ପାରଳାଖେମୁଣ୍ଡି: ମାନସିକ ବିକୃତ ମହିଳାଙ୍କୁ ଅପହରଣ ଏବଂ ଦୁଷ୍କର୍ମ ମାମଲାରେ ଦୁଷ୍କର୍ମକାରୀକୁ ଗଜପତିଜିଲ୍ଲା ଅତିରିକ୍ତ ସେସନ ଜଜ ବିଭୁ ପ୍ରସାଦ ପଣ୍ଡା ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୭୬(୨)(ଠ) ଅପରାଧରେ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷର ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କାର ଜରିମାନାର ସଜା ଶୁଣାଇଛନ୍ତି। ଜରିମାନା ଅନାଦେୟ ଆହୁରି ଛଅ ମାସ ସଶ୍ରମ ଜେଲଦଣ୍ଡ ଭୋଗ କରିବାକୁ ପଡିବ ବୋଲି ଜଜ୍‌ ନିଜର ରାୟରେ ଉଲ୍ଲେଖ କରିଛନ୍ତି। ସେହିପରି ଅପହରଣ ପାଇଁ ରହିଥିବା ଧାରା ୩୬୩ରେ ସଂପୃକ୍ତ ବ୍ୟକ୍ତିକୁ ଦୋଷୀ ସାବ୍ୟସ୍ତ କରି ୨ବର୍ଷର ସଶ୍ରମ କାରାଦଣ୍ଡ ସହ ୧ହଜାର ଟଙ୍କାର ଜରିମାନାର ସଜା ଶୁଣାଇଛନ୍ତି। ଜରିମାନା ଅନାଦେୟ ଆହୁରି ଏକ ମାସ ସଶ୍ରମ ଜେଲଦଣ୍ଡ ଭୋଗ କରିବାକୁ ପଡିବ ବୋଲି ସେ ରାୟରେ ଉଲ୍ଲେଖ କରିଛନ୍ତି।

Advertisment

ମୁମୂର୍ଷୁ ଅବସ୍ଥାରେ ଘରକୁ ଫେରିଥିଲା ପୀଡ଼ିତା

ମାମଲାର ବିବରଣୀରୁ ଜଣାଯାଏ ଯେ, ୨୦୨୪ ଫେବ୍ରୁଆରି ୧୦ ତାରିଖ ସନ୍ଧ୍ୟା ସମୟରେ ପୀଡ଼ିତା ଯିଏକି ଜଣେ ମାନସିକ ବିକୃତ, ନିଜ ଘରୁ କେଉଁଆଡ଼େ ଚାଲିଯାଇଥିଲେ। ପରେ ଘରେ କିମ୍ବା ଆଖପାଖ ଅଞ୍ଚଳରେ ଖୋଜିବା ପରେ କେହି ତାଙ୍କର ଖୋଜଖବର ପାଇପାରିନଥିଲେ। କିନ୍ତୁ ସେହିଦିନ ରାତି ୧୦ଟା ସମୟରେ ପିଡ଼ିତା ମୁମୂର୍ଷୁ ଅବସ୍ଥାରେ ନିଜ ଘରକୁ ଫେରିଥିଲେ। ତାଙ୍କର ମାନସିକ ଅବସ୍ଥାକୁ ନଜରରେ ରଖି ତା' ପରଦିନ ସକାଳେ ଯେତେବେଳେ ତାଙ୍କ ମାଆ ସବୁକଥା ଜାଣିବାକୁ ଚେଷ୍ଟା କରିଥିଲେ। ସେତେବେଳେ ପୀଡ଼ିତା ତାଙ୍କୁ ସେହି ସ୍ଥାନକୁ ନେଇ ଯାଇଥିଲେ, ଯେଉଁଠି ତାଙ୍କ ସହ ଦୁଷ୍କର୍ମ କରାଯାଇଥିଲା ଓ ସେ ସ୍ଥାନରୁ ପୀଡ଼ିତାଙ୍କର ଚପଲ ମଧ୍ୟ ମିଳିଥିଲା। 

ଆହୁରି ପଢ଼ନ୍ତୁ: Subhadra Yojana: ଆସନ୍ତାକାଲି ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ: କେଉଁମାନେ କରିପାରିବେ ଆବେଦନ ଜାଣନ୍ତୁ

ଦୁଷ୍କର୍ମକାରୀକୁ ଚିହ୍ନିଲା ପୀଡ଼ିତା

ପୀଡ଼ିତା ଦୁଷ୍କର୍ମ କରିଥିବା ଟୁକୁନା ଦଣ୍ଡିଆଙ୍କୁ ଚିହ୍ନଟ କରିଥିଲେ। ଗ୍ରାମବାସୀଙ୍କୁ ଜଣାଇବା ପରେ ଘଟଣାର ସମ୍ବେଦନଶୀଳତାକୁ ନଜରରେ ରଖି ତଥା ଉଚିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପିଡ଼ିତାଙ୍କ ମା’ ଆର. ଉଦୟଗିରି ଥାନାରେ ୨୦୨୪ ଫେବ୍ରୁଆରି ୧୪ରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା। ସବ୍‌ ଇନ୍ସପେକ୍ଟର ସ୍ୱପ୍ନାରାଣୀ ବେହେରା ଉକ୍ତ ମାମଲାର ତଦନ୍ତ କରି ଅଭିଯୁକ୍ତ ଟୁକୁନା ଦଣ୍ଡିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ସରକାରଙ୍କ ପକ୍ଷରୁ ଆସୋସିଏଟ ପିପି ପି. ପ୍ରସାଦ ରାଓ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: Administrative Negligence: ଧୂଳିସାତ ହୋଇଗଲା ସ୍ବପ୍ନ, ଗଛ ତଳେ ବିତୁଛି ରୁମାଞ୍ଚଳଙ୍କ ଜୀବନ