ଗୁମ୍ମା : ଗଜପତି ଜିଲ୍ଲାରେ ସକ୍ରିୟ ହୋଇ ଉଠିଛି ନକଲି ନୋଟ୍ ଛପା ଓ କାରବାରର ର୍ୟାକେଟ୍। ଆଉ ଏହି ର୍ୟାକେଟ୍ର ଚେର ରାୟଗଡ଼ା ଜିଲ୍ଲା ପର୍ଯ୍ୟନ୍ତ ଲମ୍ବିଛି। ଗୁମ୍ମା ବ୍ଲକର କେସିପୁର ଗ୍ରାମ ଠାରେ ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ପୁଲିସ ଆଜି ପହଞ୍ଚି ଜାଲ୍ ନୋଟ୍ ଛପାଯାଉଥିବା କାରଖାନା ଠାବ କରିଛି।
କିଛି ଦିନ ତଳେ ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ପୁଲିସ ନକଲି ନୋଟ୍ କାରବାର କରୁଥିବା ମାମଲାରେ ତିନିଜଣଙ୍କୁ ଗିରଫ କରିଥିଲା। ଜେରା ବେଳେ ସେମାନେ ନୋଟ୍ ଛପା କାରଖାନା ଗଜପତିର ଗୁମ୍ମା ବ୍ଲକ କେସିପୁରଠାରେ ସନ୍ତୋଷିଳ ଷଡ଼ଙ୍ଗୀ ନାମକ ଜଣେ ଯୁବକ ଚଳାଉଥିବା ପୁଲିସକୁ ସୂଚନା ଦେଇଥିଲେ। ସେମାନଙ୍କ ବୟାନକୁ ଆଧାର କରି କେସିପୁର ଗ୍ରାମରେ ଥିବା ସନ୍ତୋଷିଳର ଦୋକାନ ଉପରେ ଚାନ୍ଦିଲି ଥାନା ପୁଲିସ ଚଢଉ କରି ସେଠାରୁ କମ୍ପ୍ୟୁଟର, ହାର୍ଡଡିସ୍କ ଓ ପ୍ରିଣ୍ଟର୍ ସମେତ ଅନ୍ୟାନ୍ୟା ସାମଗ୍ରୀ ଜବତ କରିଛି। ତେବେ ମାଷ୍ଟରମାଇଣ୍ଡ୍ ସନ୍ତୋଷିଳ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି।
ସୂଚନା ପ୍ରକାରେ, ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅଧୀନ କଲୋନରା ଗ୍ରାମରେ ଚାଲିଥିବା ଯାତ୍ରାରୁ ନକଲି ୫ଶହ ଟଙ୍କିଆ ନୋଟ୍ ଜବତ ହୋଇଥିଲା। ଏହି କାରବାରରେ ସଂପୃକ୍ତ ପୁଲିସ ସେହି ଗ୍ରାମର ଯଶୋବନ୍ତ ଜେନା ଓ ତା’ର ପୁଅ ରଂଜନ ଏବଂ ଗୁଣୁପୁର ବ୍ଲକ ପୁଟାସିଂ ଗ୍ରାମର ରାଜକୁମାର ପାଣି ଗିରଫ ହୋଇଥିଲେ। ସେମାନଙ୍କ ତଥ୍ୟକୁ ଆଧାର କରି ଚାନ୍ଦିଲି ଥାନା ଅଧିକାରୀ ମନୋଜ କୁମାର ବେହେରାଙ୍କ ନେତୃତ୍ୱ ଏବଂ ଗଜପତି ଜିଲ୍ଲାର ସହଯୋଗରେ ସାଦା ପୋଷାକାରେ ପୁଲିସ ଗତକାଲି ରାତିରେ ସନ୍ତୋଶିଳର ଦୋକାନ ଉପରେ ଚଢ଼ଉ କରି ସେଠାରେ ଥିବା କମ୍ପ୍ୟୁଟର, ହାର୍ଡଡିସ୍କ୍ ଓ ପ୍ରିଣ୍ଟର, ସ୍କାନର୍ ଆଦି ଜବତ କରିଛି।