ଜନସ୍ବାସ୍ଥ୍ୟ ବିଭାଗର ଅମୁହାଁ ନୀତି :ଖୋଳୁଛନ୍ତି…ଅଧପନ୍ତରିଆ ଭାବେ ଛାଡ଼ୁଛନ୍ତି

ପାରଳାଖେମୁଣ୍ତି: ରାଜ୍ୟ ସରକାରଙ୍କ ଦ୍ବାରା ବିଭିନ୍ନ ସହରରେ ପାନୀୟ ଜଳ ଯୋଗାଣ କାର୍ଯ୍ୟ ଜାରି ରହିଥିବା ବେଳେ ପାରଳାଖେମୁଣ୍ତି ସହରରେ ମଧ୍ୟ ସମସ୍ତ ଘରକୁ ଜଳ ଯୋଗାଣ ପାଇଁ ପ୍ରକ୍ରିୟା ଜାରି ରହିଛି। ଜନସ୍ବାସ୍ଥ୍ୟ ବିଭାଗର ଏଭଳି କାର୍ଯ୍ୟକୁ ଲୋକେ ସ୍ବାଗତ କରିଛନ୍ତି। ତେବେ, ବିଭାଗର ଅଧିକାରୀମାନଙ୍କ ଅମୁହାଁ ନୀତି ଯୋଗୁଁ ସମସ୍ତ କାର୍ଯ୍ୟ ଅଧପନ୍ତରିଆ ଭାବେ ଛାଡ଼ି ଦିଆଯିବା ଫଳରେ ଲୋକେ ବହୁ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି।
ପୌରପାଳିକା ଦ୍ବାରା ନିର୍ମିତ ସମସ୍ତ ରାସ୍ତାକୁ କାଟି ପାଇପ ବିଛାଇବା, ସମ୍ପ୍ ତିଆରି କରିବା ଭଳି କାର୍ଯ୍ୟ ଗତ ବ‌େର୍ଷ ହେଲା ଚାଲିଛି। ତେବେ, ଏହି କାର୍ଯ୍ୟ ଠିକ ଭାବେ ହେଉ ନାହିଁ ବୋଲି ପୂର୍ବତନ ଜିଲ୍ଲାପାଳଙ୍କ ନିକଟରେ ସ୍ଥାନୀୟ ବୁଦ୍ଧିଜୀବୀମାନେ ଅଭିଯୋଗ କରିଥିଲେ ।
ସହରର ମୁଖ୍ୟ ରାସ୍ତା ଭାବେ ପରିଚିତ ରାମକୃଷ୍ଣ ପାଢୀ ମାର୍ଗର ବାଟଗୌଡ଼ ସାହି ଛକ ଠାରୁ ଆରମ୍ଭ କରି ହାଇସ୍କୁଲ ଛକ ଦେଇ ବଜାର ଛକ ପର୍ଯ୍ୟନ୍ତ ରାସ୍ତାକୁ ଖୋଳାଯାଇ ପାଇପ ବିଛାଇବା କାର୍ଯ୍ୟ ଚାଲୁଥିବା ବେଳେ ସ୍ଥାନାୟ ବଜାର ଛକ ଠାରେ ପାଣି ଲିକ୍ ହୋଇ ରାସ୍ତାକୁ ନଷ୍ଟ କରି ଦେଇଥିଲା। ଜନସ୍ବାସ୍ଥ୍ୟ ବିଭାଗ ଏହି ପାଇପ ରିପେରିଂ କାର୍ଯ୍ୟ କରିଥିଲା । ସେହିଭଳି, ବଡ଼ଦାଣ୍ତରେ ଗୋଟିଏ ଜାଗାରେ ପାଇପ ବିଛାଇବା ପାଇଁ ମାର୍କିଙ୍ଗ କରାଯାଇ ଅନ୍ୟ ଜାଗାରେ ପାଇପ ବିଛାଗଲା । ସେହି କାର୍ଯ୍ୟର ମାଟି ବର୍ତ୍ତମାନ ମଧ୍ୟ ରାସ୍ତାରେ ପଡ଼ି ରହିଛି । ଏହାକୁ ସମ୍ପୂର୍ଣ୍ଣ କରିଥିବା ଠିକା ସ˚ସ୍ଥାର ଦେଖା ନାହିଁ । ବର୍ତ୍ତମାନ ଆଉ ଏକ ବଡ଼ ସମସ୍ୟା ହେଉଛି – ଜନସ୍ବାସ୍ଥ୍ୟ ବିଭାଗର ରାସ୍ତାରେ ପାଇପ ଜଏଣ୍ଟ ଖୋଳା ଯାଇଥିବା ସ୍ଥାନରେ କୌଣସି ପ୍ରକାର କାର୍ଯ୍ୟ ଚାଲୁଥିବା ନେଇ ସୂଚନା ଫଳକ ଲାଗିନଥିବା ଫଳରେ ଲେ‌େକ ଜାଣି ନ ପାରି ପଡ଼ି ଯାଉଛନ୍ତି ଏବଂ ଆହତ ହେଉଛନ୍ତି । ସେହିଭଳି, ପୂର୍ବରୁ ଖୋଳା ଯାଇଥିବା ଜାଗାରେ କାର୍ଯ୍ୟ ସମ୍ପୂର୍ଣ୍ଣ ନ କରାଯାଇ ଅନେକ ଦିନ ପର୍ଯ୍ୟନ୍ତ ଛାଡ଼ି ଦିଆଯାଉଛି ।
ଏଣୁ, ପୌରପାଳିକା ଦାୟିତ୍ବରେ ଖୋଦ୍ ଜିଲ୍ଲାପାଳ ଥିବା ବେଳେ ସେ ନିଜେ ସହର ମଧ୍ୟରେ ବୁଲି ଏହି ଅଧପନ୍ତରିଆ କାର୍ଯ୍ୟ ସମ୍ପୁର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର