ପାରଳାଖେମୁଣ୍ତି : ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୧୭ତମ, ୧୮ତମ ଓ ୧୯ ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ପୋଷ୍ୟ ସନ୍ତାନ ଭାବେ ସୁଦୂର ଇଟାଲିର ଗୋଟିଏ ଦମ୍ପଦ୍ଧି ଏବଂ ପଶ୍ଚିମବଙ୍ଗର ଦୁଇଟି ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି । ଲକଡାଉନ୍ ଏବଂ ସଢ଼ାଉ ସମୟରେ ଜିଲ୍ଲାର ବିଭିନ୍ନ ଜାଗାରୁ ପରିତ୍ୟକ୍ତ ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କର ଯତ୍ନ ଓ ସୁରକ୍ଷା ପାଇଁ ଜିଲ୍ଲାରେ ଥିବା ଏକମାତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ନିସାନ ସାଲୋମ, ପାରଳାଖେମୁଣ୍ଡି ରେ ରଖାଯିବା ସହ ସେମାନଙ୍କର ପୋଷ୍ୟ ପାଇଁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ରର ପୋର୍ଟାଲରେ ଅପଲୋଡ଼ କରାଯାଇଥିଲା । ପରବର୍ତ୍ତୀ ମୁହୁର୍ତ୍ତରେ ଶିଶୁମାନଙ୍କୁ ଶିଶୁ ମଙ୍ଗଳ ସମିତି, ଗଜପତି ଆଇନତଃ ମୁକ୍ତ ଭାବେ ଘୋଷଣା କରିଥିଲେ । ଯାହାଦ୍ଵାରା ଶିଶୁମାନେ ପୋଷ୍ୟ ଭାବେ ଯେକୌଣସି ଦମ୍ପତ୍ତିଙ୍କ ପାଖକୁ ଯାଇପାରିବେ ତାହା ସମସ୍ତଙ୍କୁ ପୋର୍ଟାଲ ମାଧ୍ୟମରେ ଜଣାଇଦିଆଯାଇଥିଲା ।
ପରବର୍ତ୍ତୀ ସମୟରେ ମାସ ମାସ ଧରି ସନ୍ତାନ ପାଇଁ ଅନଲାଇନ୍ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ଦମ୍ପତ୍ତି ମାନଙ୍କୁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ । ଉପରୋକ୍ତ ଦମ୍ପତ୍ତି ଶାରୀରିକ ଭାବେ ଶିଶୁମାନଙ୍କୁ ପସନ୍ଦ କରି ନେବାପାଇଁ ସ୍ଥିର କରିଥିଲେ । ତାପରେ ଆବଶ୍ୟକ ହେଉଥିବା ଦସ୍ତାବିଜ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପ୍ରସ୍ତୁତ କରିଥିଲେ । ପରବର୍ତ୍ତୀ ମୂହୁର୍ତ୍ତରେ ସମସ୍ତ ଦସ୍ତାବିଜକୁ ଜିଲ୍ଲାପାଳ ଯାଞ୍ଚ କରିଲା ପରେ ଆଜି ଦୁଇଟି ଶିଶୁକୁ ପଶ୍ଚିମବଙ୍ଗର ଦୁଇଟି ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଦିଆଯାଇଥିଲା ବେଳେ ଅନ୍ୟ ଗୋଟିଏ ଶିଶୁକୁ ସୁଦୂର ଇଟାଲିର ଦମ୍ପତ୍ତିଙ୍କୁ ହସ୍ତାନ୍ତର କରାଯାଇଛି । ଏହି ସମସ୍ତ ଶିଶୁ କନ୍ୟାରତ୍ନ ହୋଇଥିଲା ବେଳେ ଏହି ମାନଙ୍କୁ ପାଇ ଦମ୍ପତ୍ତିମାନେ ବେଶ ଖୁସି ଥିବା ଲକ୍ଷ୍ୟ କରାଯାଇଥିଲା ।
ହସ୍ତାନ୍ତର ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରୀପାଠୀ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳ, ଶିଶୁ ମଙ୍ଗଳ ସମିତିର ସଭ୍ୟ ଅଳକା ସାହୁ, ନିସାନ ସାଲୋମ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ନିର୍ଦ୍ଦେଶକ ବିଶ୍ବଜିତ୍ ପାଣି ଏବଂ ସମ୍ପାଦିକା ସଞ୍ଚୁପ୍ରଭା ପାଣି ପ୍ରମୁଖ ଉପସ୍ଥିତ ଥିଲେ ।