ପାଣି ପଞ୍ଚାୟତ ଦୁର୍ନୀତି-୨:ପାଣି ପଞ୍ଚାୟତକୁ ଦୁର୍ବଳ କରି ଲାଭ ଉଠାଉଛନ୍ତି ଯନ୍ତ୍ରୀ ଓ ଠିକାଦାର

ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କ ପାଖରେ ସମୟ ନାହିଁ : କୃଷକ ସଂଗଠନ

ପାରଳାଖେମୁଣ୍ଡି: ରାଜ୍ୟ ସରକାରଙ୍କ କୃଷି ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଥିଲା ପାଣି ପଞ୍ଚାୟତ ଯୋଜନା । ସୀମିତ ଚାଷୀଙ୍କୁ ସଂଗଠିତ କରି ସେମାନଙ୍କୁ ପଞ୍ଚାୟତ ଢାଞ୍ଚାରେ କାମ କରିବାକୁ ସୁଯୋଗ ଦିଆଯିବ ବୋଲି ଯୋଜନାର ଆଭିମୁଖ୍ୟ ରହିଥିଲା । ତେବେ ଏହି ଆଭିମୁଖ୍ୟକୁ ଜଳସେଚନ ବିଭାଗ ଏବଂ କୃଷି ବିଭାଗର ଅଧିକାରୀମାନେ ଦିଗହରା କରି ଦେଇଥିବା ଅଭିଯୋଗ ହୋଇଛି। ପାଣିପଞ୍ଚାୟତକୁ ଦୁର୍ବଳ କରି କୃଷି ଯୋଜନାଗୁଡ଼ିକୁ ଠିକାଦାରଙ୍କ ମାଧ୍ୟମରେ କରାଯାଉଥିବା ଦେଖିବାକୁ ମିଳିଛି ।
ଜଳସେଚନ ବିଭାଗ ବହୁ ବର୍ଷଧରି ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ରହିଛି । ଆନ୍ଧ୍ରପ୍ରଦେଶ ଓ ପଞ୍ଜାବ ରାଜ୍ୟର ପାଣି ପଞ୍ଚାୟତ ଢାଞ୍ଚାରେ ଓଡ଼ିଶାରେ ପାଣି ପଞ୍ଚାୟତ କରିବା ପାଇଁ ଯୋଜନା କରାଯାଇଥିଲା । ହେଲେ, ଗଜପତି ଜିଲ୍ଲାରେ ଏହା ବିଫଳ ହୋଇଛି । ଜିଲ୍ଲା ଚାଷୀ ସଂଗଠନ ଏହି ବିଷୟରେ ବାରମ୍ବାର ଜିଲ୍ଲାପାଳ, କୃଷି ଅଧିକାରୀ ଏବଂ ଜଳସେଚନ ବିଭାଗର ଅଧିକାରୀମାନଙ୍କର ନଜରକୁ ଆଣିବା ସତ୍ତ୍ୱେ ଯୋଜନାକୁ ପୁନଃ ସକ୍ରିୟ କରିବା ପାଇଁ କାହାରି ଆଗ୍ରହ ନାହିଁ ବୋଲି କୃଷକ ସଂଗଠନ ଅଭିଯୋଗ କରିଛି ।
ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଉପକଣ୍ଠରେ ଥିବା କେରାଣ୍ଡି ପାଣି ପଣଞ୍ଚାୟତକୁ ଯୋଜନାବଦ୍ଧ ଭାବେ ଦୁର୍ବଳ ଏବଂ ନିଷ୍କି୍ରୟ କରାଯାଇଛି । ରାମ ସାଗରର ଉପର ମୁଣ୍ଡ ଏବଂ ଏହାର କେନାଲ ତଳ ମୁଣ୍ଡର ଚାଷୀମାନଙ୍କୁ ନେଇ ଦୁଇଟି ପାଣି ପଞ୍ଚାୟତ ଗଠନ କରାଯାଇଥିଲା ।

ଏହି ଦୁଇଟି ପଞ୍ଚାୟତ ଅଧିନରେ ୧୬୦୦ ଏକର ଜମି ରହିଛି । ଉପର ମୁଣ୍ଡ ପାଣି ପଞ୍ଚାୟତ ସଭାପତି ଗଣପତି ପାତ୍ର ଓ ସମ୍ପାଦକ ଭାବେ ପ୍ରଶାନ୍ତ ମନୋନୀତ ହୋଇଥିବା ବେଳେ ତଳ ମୁଣ୍ଡ ପାଣିପଞ୍ଚାୟତ ଦାୟିତ୍ୱରେ ଅଛନ୍ତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ଏବଂ ଓ୍ଵାଇ. ରାମୁଲୁ । ବିଗତ ୩ବର୍ଷ ଧରି ଏହି ଦୁଇଟି ପାଣି ପଞ୍ଚାୟତର ସଦସ୍ୟ ମାନେ ନିଜେ ଶ୍ରମଦାନ କରି ରାମ ସାଗର ଠାରୁ ସୀତା ସାଗର କେନାଲ ମରମତି ଓ ସଫେଇ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ଅର୍ଥ ରାଶି ମଧ୍ୟରେ କରିପାରିଥିବା ବେଳେ ସେମାନେ ଜଳସେଚନ ବିଭାଗର ଠକାମିର ଶିକାର ହୋଇଛନ୍ତି ।
ଏହି ବିଷୟରେ ଅଧିକ ତଥ୍ୟ ଦେଇ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ କହିଛନ୍ତି ଯେ ସେ ଜଳସେଚନ ବିଭାଗର ନିବେଦନ କ୍ରମେ ରାମ ସାଗର ଠାରୁ ସୀତା ସାଗର କେନାଲ ସଫା କରିବା ଦାୟିତ୍ୱ ଗ୍ରହଣ କରିଥିଲେ । ପୂର୍ବ ବର୍ଷ ଗୁଡିକରେ ଯେଉଁକାମ ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ପ୍ରତିବର୍ଷ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ, ପାଣି ପଞ୍ଚାୟତ ସେହି କାମ ମାତ୍ର ୨ଲକ୍ଷ ଟଙ୍କା ମଧ୍ୟରେ ସମାପ୍ତ କରିପାରିଥିଲେ । କାହିଁକିନା, ନାଳକୁ କୃଷକମାନେ ସଫା କରିବା ପାଇଁ ଖାଇବା ପିଇବା ଭୁଲିଯାଇ କଠିନ ପରିଶ୍ରମ କରିଥିଲେ। କେନାଲ ଉପରେ ଜବର ଦଖଲ ହଟାଇବାକୁ ପ୍ରଶାସନ ସହଯୋଗ ନ କରିବା ଫଳରେ ବର୍ତ୍ତମାନ କାର୍ଯ୍ୟ ଅଧପନ୍ତରିଆ ଭାବେ ପଡିରହିଛି।
ଇତିମଧ୍ୟରେ ରାମ ସାଗରର ମଝିରେ କିଛି କାମ ଆବଶ୍ୟକ ପଡିବାରୁ ପାଣି ପଞ୍ଚାୟତର ପରାମର୍ଶ ନ ନେଇ ନିର୍ଦ୍ଦିଷ୍ଠ ଜଣେ ଠିକାଦାରଙ୍କୁ କାମ ଦିଆଯାଇଛି । ଉକ୍ତ କାମପାଇଁ ୫.୦୬ ଲକ୍ଷ ଟଙ୍କା ରଖାଯାଇଥିବା ବେଳେ ପ୍ରକୃତରେ ଏହାର ଖର୍ଚ୍ଚ ପାଇଁ ୨ ଲକ୍ଷରୁ କମ୍‌ ଟଙ୍କା ଆବଶ୍ୟକ । ବଳକା ଟଙ୍କା ଠିକାଦାର ଏବଂ ଯନ୍ତ୍ରୀ ହଡ଼ପ କରିବାକୁ ଷଡଯନ୍ତ୍ର କରିଛନ୍ତି ବୋଲି କିଷାନ ପାଣି ପଞ୍ଚାୟତ ଓ ରାମଲିଙ୍ଗେଶ୍ୱର ପାଣିପଞ୍ଚାୟତ ସଦସ୍ୟମାନେ ଅଭିଯୋଗ କରିଛନ୍ତି ।
ଏହି ବିଷୟରେ କାଯ୍ୟର୍ନିର୍ବାହୀ ଯନ୍ତ୍ରୀ ପ୍ରଦୀପ୍ତ ରାଉତଙ୍କ ନିକଟରେ ପାଣିପଞ୍ଚାୟତ ସଦସ୍ୟମାନେ ଅଭିଯୋଗ କରିବା ସହିିତ ଜିଲ୍ଲାପାଳଙ୍କୁ ସମସ୍ୟାର ସମାଧାନ କରିବା ପାଇଁ ନିବେଦନ କରିଥିଲେ। କିନ୍ତୁ, ଜିଲ୍ଲାପାଳ ସେମାଙ୍କର ସମସ୍ୟାର ସମାଧାନ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି । ପାଣିପଞ୍ଚାୟତ ସମ୍ପର୍କରେ ଥିବା ସମସ୍ୟା ବିଷୟରେ ଆଲୋଚନା ପାଇଁ ଅନେକ ଥର ଯାଇଥିବା ସତ୍ତ୍ୱେ ଜିଲ୍ଲାପାଳ ସେମାନଙ୍କୁ ସମୟ ଦେଉନାହାନ୍ତି ବୋଲି ଚାଷୀମାନେ କ୍ଷୋଭ ପ୍ରକାଶ କରିଛନ୍ତି।
ବରିଷ୍ଠ ଚାଷୀ ଓ୍ଵାଇ. ରାମୁଲୁ କହିଛନ୍ତି ଯେ ସେମାନଙ୍କ ଜମି ଦେଇ ଯାଇଥିବା କେନାଲକୁ ଯଦି ପାଣି ପଞ୍ଚାୟତ ମାଧ୍ୟମରେ ପ୍ରତିବର୍ଷ ୭୦ରୁ ୧୦୦ ମିଟିର ସିମେଣ୍ଟ କଂକ୍ରିଟ କରାଯାଇ ପାରିଥାଆନ୍ତା ତା’ହେଲେ ଆନ୍ଦ୍ରପ୍ରଦେଶ ଢାଞ୍ଚାରେ ୧୦ ବର୍ଷ ମଧ୍ୟରେ ସବୁ କେନାଲ ସିମେଣ୍ଟେଡ଼ ହୋଇ ପାରିଥାଆନ୍ତା । ଅଗ୍ରଣୀ ଚାଷୀ ଏସ.ଭେଙ୍କଟ ରାଓ. ଓ୍ଵାଇ. ରାମ ଦାସୁ, ଏମ. ମାଧବ, କୃଷ୍ଣ ଜେନା, ମୁରଲୀ ଜେନା ପ୍ରମୁଖ କହିଛନ୍ତି ଯେ ପାଣିପଞ୍ଚାୟତକୁ ଦୁର୍ବଳ କରି ଓ ସଦସ୍ୟମାନଙ୍କୁ କୌଣସି ତଥ୍ୟ ନ ଦେଇ ଅନ୍ଧାରରେ ରଖିବା ପାଇଁ ଯୋଜନା କରାଯାଉଛି । ଏଭଳିକିି ପଞ୍ଚାୟତର ବୈଠକ ବେଳେ ଯନ୍ତ୍ରୀମାନେ ନିମନ୍ତ୍ରିତ ଥିବା ସତ୍ତ୍ୱେ ଉପସ୍ଥିତ ରହୁନାହାନ୍ତି । ରାଜ୍ୟ ସରକାର ପାଣ ିପଞ୍ଚାୟତକୁ ଅଧିକ ସକ୍ରିୟ ଏବଂ ସୁଦୃଢ କରିବା ପାଇଁ ବାର୍ତ୍ତା ଦେଉଥିବା ବେଳେ ତାହାର ବିପରୀତ ଅବସ୍ଥା ଏଠାରେ ଦେଖିବାକୁ ମିଳୁଛି । କେବଳ ପ୍ରତିବର୍ଷ ପାଣିପଞ୍ଚାୟତ ସପ୍ତାହ ବେଳେ କିଛି ସଭାସମିତି କରିବା ଛଡ଼ା ଆଉ କୌଣସି ଯୋଜନାରେ ଚାଷୀମାନଙ୍କୁ ସମ୍ପୃକ୍ତ କରାଯାଉନାହିଁ ବୋଲି ଚାଷୀ ସମାଜ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର