ପାରଳାଖେମୁଣ୍ଡି(ସୁଜିତ୍ ବିଷୋୟୀ): ସେହି କାଳ ରାତ୍ରୀକୁ ପୂରିଛି ସାତ ବରଷ, ଯେଉଁଥିରେ ତାଣ୍ଡବ ରଚିଥିଲା ପ୍ରକୃତି। ବହୁ ଧନ ଓ ଜୀବନ କ୍ଷତି କରିବା ସହ ସବୁକିଛି ଛାର ଖାର କରିଦେଇଥିଲା। ଏହାକୁ ମନେ ପକାଇଲେ ଏବେବି ଲୋମ ଟାଙ୍କୁରି ଉଠୁଛି। ଏବେବି ସିହରଣ ହୋଇ ଉଠେ ପ୍ରକୋପର କରାଳ ରୂପକୁ ସ୍ମରଣ କଲେ। ଜୀବନ ବଞ୍ଚାଇବାକୁ ଆଶ୍ରୟ ନେଇଥିବା ପଥର ଗୁମ୍ଫା ସହ ପାହାଡ଼ ଧସି ଅକାଳରେ ଯାଇଥିଲା ୧୬ ଜୀବନ।
ମୂଖ୍ୟମନ୍ତ୍ରୀଙ୍କ ଠାରୁ ମୂଖ୍ୟ ଶାସନ ସଚିବ ପର୍ଯ୍ୟନ୍ତ ସମସ୍ତେ ସମବେଦନା ପାଇଁ ପହଞ୍ଚିଥିଲେ ଘଟଣା ସ୍ଥଳରେ। କ୍ଷତିଗ୍ରସ୍ତଙ୍କୁ ସହାୟତା ଘୋଷଣା କରିଥିଲେ। ତେବେ ବର୍ତ୍ତମାନ ସ୍ଥିତିରେ ଅନେକ ବଦଳି ଯାଇଛି। ବାତ୍ୟା ପୂର୍ବାଭାସ ସତର୍କତା ସତ୍ତ୍ବେ ପ୍ରକୃତିର ପ୍ରକୋପ ଆଗରେ ସେଦିନ ହାରମାନିଥିଲା ସରକାରଙ୍କ ଜିରୋ କାଜୁଆଲିଟିର ପ୍ରୟାସ।
ଘଟଣା କିଛି ଏମିତି ଥିଲା। ୨୦୧୮ ଅକ୍ଟୋବର ୧୦ ତାରିଖ ଅର୍ଥାତ୍ ଆଜକୁ ସାତ ବର୍ଷ ପୂର୍ବେ ବାତ୍ୟା ‘ତିତିଲି’ ଗଜପତି ଜିଲ୍ଲାରେ ତାଣ୍ଡବ ରଚିଥିଲା। ଦେଖୁ ଦେଖୁ କେଇ ଘଣ୍ଟା ମଧ୍ୟରେ ସବୁ ଛାରଖାର କରିଦେଇଥିଲା। ରାତି ତମାମ ପବନ ସାଙ୍ଗକୁ ଭୀଷଣ ବର୍ଷା ଫଳରେ ସମତଳ ଆଉ ସହରିଆ ଅଞ୍ଚଳରେ ପାଣି ଜମିବା ସହ ବନ୍ୟା ପରିସ୍ଥିତି ଉପୁଜିଥିଲା। ଜୁଆଡ଼େ ଦେଖିବେ ଉପୁଡ଼ି ପଡ଼ିଥିଲା ବଡ଼ବଡ଼ ଗଛ ଓ ବିଦ୍ୟୁତ ଖୁଣ୍ଟ। ସବୁଆଡେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।
ପାହାଡ଼ ଉପରେ ବସବାସ କରୁଥିବା ଆଦିବାସୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏଥି ପାଇଁ ୭ଟି ସ୍ଥାନରେ ୬୦୦ ପରିବାରକୁ ଥଇଥାନ ପାଇଁ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଅନେକାଂଶ ପରିବାର ସ୍ଥାନାନ୍ତର ହୋଇଥିବା ବେଳେ କିଛି ଆନୁସାଙ୍ଗିକ ବ୍ୟବସ୍ଥା ଏବେବି ବାକି ରହିଛି ନୂତନରେ ଗ୍ରାମ ଗୁଡିକରେ। ଜୀବନ ଜୀବିକା ସହ ଶିକ୍ଷା ସ୍ବାସ୍ଥ୍ୟ, ପାନୀୟ ଜଳ ଓ ଗମନାଗମନର ବ୍ୟବସ୍ଥା ସ୍ୱାଭାବିକ ହୋଇଛି। କିନ୍ତୁ ଏବେବି ଜିଲ୍ଲାରେ ଏହିପରି ଅନେକ ଗାଁ ପର୍ବତ ଶିଖରେ ବିପଦ ସଙ୍କୁଳ ଅବସ୍ଥାରେ ବସବାସ କରୁଛନ୍ତି। ବର୍ଷା ଓ ବାତ୍ୟା ଭଳି ବିପଦ ସଙ୍କେତ ଜାରିହେଲେ ବାରମ୍ବାର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଉଛନ୍ତି ଲୋକେ।
ପ୍ରତେକ ବର୍ଷ ବର୍ଷାଋତୁ ହେଉ କିମ୍ବା ଲଘୁଚାପ ଜନିତ ଲଗାଣ ବର୍ଷାରେ ବିଭିନ୍ନ ପାହାଡ଼ିଆ ଅଞ୍ଚଳରେ ଭୁସ୍ଖଳନ ହେଉଛି। ଫଳରେ ଅନେକ ଧନ-ଜୀବନ ନଷ୍ଟ ହେଉଛି। ଅକାରଣରେ ଚାଲି ଯାଉଛି ଜୀବନ। ତଥାପି ସରକାର ଏହାର ପ୍ରତିକାର ଦିଗରେ ସେଭଳି ପଦକ୍ଷେପ ନେଉନଥିବା ଏବେ ପରିତାପର ବିଷୟ ହୋଇଛି।
ଏକ ସର୍ଭେରୁ ଭୂସ୍ଖଳନ ସମ୍ଭାବ୍ୟ ସ୍ଥାନ ଭାବରେ ୧୦୦ରୁ ଅଧିକ ସ୍ଥାନକୁ ଚିହ୍ନଟ କରାଯାଇଛି, ଯେଉଁ ସ୍ଥାନଗୁଡ଼ିକରୁ ଏହିଭଳି ଘଟଣା ସାମନାକୁ ଆସୁଛି। କିନ୍ତୁ ଏହିସବୁ ସମ୍ବେଦିନଶୀଳ ସ୍ଥାନ ଗୁଡ଼ିକରେ ବସବାସ କରୁଥିବା ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନନ୍ତର ପ୍ରକିୟା ଏଯାବତ ଆରମ୍ଭ ହୋଇ ପାରିନାହିଁ। ଏପରିକି ବିଭାଗର ପୂର୍ବ ସତର୍କ ସୂଚନା ସ୍ଵତ୍ତ୍ବେ ସେହି ଅଞ୍ଚଳଗୁଡ଼ିକରେ ଲୋକଙ୍କୁ ସଚେତନ କରା ଯାଉନାହିଁ। ଫଳରେ ଦୁର୍ଘଟଣା ଘଟି ମୃତ୍ୟୁମୁଖରେ ପଡ଼ିବା ସହ ଘର ଦ୍ଵାର ନଷ୍ଟ ହେଉଛି। ରାସ୍ତା-ଘାଟ ଧୋଇ ଯାଉଛି। ବାରମ୍ବାର ସରକାରଙ୍କ ଅର୍ଥ ଅପଚୟ ହେଉଛି। ବିକାଶ ଧାରାରେ ପଛରେ ପଡ଼ିଯାଉଛି ସେସବୁ ଅଞ୍ଚଳ।
Cyclone in Odisha | Gajapati