ପାରଳାଖେମୁଣ୍ଡି: ଲଘୁଚାପ ଜନିତ ବର୍ଷା ଉଜାଡ଼ି ଦେଲା ସବୁ କିଛି। ଘର ଦ୍ବାର, ରାସ୍ତାଘାଟ, ଫସଲ ସବୁ ଛାରଖାର କରିଦେଲା ବର୍ଷା। ଏବେ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ। ଜିଲ୍ଲାର ଗୋଷାଣୀ ଓ କାଶୀନଗର ବ୍ଳକରେ ଶହ ଶହ ଏକର ଧାନ ଓ ପରିବା ଚାଷ ହେଉଥିବା ବେଳେ ବହୁ ଚାଷୀ ଧାନ ସହ ଅର୍ଥକାରୀ ଫସଲ ମକା ଓ କପା ଚାଷ ମଧ୍ୟ କରିଥାନ୍ତି। ତେବେ ତିନି ଦିନ ଧରି ହୋଇଥିବା ଲଗାଣ ବର୍ଷାରେ ଜିଲ୍ଲାର ହେକ୍ଟର ହେକ୍ଟର ଚାଷଜମି ଜଳ ନିଷ୍କାସନ ହୋଇ ନପାରି ଜଳ ମଗ୍ନ ହୋଇ ରହିବା ଫଳରେ ବହୁ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି ବିଶେଷ କରି କାଶୀନଗର ବ୍ଳକର ନଦୀ କୁଳିଆ ଅଞ୍ଚଳରେ ହୋଈଥିବା କପା, ମକ୍କା ଓ ପରିବା ଚାଷୀ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି।
ମୋହନା ବ୍ଲକରେ ସର୍ବାଧିକ ଫସଲ ନଷ୍ଟ ହୋଇଥିବା ଜଣାପଡ଼ିଛି। ମକ୍କା ଗଛ ସବୁ ନାଲି ପଡ଼ି ପଚିଯାଇଛି। କପା ଫସଲ ଫୁଲ ଧରିବା ସମୟ ହୋଇଥିବାରୁ ଆଉ ଅମଳ ଭଲ ହେବନି ବୋଲି କହୁଛନ୍ତି ଚାଷୀ। ସେହିଭଳି ଶହ ଶହ ଏକର ଟମାଟୋ ଚାଷ ନଷ୍ଟ ହୋଇଛି। ଟମାଟୋ ଏକ ବ୍ୟୟ ବହୁଳ ଚାଷ। ବିହନ ଠାରୁ ଚାରା ରୋପଣ ସହ, ସାର କୀଟନାଶକ ଆଦି ବ୍ୟବହାର କରି ବହୁ ଅର୍ଥ ଖର୍ଚ୍ଚ କରି ଚାଷ କରିଥିଲେ ଚାଷୀ। କିନ୍ତୁ ଅମଳ ପୁର୍ବରୁ ସବୁ ନଷ୍ଟ କରିଦେଇଛି ବର୍ଷା ଜଳ। ତେଣୁ ଚାଷୀ କୁଳ ଏବେ ଚିନ୍ତାରେ।
ବହୁ ପରିଶ୍ରମ କରି ନଦୀକୂଳିଆ ଅଞ୍ଚଳରେ କପା, ମକା ସମେତ ଟମାଟ, ବାଇଗଣ ଆଦି ପରିବା ଚାଷ କରିଥିଲେ ଚାଷୀ। ଅମଳ ଦେବା ପୂର୍ବରୁ ଲଗାଣ ବର୍ଷାରେ ଏହି ସବୁ ଚାଷ ଜମି ଉପରେ ବଢ଼ି ପାଣି ମାଡ଼ି ଫସଲ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି। କେଉଁଠି କେଉଁଠି ସଂପୂର୍ଣ୍ଣ ଚାଷ ଜମିରେ ବଳି ମାଡ଼ି ଯାଇଛି।
ନିଜ ଖର୍ଚ୍ଚରେ ଜଳସେଚନ ଠାରୁ ଉତ୍ପାଦନ ପର୍ଯ୍ୟନ୍ତ ସମସ୍ତ କିଛି ବହନ କରି ଭଲ ଅମଳ ହେବା ନେଇ ଆଶା କରିଥିଲେ। ପରିଶ୍ରମର ଫଳ ସ୍ୱରୂପ ଚାଷୀ ଫସଲ ବିକ୍ରି କରି ଦୁଇ ପଇସା ରୋଜଗାର କରିବେ କିନ୍ତୁ ଆଖି ଆଗରେ ସବୁ ଫସର ଫାଟିଗଲା। ବନ୍ୟାଜଳରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା ଫସଲ। ନିଜ ପରିଶ୍ରମର ଫଳ ଚାଷ ଜମିର କାଦୁଅରେ ଭାସୁଥିବା ବେଳେ ପୋଡ଼ା ଘରୁ ଆଉ ରୁଅ ଖଣ୍ଡେ ମିଳିବ କି ନାହିଁ ସେ ନେଇ ଆଶଙ୍କାରେ ଚାଷୀକୂଳ, ଯାହା ଚାଷୀଙ୍କ ଆର୍ଥିକ ସ୍ଥିତିକୁ କ୍ଷତି ପହଞ୍ଚାଇଛି। ସହାୟତା ପାଇଁ ସରକାରଙ୍କ ଠାରେ ଆକୂଳ ନିବେଦନ କରିଛନ୍ତି କ୍ଷତିଗ୍ରସ୍ତ ଚାଷୀ। ଏପରି ସ୍ଥଳେ ସରକାରୀ ସହାୟତା ଏକମାତ୍ର ଆଶା କରୁଛନ୍ତି ଚାଷୀ।
ତେବେ ଜିଲ୍ଲାରେ ମୋଟ ୩୨୫୭ ହେକ୍ଟର ଚାଷ ଜମିରେ ଫସଲ କ୍ଷତି ହୋଇଛି। ୩୧୦୯ ହେକ୍ଟର ଅଣ ଜଳସେଚିତ ଓ ୧୪୭.୬୯ ହେକ୍ଟର ଜଳସେଚିତ ଜମିରେ ଫସଲନଷ୍ଟ ହୋଇଥିବା କୃଷି ବିଭାଗ ପକ୍ଷରୁ ଆକଳନ କରାଯାଇଛି। କେତେ ପରିମାଣର ଧାନ ଫସଲ, କେତେ ପରିବା ଓ ଅର୍ଥକାରୀ ଫସଲ କେତେ ନଷ୍ଟ ହୋଇଛି ଏବଂ ଚାଷୀଙ୍କ ବିବରଣୀର ରିପୋର୍ଟ ପ୍ରସ୍ତୃତ କରାଯାଉଛି ଯଥା ଶୀଘ୍ର ପ୍ରଦାନ କରିଆଜୀବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କହିଛନ୍ତି। ତେବେ କ୍ଷତିଗ୍ରସ୍ତ ହୋଇଥିବା ଚାଷକୁ ଆକଳନ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ଓ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ।
Farmers | Gajapati
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/11/043f9a8d-d305-466c-a3fd-665de00d5830-2025-10-11-21-11-50.jpg)