କାହା ହାତରେ ଅତ୍ୟାବଶ୍ୟକ ସାମଗ୍ରୀ ଦରବୃଦ୍ଧି ନିୟନ୍ତ୍ରଣ ?

ରା.ଉଦୟ୍‍ଗିରି: ଦିନକୁ ଦିନ କରୋନା ମହାମାରୀ କଟକଣା ଯେତେ ହଟୁଛି ସେତେ ହୁ ହୁ ହୋଇ ବଢି ଚାଲିଛି ପନିପରିବା ଦର । ଅତ୍ୟାବଶ୍ୟକ ସାମଗ୍ରୀର ଯେମିତି ଆକାଶଛୁଆଁ ଦର ହୋଇଛି ଅଦିନ ଘଡ଼ଘଡ଼ିରେ ଯେମିତି ରୋଷେଇ ଶାଳରେ ନିଆଁ ଲାଗିଯାଇଛି ସେମିତି ଘରଣୀମାନଙ୍କୁ ଅନୁଭୂତ ହୋଇଛି । ବାଇଗଣ କିଲୋ ୩୦, ଟମାଟ ୬୦, ପୋଟଳ ୬୦, ସଜନା ଛୁଇଁ ୬୦, କୁନ୍ଦୁରୀ ୫୦, ଜହ୍ନି ୪୦, ବନ୍ଧାକୋବି ୪୦, ଫୁଲକୋବି ୬୦ । ଆଉ ଆଳୁ ପିଆଜ ଦର ନକହିଲେ ଭଲ ହେବ । ଆଳୁ କିଲୋ ୩୫ ଏବଂ ପିଆଜ ୮୦ ।

କରୋନା ମହାମାରୀରୁ ଘଟିଥିବା କ୍ଷତିରୁ ଅଣ୍ଟା ସଳଖିଲାବେଳକୁ ଏହି ଅଞ୍ଚଳରେ ହୁତୁହୁତୁ ହୋଇ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଘଟିବା ରୋଜଗାରିଆଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଆଗକୁ ମାର୍ଗଶୀର ମାସ ଗୁରୁବାର ଆସୁଛି । ସେତେବେଳକୁ ବଜାର ଦରରେ ଯେମିତି ନିଆଁ ଲାଗିଥିବ ଆଉ ରୋଷେଇ ଘରେ ନିଆଁ ଲଗାଇବାକୁ ପଡ଼ିବନି । କ୍ରେତା ମାର୍କେଟ୍‍ରୁ ସିଧାସଳଖ ରନ୍ଧା ଜିନିଷ ଘରକୁ ଧରିକି ଆସିବେ । ଆଉ ଏପଟେ ନିୟନ୍ତ୍ରଣ କରିବାକୁ କେହି ନଥିବାରୁ ବେଲଗାମ ହେବେ ବିକ୍ରେତା ଏହା ଯେମିତି ସ୍ପଷ୍ଟ ହୋଇ ଦେଖାଯାଉଛି ।

ରା.ଉଦୟଗିରି ସମେତ ଏହାର ପଡ଼ୋଶୀ ବ୍ଲକରେ ମଧ୍ୟ ସମ ପ୍ରକାର ଅବସ୍ଥା । ଗଜପତି ଜିଲ୍ଲାରେ ରା.ଉଦୟଗିରି ବ୍ଲକରେ ଯେତିକି ସଂଖ୍ୟକ ସରକାରୀ କାର୍ଯ୍ୟାଳୟ ଅଛି ୨ଟି ବ୍ଲକ୍‍ ମିଶାଇଲେ ସେତିକି କାର୍ଯ୍ୟାଳୟ ହେବ । ଏପରି ସ୍ଥଳେ ଲୋକଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ଦର ନିୟନ୍ତ୍ରଣ ପାଇଁ ଯଦି ସାମୟିକ ବ୍ୟବଧାନରେ ସ୍ଥାନୀୟ ମାର୍କେଟିଙ୍ଗ୍‍ ଅଫିସର ସଚେତନ କରାନ୍ତେ ତେବେ ଖାଉଟିମାନଙ୍କୁ ଆଶ୍ୱସ୍ତି ମିଳିପାରନ୍ତା |

ସମ୍ବନ୍ଧିତ ଖବର