ମୋହନା : ପାରିବାରିକ କଳହ କିଭଳି ବେଳେବେଳେ ମଣିଷର ହିତାହିତ ଜ୍ଞାନକୁ ଭୁଲାଇ ଦିଏ ଏବଂ କ୍ରୋଧରେ ଆସି ଜନ୍ମକଲା ବାପାକୁ ମଧ୍ୟ ପୁଅ ମାରିବାକୁ ପଛାଏ ନାହିଁ, ସେଭଳି ଏକ ସ୍ପର୍ଶକାତର ଘଟଣା ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବାଘମାରୀ ପ˚ଚାୟତ ପେଜପାଣି ଗ୍ରାମରେ ଦେଖିବାକୁ ମିଳିଛି।
ପେଜପାଣି ଗ୍ରାମର ଦୁର୍ମୁନ ଶବରଙ୍କ ଦୁଇ ସ୍ତ୍ରୀ । ପ୍ରଥମ ସ୍ତ୍ରୀ ଲୁହୁରୀଙ୍କ ଦୁଇଟି ଝିଅ ଓ ତିନୋଟି ପୁଅ। ଲୁହୁରିଙ୍କ ସହ ତିନି ପୁଅ ପେଜପାଣି ଗ୍ରାମରେ ରହୁଛନ୍ତି। ତାଙ୍କ ଘର ସମ୍ମୁଖରେ ହିଁ ଦୁର୍ମୁନ ଦ୍ବିତୀୟ ସ୍ତ୍ରୀ ପୁଷ୍ପାଞ୍ଜଳିଙ୍କ ସହ ରହୁଥିଲେ। ପୁଷ୍ପାଞ୍ଜଳିଙ୍କ ପୁଅଟିଏ ଅଛି। ପ୍ରାୟତଃ, ଦୁଇ ସ୍ତ୍ରୀଙ୍କ ମଧ୍ୟରେ କଳିକତରାଳ ଲାଗି ରହିଥାଏ। ଗତକାଲି ମଧ୍ୟ ଦୁହିଁଙ୍କ ମଧ୍ୟରେ ବିଲରେ କଥା କଟାକଟି ହୋଇଥିଲା। ପରେ, ଗ୍ରାମକୁ ଆସି ଲୁହୁରି ଘରେ ଥିବା ସମୟରେ ଦୁର୍ମନ ଏବ˚ ପୁଷ୍ପାଞ୍ଜଳି ଧମକ ଦେବା ସହ ଘରର ଦୁଆରବନ୍ଧକୁ କାତିରେ ହାଣି ଦେଇଥିଲେ ଏବ˚ ଲୁହୁରିକୁ ମାଡ଼ ମାରିଥିଲେ। ସଂଧ୍ୟାରେ, ଦୁଇ ପୁ୍ଅଙ୍କୁ ଲୁହରୀ ଏ ସମ୍ପର୍କରେ କହିବା ପରେ ବଡ଼ପୁଅ କେପାସ ରାଗରେ ଜର୍ଜ୍ଜରିତ ହୋଇ ଏକ କୁରାଢ଼ିରେ ଦୁର୍ମନଙ୍କୁ ଆକ୍ରମଣ କରିଥିଲା। ବେକରେ କୁରାଢ଼ି ଚୋଟ ପକାଇବା ଫଳରେ ଘଟଣାସ୍ଥଳରେ ହିଁ ଦୁର୍ମନଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଆଜି ସକାଳ ୭ଟା ବେଳେ ପୁଷ୍ପାଞ୍ଜଳି ମୋହନା ଥାନାରେ ଏତଲା ଦେବା ପରେ ମୋହନା ଆଇଆଇସି ସୁଜିତ କୁମାର ନାୟକ,ଏସଡିପିଓ ଅଶୋକ କୁମାର ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଦୁର୍ମନଙ୍କ ଶବକୁ ଉଦ୍ଧାର କରିଥିଲେ। କେସ ନ˚ ୧୦୭/୨୦୨୦ ରେ ଏକ ମକଦ୍ଦମା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯାଇଛି। କେପାସ କୁରାଢ଼ି ସହ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।