ବ୍ରହ୍ମପୁରରେ ଜମୁଛି ଜୁଆଆଡ଼ା: ଅର୍ଥ ଉପାର୍ଜନର ସର୍ଟକଟ୍‌ ରାସ୍ତା, ଉଡ଼ୁଛି ପୁଳାପୁଳା ଟଙ୍କା

ବ୍ରହ୍ମପୁର: କରୋନା ପାଇଁ ଜାରି ହୋଇଥିବା କଟକଣା ଯୋଗୁଁ ବହୁ ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛି। ଗରିବ ଓ ଦିନ ମଜୁରିଆଙ୍କ ପାଇଁ ଦି’ ମୁଠା ଦାନା ଯୋଗାଡ଼ କରିବା ଏକ ପ୍ରକାର ଅସମ୍ଭବ ହୋଇ ପଡ଼ିଛି। କିନ୍ତୁ ଏବେ ଧୀରେ ଧୀରେ ପରିସ୍ଥିତି ସ୍ବାଭାବିକ ହେବାକୁ ଲାଗିଛି। ଜୀବନଜୀବିକାକୁ ଗୁରୁତ୍ବ ଦେଇ ସରକାର ଲକ୍‌ଡାଉନ୍‌ ପ୍ରତ୍ୟାହାର କରିଛନ୍ତି। ଦୀର୍ଘ ୪ମାସ ହେଲା ଜାରି ରହିଥିବା କଟକଣା ଯୋଗୁଁ ବହୁ ଲୋକ ନିଜର ସଞ୍ଚିତ ଅର୍ଥ ଖର୍ଚ୍ଚ କରି ସାରିଲେଣି। ଏଭଳି ସ୍ଥିତିରେ ସେମାନଙ୍କୁ କମ୍‌ ସମୟରେ ଅର୍ଥ ଉପାର୍ଜନ ଚିନ୍ତା ଘାରିଛି। ତେଣୁ ବ୍ରହ୍ମପୁର ସହରରେ ଜୁଆ ଭଳି ସର୍ଟକଟ୍‌ ରାସ୍ତା ଆପଣେଇଛନ୍ତି କିଛି ଲୋକ। ବ୍ରହ୍ମପୁର ସହରରେ ଏବେ ପୁଳାପୁଳା ଟଙ୍କା ଜୁଆରେ ଉଡ଼ୁଛି। ପୁଲିସ ବିଭିନ୍ନ ସମୟରେ ଚଢ଼ଉ କରି ଏଭଳି ଜୁଆଆଡ଼ା ଠାବ କରୁଛି।

ବ୍ରହ୍ମପୁର ସହରରେ ଜୁଆ କିଛି ନୂଆ କଥା ନୁହେଁ। ସହରର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ କେତେକ ଅସାମାଜିକ ପୁଲିସ ଆଖିରେ ଧୂଳି ଦେଇ ଜୁଆଖେଳ ଚଳାଉଥିବା ନଜିର ରହିଛି। ପୁଲିସ ସେମାନଙ୍କୁ ଗିରଫ ମଧ୍ୟ କରିଛି। ଏବେ ପୁଣିଥରେ ସହରର ବିଭିନ୍ନ ସ୍ଥାନରେ ଏଭଳି ଜୁଆ ଖେଳ ଚାଲିଥିବା ଅଭିଯୋଗ ହେଉଛି। ଅଧିକାଂଶ ଲୋକ ଟଙ୍କା ଲୋଭରେ ପଡ଼ି ଜୁଆଖେଳରେ ନିଜକୁ ସାମିଲ କରୁଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ଏପରିକି ପୁଲିସ ଜୁଆଆଡ଼ାରୁ ଗିରଫ କରିଥିବା ଜୁଆଡ଼ିଙ୍କ ମଧ୍ୟରୁ କିଏ ପ୍ରଥମଥର ପାଇଁ ଜୁଆ ଖେଳୁଥିବା ବେଳେ ଆଉ କିଛି ଛାତ୍ର ମଧ୍ୟ ରହିଥିବା ଜଣାପଡ଼ିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ କମ୍‌ ସମୟରେ ଅର୍ଥ ଉପାର୍ଜନ ପାଇଁ ଲୋକେ ଏବେ ଜୁଆଖେଳକୁ ଆପଣେଇଛନ୍ତି।

ଗତମାସ ୩ତାରିଖ ବଡ଼ ବଜାର ଥାନା ପୁଲିସ ଏଭଳି ଏକ ଜୁଆଆଡ଼ା ଠାବ କରି ମୋଟ ୧୭ଜଣ ଜୁଆଡ଼ିଙ୍କୁ କାବୁ କରିଥିଲା। ଜଣେ ବ୍ୟକ୍ତି ନିଜର ଘରେ ଜୁଆଆଡ଼ା ଚଳାଉଥିବା ପୁଲିସ ତଦନ୍ତରେ ଜଣାପଡ଼ିଥିଲା। ସେହିପରି ଗୋଳନ୍ଥରା ଓ ଜରଡ଼ା ଥାନା ପୁଲିସ ଗତମାସ ୧୨ତାରିଖରେ ଦୁଇଟି ଜୁଆଆଡ଼ା ଠାବ କରିଥିଲା। ଗୋଟିଏ ସ୍ଥାନରୁ ୧ଲକ୍ଷ ୮୦ହଜାର ଟଙ୍କା ଜବତ ହୋଇଥିବା ବେଳେ ଅନ୍ୟ ଏକ ସ୍ଥାନରୁ ୨୧ହଜାର ଟଙ୍କା ଜବତ ହୋଇଥିଲା। ପୁଲିସ ମୋଟ ୧୦ଜଣଙ୍କୁ ଗିରଫ କରିବା ସହିତ ୭ଟି ବାଇକ୍ ଜବତ କରିଥିଲା।

ସେହିପରି ବଡ଼ ବଜାର ଥାନା ପୁଲିସ ଗତ ୨୯ତାରିଖ ରାତିରେ ପୁରୁଣା ବ୍ରହ୍ମପୁର ଗଣେଶନଗର ଅଞ୍ଚଳରୁ ଏକ ଜୁଆଆଡ଼ା ଠାବ କରି ୧୦ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨ଲକ୍ଷ ଶହେ ଟଙ୍କା ଜବତ ହୋଇଥିଲା। ଲକ୍‌ଡାଉନ୍‌ ଯୋଗୁଁ କାମଧନ୍ଦା ହରାଇବା ପରେ କମ୍‌ ସମୟରେ ଅର୍ଥ ଉପାର୍ଜନ କରିବା ପାଇଁ କିଛି ଲୋକ ଜୁଆଖେଳ ଭଳି ସର୍ଟକଟ୍‌ ରାସ୍ତା ଆପଣେଇଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର