ପାରଳା ସ୍ବାଭିମାନ ମଞ୍ଚର ସାମ୍ବାଦିକ ସମ୍ମିଳନୀ

ପାରଳାଖେମୁଣ୍ଡି: ବଂଶଧାରା  ନଦୀ ଜଳ ବିବାଦ ନେଇ ଗଜପତି ଜିଲ୍ଲାରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଗତକାଲି ପାରଳା ସ୍ୱାଭିମାନ ମଞ୍ଚ ଓ ଜିଲ୍ଲା କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବଂଶଧାରା ନଦୀ ଜଳ ପରିଚାଳନା ପାଇଁ ଓଡ଼ିଶା ସରକାରଙ୍କ ବିଫଳତାକୁ ଦାୟୀ କରିଛି । ପାରଳା ସ୍ୱାଭିମାନ ମଞ୍ଚର ଆବାହକ ଡ. ତିରୁପତି ପାଣିଗ୍ରାହୀ, ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଜି. ତିରୁପତି ରାଓ ଆନ୍ଧ୍ର ଭାଗରେ ପଡୁଥିବା ଜଳ ସଠିକ ବିନିଯୋଗ କରୁଥିବା ବେଳେ ଓଡ଼ିଶା ସରକାର ଏଥିରେ ସମ୍ପୂର୍ଣ୍ଣ ଭାବେ ବିଫଳ ବୋଲି ଅଭିଯୋଗ କରିଛନ୍ତି । କେବଳ ରାଜନୀତି କରିବା ପାଇଁ ଆନ୍ଧ୍ରର ପ୍ରକଳ୍ପ ନିର୍ମାଣ ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ରାଜ୍ୟ ସରକାର । ଏପରି ମାମଲାକୁ ମଧ୍ୟ ସଠିକ ଭାବେ ପରିଚାଳନା କଲେ ନାହିଁ । ନଦୀର ତଳମୁଣ୍ଡରେ ଥାଇ ଆନ୍ଧ୍ର ଜଳ ପରିଚାଳନା କରି  ତାଙ୍କ ଚାଷୀଙ୍କୁ ସହଯୋଗ କରୁଥିବା ବେଳେ ଉପର ମୁଣ୍ଡରେ ଥିବା ଓଡ଼ିଶାର ଚାଷୀ ଏଥିରୁ ବଞ୍ଚିତ ହେଉଥିବା ଅଭିଯୋଗ କରାଯାଇଛି।

ନଦୀଜଳ ବିବାଦର ଶୁଣାଣି କରୁଥିବା ଟ୍ରିବ୍ୟୁନାଲ ଟିମ ଆଜି ଏହି ଅଞ୍ଚଳର ସ୍ଥିତି ସମୀକ୍ଷା ପାଇଁ ଆସିଥିବା ବେଳେ ସ୍ଥାନୀୟ ଚାଷିଙ୍କୁ ସମସ୍ୟା ଜଣାଇବାକୁ ବ୍ୟବସ୍ଥା କରାଗଲା ନାହିଁ । ବରଂ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ଏବଂ କିଛି ଦଳୀୟ ନେତାଙ୍କୁ ଲଗାଇ ଏହାକୁ ଭଣ୍ଡୁର କରିବା ପାଇଁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଛି । ଟିମ ସହିତ ସାକ୍ଷାତ ନ କରିବା ପାଇଁ ତାଗିଦ  କରାଯାଇଥିଲା । ତଥାପି କିଛି ଚାଷୀ ମିଶିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ପୋଲିସ ଲଗାଇ ସେମାନଙ୍କୁ ଅଟକା ଯାଇଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି । ଓଡ଼ିଶାର ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ରାଜ୍ୟ ସରକାର ତୁରନ୍ତ ଏକ ପ୍ରକଳ୍ପ ନିର୍ମାଣ କରିବା ଉପରେ ଧ୍ୟାନ ଦେବା ପାଇଁ ଦାବି କରିବା ସହ ତୁରନ୍ତ ଏହି କାମ ଆରମ୍ଭ ନ ହେଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀରେ ପ୍ରକଳ୍ପ ଦ୍ବାରା କ୍ଷତିଗ୍ରସ୍ତ ହେବାକୁ ଥିବା ଗଜପତି ଜିଲ୍ଲା କାଶୀନଗର ବ୍ଲକର ଖାଣ୍ଡବା, ବୁଦୁରା, ଗୋରିବନ୍ଧା, କିଡିଗାଁ ପଞ୍ଚାୟତର ବହୁ ଲୋକ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର