ପାରମ୍ପରିକ ଖେଳ ପାଲଟିଲାଣି ଜୁଆ ର ଆସର, ଜୁଆ ପାଇଁ ଅନେକ ପରିବାର ସର୍ବସ୍ବାନ୍ତ

ଭଞ୍ଜନଗର ପୁଲିସ୍ ଉପଖଣ୍ଡରେ ୩୪ ମାମଲାରେ ୪ ଲକ୍ଷ ୨୩ ହଜାର ଟଙ୍କା ଜବତ

ଭଞ୍ଜନଗର: ପାର୍ବଣ ଋତୁ ଆସିଲେ ସଭିଙ୍କ ପରିବାରରେ ଖେଳିଯାଏ ହର୍ଷ ଉଲ୍ଲାସର ବାତାବରଣ। ବର୍ଷସାରା ଅପେକ୍ଷା କରି ରହିଥିବା ଦୁର୍ଗାପୂଜା ଓ କୁମାର ପୂର୍ଣ୍ଣମୀ ସମୟକୁ କିଏ କିଭଳି ଅତି ବାହିତ କରିବେ ସେନେଇ ପୂର୍ବରୂ ବହୁ ଯୋଜନା ମାନ କରି ରଖିଥାନ୍ତି। ଆଉ ଠିକ୍‌ ଏହି ପାର୍ବଣ ସମୟରେ ଗାଁ ଠାରୁ ଆରମ୍ଭ କରି ସହର ସବୁଠି‌ ପରମ୍ପରା ନାମ‌ରେ ଚାଲେ ଜୁଆର ଆସର। ଜୁଆଡି ମାନେ ମଧ୍ୟ ଏହି ସମୟରେ ବିନା ପରିଶ୍ରମରେ ଅଧିକ ଅର୍ଥ ଲୋଭ ଆଶାରେ ଜୁଆ ଖେଳରେ ଲଗାଇ ଦିଅନ୍ତି ନିଜର ସର୍ବସ୍ବ ପୁଞ୍ଜି। ଚଳିତ ବ‌ର୍ଷ କରୋନା କାଳରେ ସମାଜର ପ୍ରତିଟି କ୍ଷେତ୍ର ପ୍ରଭାବିତ ହୋଇଥିବା ବେଳେ ଗରୀବ ଖଟିଖିଆ ଓ ମଧ୍ୟବିତ୍ତ ମାନଙ୍କ ଆର୍ଥିକ ଅବସ୍ଥା ଘୋର ଶୋଚନୀୟ ହୋଇପଡିଛି। ତଥାପି ମଧ୍ୟ ଚଳିତ ପାର୍ବଣ ସମୟରେ ସବୁଠି ଜୁଆର ଆସର ଢେର ଜମିଛି। ବାଜିରେ ଲାଗିଛି ଲକ୍ଷାଧିକ ଟଙ୍କା।

ପୁଲିସ୍‌ ମଧ୍ୟ ଏହାକୁ ପ୍ରତିହତ କରିବା ପାଇଁ ‌ଚେଷ୍ଟା କରି କିଛି ମାତ୍ରାରେ ସଫଳତା ପାଇଥିଲେ ମଧ୍ୟ ଏହି ପରମ୍ପରା ନାମରେ ଜୁଆର ଆସରକୁ ସଂପୂର୍ଣ୍ଣ ରୋକିବାରେ ସଫଳ ହୋଇପାରିନି। କେବଳ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ପୁଲିସ୍ ଉପଖଣ୍ଡରେ ଗତମାସରେ ଧରାପଡିଛନ୍ତି ୨୦୪ଜଣ ଜୁଆଡି ଏବଂ ସେମାନଙ୍କ ନିକଟରୁ ଉଦ୍ଧାର କରାଯାଇଛି ୪ ଲକ୍ଷ ୨୩ ହଜାର ୩୫୫ ଟଙ୍କା। ଏବଂ ଏଥି ନେଇ ପୁଲିସ ଉପଖଣ୍ଡରେ ଥିବା ୫ ଟି ଥାନାରେ ୩୪ ‌ଗୋଟି ମାମଲା ମଧ୍ୟ ରୁଜୁ କରାଯାଇଛି। ଦଶହରା କୁମାର ପୂର୍ଣ୍ଣମୀ ଆସିଲେ ଚଳଚଞ୍ଚଳ ହୋଇ ପୁରପଲ୍ଲୀ ଠୁ ସହର। ଛୁଟିରେ ପରିବାର ପ୍ରିୟଜନଙ୍କ ସହ ମିଶିବାର ଆନନ୍ଦ ସହ ପୂଜାକୁ ନେଇ ଲୋକ ମାନେ ଯେଉ ପରିମାଣର ଉତ୍ସାହିତ ହୋଇଥାନ୍ତି ତା ଠାରୁ ଢେର ଅଧିକା ତାସ ଖେଳକୁ ଗୁରୁତ୍ବ ଦେଇଥାନ୍ତି। ପରିବାର ସାଙ୍ଗସାଥି ମେଳରେ ସମୟ ବିତାଇବା ପାଇଁ ତାସ ଖେଳର ପରମ୍ପରା ରହିଥିବା ବେଳେ ବର୍ତ୍ତମାନ ତାହା ଜୁଆରେ ପରିଣତ ହୋଇସାରିଛି।

ଦଶହରା ପୂର୍ବରୁ ଆରମ୍ଭ ହେଉଥିବା ଏହି ଆସର କୁମାରପୂର୍ଣ୍ଣମୀର ପ୍ରାୟ ୧୫ ଦିନ ପର୍ଯ୍ୟନ୍ତ ଜାରି ରହିଥାଏ। ଅନେକ ସ୍ଥାନରେ ଅପରାଧିକ କାର୍ଯ୍ୟକଳାପରେ ଜଡିତ ଥିବା କିଛି ଅପରାଧି ବର୍ଷତମାମ୍‌ ଏହି ଜୁଆ ଆସର ଜମାଇଥାନ୍ତି। ପୁଲିସ୍‌ ନଜରରୁ ବଞ୍ଚିବା ପାଇଁ ନିଛାଟିଆ,ପରିତ୍ୟକ୍ତ ବା ନିର୍ମାଣାଧିନ କୋଠାରେ ଜୁଆର ଆସର ଜମିଥାଏ। ପାର୍ବଣ ସମୟରେ ଜୁଆ ଖେଳରେ ରୋକ ଲଗାଇବା ପାଇଁ ପୁଲିସ୍‌ ପକ୍ଷରୁ ଚଢଉକୁ ବ୍ୟପକ କରାଯାଇଥାଏ। ତଥାପି ବନ୍ଦ କୋଠରୀ ଭିତରେ ଚାଲୁଥିବା ଲକ୍ଷାଧିକ ଟଙ୍କାର ଖେଳରେ ରୋକ୍‌ ଲଗାଇ ହୁଏନି। ପୁଲିସ୍‌ ଡାଳରେ ଡାଳରେ ଗଲେ ଜୁଆ ଆୟୋଜନ କରୁଥିବା ଅପରାଧି ମାନେ ପତ୍ରରେ ଯିବାର ବାଟ ବାହାର କରି ପୁଲିସ୍‌କୁ ଅତି ସହଜରେ ଚକମା ଦେଇ ଖସି ଯାଆନ୍ତି। ଅନେକ ସ୍ଥାନରେ ଚଢଉ କରି ଟଙ୍କା ଜବତ କରିବା ସହ ଜୁଆଡି ମାନଙ୍କୁ ଗିରଫ କରୁଥିବା ବେଳେ ଜୁଆ ଖେଳ ଏକ ଧର୍ତବ୍ୟ ଅପରାଧ ହୋଇନଥିବାରୁ ସେମାନେ ଅତି ସହଜରେ ଜାମିନ୍ ପାଇ ପୁଣି ଖେଳରେ ମାତୁଥିବା ଅଭିଯୋଗ ହେଉଛି।

ଭଞ୍ଜନଗର ଉପଖଣ୍ଡରେ ଥିବା ଭଞ୍ଜନଗର,ଗାଙ୍ଗପୁର,ଜଗନ୍ନାଥପ୍ରସାଦ,ତାରସିଂ ଓ ବୁଗୁଡା ଥାନା ଇଲାକାରେ ଗତ ମାସରୁ ଆଜି ପର୍ଯ୍ୟନ୍ତ ମୋଟ ୩୪ ଟି ଜୁଆଖେଳ ମାମଲା ରୁଜୁ ହୋଇଛି।ଏଥିସହ ୨୦୪ ଜଣଙ୍କ ଗିରଫ କରିବା ସହ ସେମାନଙ୍କ ନିକଟରୁ ୪ ଲକ୍ଷ ୨୩ ହଜାର ୩୫୫ ଟଙ୍କା ଜବତ କରାଯାଇଛି। ‌ଏଥିସହ ଜୁଆଡି ମାନଙ୍କ ଠାରୁ ବହୁ ମୋବାଇ ତାସ୍ ଓ ବିଭିନ୍ନ ସାମଗ୍ରୀ ଜବତ ହୋଇଛି।

ଖରାଂଶୁ ଶେଖର ଦାସ,ବରିଷ୍ଠ ଆଇନଜୀବୀ
ପୂର୍ବରୁ ଜୁଆ ଖେଳ ବୋଲି କିଛି ନଥିଲା। ଲକ୍ଷ୍ମୀ ନାରାୟଣଙ୍କ ଖେଳ ବୋଲି ଘରେ ପରିବାର ମଧ୍ୟରେ କଉଡି ଖେଳ ହେଉଥିଲା। ତାହା କ୍ରମେ ପରମ୍ପରା ହୋଇଥିବା ବେଳେ ବର୍ତ୍ତମାନ ତାସ୍‌ଖେଳ ଜୁଆରେ ପରିବର୍ତ୍ତନ ହୋଇଛି। ଏହି ଖେଳରୁ ବହୁ ପରିବାର ସର୍ବସ୍ବାନ୍ତ ହୋଇଛନ୍ତି। ଏହା କିଭଳି ସଂପୂର୍ଣ୍ଣ ଭାବେ ବନ୍ଦ ହେବ ସେଥିପାଇଁ ପଦକ୍ଷେପ ନେବା ଜରୁରୀ ।

ପୁଲିସ୍ ଉପଖଣ୍ଡର ଭଞ୍ଜନଗର ଥାନାରେ ୮ଟି ମାମଲା ରୁଜୁ ହୋଇ ୪୯ ଜଣ ଗିରଫ ହୋଇଥିବା ବେଳେ ସେମାନଙ୍କ ନିକଟରୁ ୧ ଲକ୍ଷ,୭୩ ହଜାର ୫୦୦ ଟଙ୍କା ଓ ୧୯ଗୋଟି ଦାମୀ ‌ମୋବାଇଲ୍‌ ଜବତ କରାଯାଇଛି। ସେହିପରି ଗାଙ୍ଗପୁର ଥାନାରେ ୧୧ଟି ମାମଲା ରୁଜୁ କରାଯାଇ ୬୫ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧ ଲକ୍ଷ ୪୧ହଜାର ୭୪୦ ଟଙ୍କା,ଜଗନ୍ନାଥପ୍ରସାଦ ଥାନାରେ ୪ଟି ମାମଲା ରୁଜୁ କରିବା ସହ ୨୫ ଜଣଙ୍କୁ ଗିରଫ ସହ ୧୨ ହଜାର ୩୪୦ ଟଙ୍କା ଜବତ,ବୁଗୁଡ଼ା ଥାନାରେ ୮ ଟି ମାମଲା ରୁଜୁ ସହ ୫୦ ଜଣଙ୍କୁ ଗିରଫ ସହ ୬୪ ହଜାର ୯୭୫ ଜଣ ଏବଂ ତାରସିଂ ଥାନାରେ ୩ଟି ମାମଲା ରୁଜୁ ସହ ୧୫ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୩୦ ହଜାର ୮୦୦ ଟଙ୍କା ଓ‌ ମୋବାଇଲ ଜବତ କରାଯାଇଛି।

ଶୁଭ୍ରାଂଶୁ ଶେଖର ମିଶ୍ର,ଏସ୍‌ଡିପିଓ,ଭଞ୍ଜନଗର
ପରମ୍ପରା ନାମରେ ଜୁଆ ଖେଳକୁ ଜମ‌ାରୁ ବରଦାସ୍ତ କରାଯିବ ନାହିଁ। ବିଶେଷ କରି ଦୁର୍ଗାପୂଜା ସମୟରେ ଜୁଆର ଆସର ଗଞ୍ଜାମ ଜିଲ୍ଲାରେ ହେଉଥିବାରୁ ଦଶହାର ପୂର୍ବରୁ ଜୁଆଡି ମାନଙ୍କୁ ସାବାଡ କରିବା ପାଇଁ ସ୍ବତନ୍ତ୍ର ଆକ୍ସନ ପ୍ଳାନ କରାଯିବା ସହ ବ୍ୟପକ ଚଢଉ କରାଯାଇଥିଲା। ଏଥିରେ ପୁଲିସ୍‌କୁ ବହୁ ସଫଳତା ମଧ୍ୟ ମିଳିଛି।

କିଛି ଲୋକଙ୍କ ପାଇଁ ଏହା ନିଶା ପାଲଟିଯାଇଛି। ଅଳ୍ପ ସମୟ ମଧ୍ୟରେ ଅଧିକା ଟଙ୍କା ପାଇବା ନିଶ‌ାରେ ଏହି ଖେଳ ପ୍ରତି ବହୁ ଲୋକ ଆସକ୍ତ ହୋଇ ନିଜର ସର୍ବସ୍ବ ହରାଇବା ଦେଖିବାକୁ ମିଳିଛି। ଯାହା ଫଳରେ ସେମାନଙ୍କ ପରିବାରରେ ବିଶୃଙ୍ଖଳା ଦେଖାଯିବା ସହ ଏହି ଖେଳ ପାଇଁ ଗାଁ ଓ ସାହିରେ ଗଣ୍ଡଗ‌ୋଳର ସୁତ୍ରପାତ ହୋଇଥିବା ନଜିର ରହିଛି।

—-

ସମ୍ବନ୍ଧିତ ଖବର