କାଶୀନଗର: ଶିଆଳି ପଞ୍ଚାୟତ ଅଧୀନରେ ଥିବା ପେଦାମାଡ଼ି ହରିପୁର ଗ୍ରାମରେ ବହୁ ବର୍ଷ ପୂର୍ବେ ଜଗନ୍ନାଥ ଓ ତ୍ରିନାଥ ମନ୍ଦିର ଥିଲା। ସେହି ଦୁଇ ମନ୍ଦିର ପରିଚାଳନା କରିବା ପାଇଁ ମନ୍ଦିର ନାଁରେ କିଛି ଜମି ରହିଥିଲା। ବହୁ ବର୍ଷ ହେଲା ଏହି ଦୁଇ ମନ୍ଦିର ଆଉ ଖୋଲା ନ ଯାଇ ସେମିତି ପରିତ୍ୟକ୍ତ ଅବସ୍ଥାରେ ରହିଥିବାରୁ କିଛି ଗ୍ରାମବାସୀ ମନ୍ଦିର ଅଧୀନରେ ଥିବା ଜମିଗୁଡିକୁ ଅନାୟାସରେ ଚାଷ କରି ନିଜ ଅକ୍ତିଆରରେ ରଖି ଆସୁଥିଲେ। ସ୍ଥାନୀୟ ସରପଞ୍ଚ ରାମ ପ୍ରସାଦ ପଟ୍ଟନାୟକଙ୍କ କହିବା ଅନୁଯାୟୀ ବହୁ ବର୍ଷ ପୂର୍ବେ ସ୍ବର୍ଗତ ନରସିଂହ ପଟ୍ଟନାୟକ ଦୁଇ ମନ୍ଦିର ଗଠନ କରି ମନ୍ଦିର ପରିଚାଳନା ପାଇଁ କିଛି ଜମି ଦାନ କରିଥିଲେ।

Advertisment

ବର୍ତ୍ତମାନ ତାଙ୍କ ନାତି ଜଗନ୍ନାଥ ପଟ୍ଟନାୟକ ମନ୍ଦିର ପରିଚାଳନା ଜମିକୁ ଚି଼ହ୍ନଟ କରି ମନ୍ଦିରକୁ ହସ୍ତାନ୍ତର କରିବା ପାଇଁ ଏଣ୍ଡୋମେଣ୍ଟ କମିସନରଙ୍କ ନିକଟରେ ଏକ ଦରଖାସ୍ତ ଆବେଦନ କରିଥିଲେ। ବର୍ତ୍ତମାନ ସ୍ଥାନୀୟ ତହସିଲଦାର ସୁଧୀର କୁମାର ନନ୍ଦ, ଶିଆଳି ରାଜସ୍ବ ନିରୀକ୍ଷକ ଅଧିକାରୀ ସୁଭାଷିନୀ ପାଳ, ଅମିନ ଦୁର୍ଗାସୀ ଜୀବରତ୍ନମ,  ଏସ.ଆଇ ଆଲୋକ ଜଗଦଲ , ସ୍ଥାନୀୟ ସରପଞ୍ଚ ରାମ ପ୍ରସାଦ ପଟ୍ଟନାୟକ ତଥା ଗ୍ରାମବାସୀଙ୍କ ଉପସ୍ଥିତିରେ ପେଦାମାଡ଼ି ହରିପୁର ଗ୍ରାମରେ ଥିବା ଅକ୍ତିଆର ଜମିସବୁ ମାପଜୁପ କରି ଏଣ୍ଡୋମେଣ୍ଟ କମିଶନରଙ୍କ ନିର୍ଦ୍ଦେଶନାରେ ଗଠିତ ହୋଇଥିବା ପରିଚାଳନା କମିଟିକୁ ସେହି ଜମି ଗୁଡିକୁ ଚି଼ହ୍ନଟ କରି ହସ୍ତାନ୍ତର କରାଯାଇଛି ବୋଲି ସ୍ଥାନୀୟ ସରପଞ୍ଚ ଶ୍ରୀ ପଟ୍ଟନାୟକ କହିଥିଲେ।