କାଶୀନଗର: କାଶୀନଗର ଏନ୍ଏସି ଅଧ୍ୟକ୍ଷା ଏମ୍.ସୁଧାରାଣୀ ଓ ତାଙ୍କ ପୁତ୍ର ତଥା କାଉନ୍ସିଲର ଏମ୍.ପ୍ରବୀଣ କୁମାର ଦଳ ବିରୋଧୀ କାର୍ଯ୍ୟକଳାପ କରୁଛନ୍ତି ଏବଂ ବିଜେପି ମୁହାଁ ହୋଇଛନ୍ତି। ଏ ସଂପର୍କରେ ଅନୁଧ୍ୟାନ କରି ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେଡି ଏନ୍ଏସି ସଭାପତି ଆର.ଚଲପତି ରାଓ, ଉପାଧ୍ୟକ୍ଷ ଏସ୍.ବୈକୁଣ୍ଠ ରାଓଙ୍କ ସମେତ କିଛି କାଉନ୍ସିଲର ଓ ନେତା ଦଳୀୟ ହାଇକମାଣ୍ଡ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଏହା ପରେ କାଶୀନଗର ରାଜନୀତିରେ ଭୂକମ୍ପ ସୃଷ୍ଟି ହୋଇଛି।
ସେମାନେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଏମ୍.ସୁଧାରାଣୀ ବିଜେଡି ଦଳରେ କାଉନ୍ସିଲର ଭାବେ ଜୟଲାଭ କରିଥିଲେ ଏବଂ ୯ ଜଣ କାଉନ୍ସିଲରଙ୍କ ମସର୍ଥନରେ ଏନ୍ଏସି ଅଧ୍ୟକ୍ଷା ରୂପେ ନିର୍ବାଚିତ ହୋଇଥିଲେ। କିନ୍ତୁ, ଗତ ପ୍ରାୟ ଏକ ବର୍ଷ ହେଲା ସେ ବିଜେଡିର କାଉନ୍ସିଲର ଓ ଦଳୀୟ କର୍ମୀଙ୍କୁ ଛାଡି ବିଜେପି ସହ ହାତ ମିଳାଇଛନ୍ତି। ତାଙ୍କ ପୁତ୍ର ଏମ୍.ପ୍ରବୀଣ କୁମାର ସଧାସଳଖ ବିଜେପି ପାଇଁ କାମ କରୁଛନ୍ତି। କାଶୀନଗର ସହରରେ ବିଜେପି ମଜବୁତ୍ ଥିବା ସତ୍ତେ ଉଭୟ ମା’ ପୁଅ ଦଳକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଗତ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ବିଜେଡିର ୱାର୍ଡ କମିଟି ଗଠନରେ ମଧ୍ୟ ଯୋଗ ଦେଇ ନାହାନ୍ତି। କେବଳ ଏତିକି ନୁହେଁ, ସୁଧାରାଣୀ ବିଜେଡି ଦଳର ଅଧ୍ୟକ୍ଷା ଥିବା ସତ୍ତେ ତାଙ୍କ ପୁଅଙ୍କ ଦ୍ୱାରା ଉନ୍ନତି ଯୋଜନାରେ ରହିତାଦେଶ ଆଣାଇଛନ୍ତି। ବିଜେପିର ରାଜ୍ୟ ନେତାମାନଙ୍କ ସହ ସଂପର୍କ ରଖି କାଶୀନଗରରେ ମଧ୍ୟ ବିଜେପି ପାଇଁ ପ୍ରଚାର କରୁଛନ୍ତି। ଏନ୍ଏସି ଅଧ୍ୟକ୍ଷା ରହିଥିବା ସ୍ଥଳେ ସେ ସହର ପାଇଁ କୌଣସି ଉନ୍ନୟନମୂଳକ କାର୍ଯ୍ୟ କରୁ ନାହାନ୍ତି। ବିଜୁ ଜନତା ଦଳକୁ ରକ୍ଷା କରିବା ପାଇଁ ସୁଧାରାଣୀଙ୍କ ବିଜେପି ପ୍ରୀତି ପ୍ରତି ଅନୁସନ୍ଧାନ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏହି ଚିଠିରେ ବିଜୁ ଜନତା ଦଳର କାଶୀନଗର ଟାଉନ୍ ସଭାପତି ଆର.ଚଲପତି ରାଓ, ଉପାଧ୍ୟକ୍ଷ ଏସ୍. ବୈକୁଣ୍ଠ ରାଓ, କାଉନ୍ସିଲର ଏଲ.ନାଗେଶ୍ୱର ରାଓ, କେ.ରାବଣାମ୍ମା, ସୁଣ୍ଡି ଭାଗ୍ୟବତୀ, ଆର. କୋମଳିଙ୍କ ସମେତ ଦଳର ଯୁବ ସଭାପତି ରଘୁରାମ ସାହୁ, ଉପ ସଭାପତି ଏସ୍.ଲକ୍ଷ୍ମଣ ରାଓ ପ୍ରମୁଖ ଦସ୍ତଖତ କରିଛନ୍ତି।
ଏ ସଂପର୍କରେ ଏନ୍ଏସି ଅଧ୍ୟକ୍ଷା ଏମ୍.ସୁଧାରାଣୀଙ୍କ ମତାମତ ନେବାରେ ସେ କୌଣସି ଦଳ ବିରୋଧୀ କାର୍ଯ୍ୟ କରିନଥିବା ପ୍ରକାଶ କରିଛନ୍ତି। ସେ ଦୀର୍ଘ ୧୫ ବର୍ଷ ଧରି ବିଜେଡିରେ ରହି ଦଳ ପାଇଁ କାର୍ଯ୍ୟ କରିିଆସିଛନ୍ତି। ପ୍ରତି ନିର୍ବାଚନରେ ଦଳର ଭୋଟ ସଂଖ୍ୟା ବଢିବାରେ ଲାଗିଛି। ସେ କଣ ଭୁଲ କରିଛନ୍ତି ପ୍ରମାଣ ଦିଅନ୍ତୁ ବୋଲି କହିବା ସହ କୌଣସି ପରିସ୍ଥିତିରେ ମଧ୍ୟ ଦଳ ଛାଡ଼ିବେ ନାହିଁ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଯେଉଁ କିଛି ନେତା କଂଗ୍ରେସରୁ ବିଜେଡି ଦଳରେ ସାମିଲ ହୋଇଛନ୍ତି, ସେମାନେ ନିଜ ନିଜ ଫାଇଦା ହସଲ ପାଇଁ ଏଭଳି କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି। ଏନ୍ଏସି ଅଧ୍ୟକ୍ଷା ଏମ୍.ସୁଧାରାଣୀଙ୍କ ପୁତ୍ର ତଥା କାଉନ୍ସିଲର ଏମ୍.ପ୍ରବୀଣ କୁମାର କହିଛନ୍ତି ଯେ, ପରିଷଦର ବିନା ସହମତିରେ ଉନ୍ନତି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଥିବାରୁ ଜଣେ କାଉନ୍ସିଲର ହିସାବରେ ସେ ରହିତାଦେଶ ଆଣିଲେ। ଏଥିରେ ଆଉ କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।
କାଶୀନଗର ଏନ୍ଏସି ରାଜନୀତିରେ ଭୂକମ୍ପ:ଅଧ୍ୟକ୍ଷାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦଳୀୟ ନେତା ଓ କାଉନସିଲର୍
/sambad/media/post_attachments/wp-content/uploads/2018/02/application-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)