ଗଜପତି ଜିଲ୍ଲାରେ କ୍ରୀଡ଼ାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ବ୍ରହ୍ମପୁର ସାଂସଦ

ପାରଳାଖେମୁଣ୍ଡି  : ଗଜପତି ଜିଲ୍ଲାରେ କ୍ରୀଡ଼ାର ସର୍ବାଙ୍ଗୀନ ବିକାଶ ସମେତ ପାରଳାଖେମୁଣ୍ଡିସ୍ଥିତ ଗଜପତି ଷ୍ଟାଡିୟମ୍‌ର ଉନ୍ନତିକରଣ କାର୍ଯ୍ୟ କରିବା ପାଇଁ ବ୍ରହ୍ମପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଏକ ପତ୍ର ଲେଖି ଅନୁରୋଧ କରିଛନ୍ତି ।

ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରେ କ୍ରୀଡା କ୍ଷେତ୍ରର ସର୍ବାଙ୍ଗୀନ ବିକାଶ ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଥିବାରୁ ସାଂସଦ ତାହାର ପ୍ରସଂଶା କରିଛନ୍ତି । ତାସହିତ କ୍ରୀଡା କ୍ଷେତ୍ରର ଆବଶ୍ୟକତା ପ୍ରତି ଦୃଷ୍ଟିରେ ରଖି କେତେ ଗୁଡିଏ ନିର୍ମାଣ କାର୍ଯ୍ୟ ପାଇଁ ଦେଇଥିବା ପ୍ରତିଶ୍ରୁତି ଓ ଏହାର ଶୁଭାରମ୍ଭ ପାଇଁ ଅନୁମତି ପ୍ରଦାନ କରିଥିବା ଯୋଗୁଁ  ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ତେବେ ଆଉ କେତେକ କ୍ଷେତ୍ରର ବିକାଶ ପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ତାଙ୍କ ସହଯୋଗ କାମନା କରିଛନ୍ତି ।

କ୍ରୀଡା କ୍ଷେତ୍ରର ବ୍ୟାପକ ଉନ୍ନତି ସାଧନ ପାଇଁ ବହୁମୁଖୀ ତଥା ସର୍ବାଙ୍ଗୀନ ଉନ୍ନତି ସାଧନ ପାଇଁ ଛତ୍ରପୁର ଠାରେ ବହୁମୁଖୀ କ୍ରୀଡା-ଭବନ ନିର୍ମାଣ ସହ ହିଂଜିଳିକାଟୁ ଓ ବ୍ରହ୍ମପୁର ଠାରେ ଷ୍ଟାଡିଅମ ନିର୍ମାଣ ଏବଂ କ୍ରୀଡା କ୍ଷେତ୍ରର ଆହୁରି ଅନେକ ଭବିଷ୍ୟତ ଯୋଜନାର ରୂପରେଖ ପ୍ରସ୍ତୁତ କରାଯାଉଛି । ଏହାକୁ ଚୂଡାନ୍ତ ରୂପ ଦେବାପାଇଁ ଉଦ୍ୟମ କରାଯିବା ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଯୋଗୁଁ ଏଥିରେ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିବା ସହ ସାଂସଦ ଶ୍ରୀ ସାହୁ ,ମୁଖ୍ୟମନ୍ତ୍ରୀ ଓ ରାଜ୍ୟ କ୍ରୀଡା ବିଭାଗକୁ ଧନ୍ୟବାଦ ଦେଇଛନ୍ତି । ଏଥି ସଙ୍ଗେ ସଙ୍ଗେ ପାରଳାଖେମୁଣ୍ଡି ସହରରେ କ୍ରୀଡା ଓ କ୍ରୀଡା କ୍ଷେତ୍ରର ସର୍ବାଙ୍ଗୀନ ବିକାଶ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ  ଅନୁରୋଧ କରିଛନ୍ତି ।

ଏହି କ୍ଷେତ୍ରରେ ବିକାଶ ଗୁଡିକ ମଧ୍ୟରେ ମୁଖ୍ୟତଃ କ୍ରୀଡାଙ୍ଗନର ନବୀକରଣ ସହ ଦର୍ଶକ ଗ୍ୟାଲେରୀ, ଜନସାଧାରଣଙ୍କ ନିମନ୍ତେ (ସନ୍ତରଣାଗାର , ଯାନବାହାନ ରଖିବା ପାଇଁ ପାର୍କିଂ ବ୍ୟବସ୍ଥା , ନାଳରେ ଉତ୍ତମ ଜଳ ନିଷ୍କାସନ ବ୍ୟବସ୍ଥା  ପ୍ରଭୃତି ନିର୍ମାଣ କାର୍ଯ୍ୟ ପାରଳାଖେମୁଣ୍ଡି ଠାରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଗଜପତି ଷ୍ଟାଡିଅମର ନବୀକରଣ କରାଯାଇ ଅଧିକ ମାତ୍ରାରେ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବାସହ ଇନଡୋର ଷ୍ଟାଡିୟମରେ ବ୍ୟାଡମିଣ୍ଟନ ଖେଳ ସମେତ  ଟେବୁଲ ଟେନିସ , ଭଳିବଲ , ବାସ୍କେଟବଲ ପ୍ରଭୃତି ଖେଳିବା ପାଇଁ ବ୍ୟବସ୍ଥା ଏବଂ ଛାତ୍ରଛାତ୍ରୀ ମାନଙ୍କ ରହିବା ଓ ତାଲିମ ନେବା ପାଇଁ ହଷ୍ଟେଲ ର ବ୍ୟବସ୍ଥା କରାଯିବା  ଲାଗି ସାଂସଦ ନିଜ ପତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ସାଂସଦ ଶ୍ରୀ ସାହୁଙ୍କ ଏଭଳି ପଦକ୍ଷେପ ପାରଳାଖେମୁଣ୍ଡି ସହରର ଯୁବବର୍ଗ ଓ କ୍ରୀଡ଼ାପ୍ରେମୀ ମହଲରେ ନିଶ୍ଚିତ ଭାବେ ଏକ ଉତ୍ସାହ ଭରି ଦେଇଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର