କିଏ କହୁଛି ସତ? ବିଦ୍ୟାଭାରତୀ ନା ତାଙ୍କ ବାପା? କାହାର କାହା କଥାରେ ନାହିଁ ତାଳମେଳ

ପାରଳାଖେମୁଣ୍ଡି: ଯେତିକି ଦିନ ଗଡୁଛି, ପାରଳାଖେମୁଣ୍ଡି ଏସିଏଫ ମୃତ୍ୟୁ ମାମଲାରେ ରହସ୍ୟ ସେତେ ବଢୁଛି ।  ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ପ୍ରଶ୍ନ ଅନେକ ଆସୁଛି ହେଲେ ସନ୍ତୋଷଜନକ ଉତ୍ତର ମିଳିପାରୁନାହିଁ । କେମିତି ହେଲା ସୌମ୍ୟରଞ୍ଜନଙ୍କ ମୃତ୍ୟୁ, ସନ୍ଦେହ ଘେରରେ ପୂରା ଘଟଣା । ମୃତ୍ୟୁର ବଳୟ ଡେଇଁ ପରକୀୟା ପ୍ରୀତି ଦିଗରେ ମୁହାଁଇଲାଣି ମାମଲା । ମାମଲାରେ କାହା କଥାରେ ରହୁନି ତାଳମେଳ ।

ବିଦ୍ୟାଭାରତୀଙ୍କ ଅଭିଯୋଗ , ‘ସ୍ୱାମୀଙ୍କର ଅନ୍ୟ ଝିଅ ସହ ଥିଲା ସମ୍ପର୍କ’ । ତାଙ୍କ କହିବା କଥା ହେଲା, ସୌମ୍ୟଙ୍କ ପାଖକୁ ଗୋଟେ ଝିଅର କଲ୍ ଆସୁଥିଲା । ମୁଁ ତାଙ୍କ ମୋବାଇଲରେ ଥରେ ଦେଖିଥିଲି, ସେ ଜଣକୁ ଆଇ ଲଭ ୟୁ ଲେଖିଥିଲେ । ଏମିତି ବହୁତ ଜିନିଷ ଦେଖିସାରିଲା ପରେ ମୁଁ ତାଙ୍କଠୁ ସତ ଜାଣିବା ପାଇଁ ଚାହୁଁଥିଲି। ତଥାପି ମୁଁ ତାଙ୍କୁ କୌଣସି ପ୍ରକାର କିଛି କଥା କହିନି । ହସ୍ପିଟାଲରେ ଥିବା ଭିତରେ ବି ସେ ମୋତେ ଆଇ ଲଭ ୟୁ କହିଛନ୍ତି, ଆଉ ମୁଁ ବି ତାଙ୍କୁ କହିଛି । ସେପଟେ,  ବିଦ୍ୟାଭାରତୀଙ୍କ ବାପାଙ୍କ ପ୍ରତିକ୍ରିୟାରେ, ମୋ ସମୁଦି ଘର ଆଦୌ ଖରାପ ନୁହେଁ ‘ ଜ୍ୱାଇଁ ଥିଲେ ଦେବତା ଭଳି’ ବୋଲି କହିଛନ୍ତି । ଝିଅ ଉପରେ କାର୍ଯ୍ୟାନୁଷ୍ଠାନ ଚାଲିଛି , ସତ ନିଶ୍ଚୟ ସାମ୍ନାକୁ ଆସିବ ।

ସୌମ୍ୟରଞ୍ଜନଙ୍କ ମାଆଙ୍କ ପ୍ରତିକ୍ରିୟା, ‘ମିଛ କହୁଛି ବୋହୂ’ । ତାଙ୍କ କହିବାନୁଯାୟୀ, ବୋହୂ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ମିଛ ଅଟେ । ମୋ ପୁଅ କାହାରିକୁ ଭଲ ପାଇନଥିଲା, କି କାହାସହିତ ତାର କୌଣସି ସମ୍ପର୍କ ନଥିଲା । ଆମ କଥାରେ ସେ ବାହା ହୋଇଥିଲା । ସେହିଭଳି ସୌମ୍ୟରଞ୍ଜନଙ୍କ ବାପା କହୁଛନ୍ତି, ‘ବାହାଘର ନୁହେଁ ଏଗ୍ରିମେଣ୍ଟ ହୋଇଥିଲା’ ।  ପୂରା ମାମଲାରେ ସନ୍ଦେହ ଘେରରେ ଗୁରୁଣ୍ଡି ଥାନା ଅଧିକାରୀ ମମତା ପଣ୍ଡା । ତେବେ ସମସ୍ତଙ୍କ ବୟାନ୍ ନେଇସାରିବା ପରେ ଜେରାରୁ ଖିଅ ପାଇପାରିବ କି ପାରଳାଖେମୁଣ୍ଡି ପୁଲିସ ? ତାହା ଉପରେ ସମସ୍ତଙ୍କ ନଜର ।

ସମ୍ବନ୍ଧିତ ଖବର