦିନ ତମାମ ସମଗ୍ର ଗଜପତି ଜିଲ୍ଲାରେ ପବନ ବର୍ଷା ଲାଗି ରହିଥିବା ଦେଖିବାକୁ ମିଳିଛି। ଲୋକେ ମଧ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀମାନ ଘରକୁ ‌ଆଣି ମହଜୁଦ କରୁଥିବା ଦେଖାଯାଇଛି। ସଂଧ୍ୟାରେ ବିଦ୍ୟୁତ କାଟ ହୋଇଥିବା ‌େବଳେ ଆଗାମୀ କାଲି ବାତ୍ୟାର ପ୍ରଭାବରେ  ବିଦ୍ୟୁତ ତାରଗୁଡ଼ିକ ଛିଡ଼ିବା ଏବଂ ଗଛ ଉପୁଡ଼ି ପଡ଼ିବାର ଆଶଙ୍କା ରହିଥିବାରୁ ସଭିଏଁ ନିଜନିଜ ସ୍ଥାନରେ ପ୍ରସ୍ତୁତ ରହିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର