ଦିଗପହଣ୍ଡି ସହର ରାସ୍ତା, ନର୍ଦ୍ଦମା ଶୋଚନୀୟ : ବିଜେପି ପକ୍ଷରୁ ଏଡିଏମ୍‌ଙ୍କୁ ସ୍ମାରକପତ୍ର

ଦିଗପହଣ୍ଡି: ଦିଗପହଣ୍ଡି ସହରର ସିମେଣ୍ଟ କଂକ୍ରିଟ୍ ରାସ୍ତା ଓ ବିପର୍ଯ୍ୟସ୍ଥ ନର୍ଦ୍ଦମା ସମସ୍ୟାର ପ୍ରତିକାର ଦାବି କରି ଗୁରୁବାର ଦିଗପହଣ୍ଡି ତହସିଲ୍‌ ପରିଦର୍ଶନରେ ଆସିଥିବା ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍) ଲକ୍ଷ୍ମୀକାନ୍ତ ସେଠୀଙ୍କୁ ବିଜେପି ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ପ୍ରକାଶ ଯେ, ଦିଗପହଣ୍ଡି ସହରର ସମସ୍ତ ସାହି ଗଳିରେ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଖରାଦିନ ସରି ବର୍ଷା ଦିନ ଆସିଥିବାରୁ ସାହି ଗୁଡିକରେ କୃତ୍ରିମ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ବର୍ଷା ଜଳ ନିଷ୍କାସନ ହୋଇନପାରି ନର୍ଦ୍ଦମା ଜଳ ସହିତ ମିଶି ରାସ୍ତାରେ ଭାସୁଛି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଉଛି। । ପୂର୍ତ୍ତ ବିଭାଗ ପକ୍ଷରୁ ୩ଟି ଫେଜ୍‌ରେ ୧୫ କୋଟି ଟଙ୍କା ବ୍ୟୟରେ ସହରର ୧ନଂ, ୧୦ନଂ ଏବଂ ୩ନଂ ୱାର୍ଡରେ ସିମେଣ୍ଟ କଂକ୍ରିଟ୍ ରାସ୍ତା ଏବଂ ନର୍ଦ୍ଦମା ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । କିଛି ସ୍ଥାନରେ ୭୦ ପ୍ରତିଶତ କାମ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଆଉ କିଛି ସ୍ଥାନରେ କାର୍ଯ୍ୟାରମ୍ଭ ହୋଇଛି । ବିଳମ୍ବତା ହେତୁ ଲୋକଙ୍କୁ ଦୁର୍ଦ୍ଦଷାର ଶୀକାର ହେବାକୁ ପଡୁଥିବା ଅଭିଯୋଗ ହୋଇଛି । ସହରର ଅଞ୍ଚଳ କଲୋନୀର ଶିଶିରପଣ୍ଡା କଲୋନୀ, ନୀଳକଣ୍ଠନଗର, ନୀଳାଦ୍ରିବିହାର, ରାମଚନ୍ଦ୍ରନଗର, ବାଲାଜୀନଗର, ଆନନ୍ଦନଗର ଆଦି ସାହିରେ ସିମେଣ୍ଟ କଂକ୍ରିଟ୍ ରାସ୍ତା ନିର୍ମାଣ ଚାଲୁ ରହିଛି । ବାଲାଜୀନଗର ଅଞ୍ଚଳରେ ପ୍ରତ୍ୟେକ ଘରକୁ ଏନଏସି ପକ୍ଷରୁ ଯୋଗାଣ ହୋଇଥିବା ପାନୀୟ ଜଳ ପାଇପ୍ ସବୁ ଡ୍ରେନ୍ ଉପରେ ରହିଥିବା ବେଳେ ସେସବୁ ଅସମ୍ପୂର୍ଣ୍ଣ ହୋଇ ପଡି ରହିଥିବାରୁ ଉକ୍ତ ଡ୍ରେନ୍ ମଧ୍ୟରେ ହାଣ୍ଡି ମାଠିଆ ରଖି ଲୋକେ ପିଇବା ପାଣି ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି । ଲଘୁଚାପ ଜନିତ ବର୍ଷାରେ ଶିଶିରପଣ୍ଡା କଲୋନୀ, ନୀଳକଣ୍ଠନଗର, ନୀଳାଦ୍ରିବିହାର, ରାମଚନ୍ଦ୍ରନଗର ଆଦି ସାହିରେ ବର୍ଷା ଜଳ ରାସ୍ତା ଉପରେ ଜମାଟ ବାନ୍ଧି ରହିଥିବା ଦେଖିବାକୁ ମିଳିଥିଲା । ଠିକାଦାରମାନେ ନିର୍ମାଣ ସାମଗ୍ରୀ ରାସ୍ତା ଉପରେ ରଖୁଥିବା ବେଳେ କାର୍ଯ୍ୟରେ ବିଳମ୍ବତା ହେତୁ ସଙ୍କୀର୍ଣ୍ଣ ରାସ୍ତାରେ ଦୈନନ୍ଦିନ ଯିବା ଆସିବା କରିବା ବେଳେ ସାହିବାସିନ୍ଦା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ସମସ୍ୟାର ସ୍ଥାୟୀ ପ୍ରତିକାର ଦାବି କରି ବିଜେପି ଜିଲ୍ଲା ଉପସଭାପତି ପରେଶ ଚନ୍ଦ୍ର ରଥଙ୍କ ନେତୃତ୍ୱରେ ଦିଗପହଣ୍ଡି ନଗର ସଭାପତି ଭବାନୀଶଙ୍କର ପଣ୍ଡା, ସୂର୍ଯ୍ୟନାରାୟଣ ସାହୁ, ରାମକୃଷ୍ଣ ପଢିଆରୀ, ଗଣେଶ ପାଠୀ, ନାରାୟଣ ସାବତ, ଶକ୍ତି ପ୍ରସାଦ ପାତ୍ର ପ୍ରମୁଖ ତହସିଲଦାର ଅଦ୍ୱୈତ କୁମାର ସ୍ୱାଇଁଙ୍କ ଉପସ୍ଥିତିରେ ଅତିରିକ୍ତ ଜିଲାପାଳଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ସମସ୍ତ ଘଟଣାର ବିଧିବଦ୍ଧ ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି ଏଡିଏମ୍ ପ୍ରତିଶୃତି ଦେଇ ଫେରିଛନ୍ତି । ସେହିପରି ସାନଖେମୁଣ୍ଡି ବ୍ଳକ ଛଣମେରୀ ପଞ୍ଚାୟତ ଅଧିନସ୍ଥ ଖଣ୍ଡଦେଉଳି ପୂର୍ତ୍ତ ବିଭାଗ ରାସ୍ତା ଠାରୁ ପଦ୍ମପୁର ଗ୍ରାମକୁ ଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରାସ୍ତାର ମରାମତି ପାଇଁ ଦାବି କରି ସାମାଜିକ କର୍ମୀ ବିଜୟ ପ୍ରଧାନ ଏବଂ ଗ୍ରାମବାସୀଙ୍କ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ସମ୍ବନ୍ଧିତ ଖବର