ସୋର(ଅଭୟ ପତ୍ରୀ): ଅର୍ଥ ଅଭାବରୁ ନାନା ବ୍ୟବସାୟ କଲେ। ହେଲେ ସବୁଥିରେ ଅସଫଳତା ମିଳିଲା। କ’ଣ କରିବେ, କ’ଣ କରିବେ ଭାବି ଭାବି ଶେଷରେ ଗଞ୍ଜା ପାଳନ କଲେ। ଯାହା ତାଙ୍କୁ ସୁହାଇଛି ଏବଂ ସେ ତା’ର ବ୍ୟବସାୟ କରି ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ସୋର ବ୍ଲକ୍ ଅନନ୍ତପୁର ପଞ୍ଚାୟତ ଅଇଁରୀ ଗ୍ରାମର ଗଣପତି ବିଶ୍ବାଳ (୪୭)। ସେ ମୟୂରଭଞ୍ଜ-ଝାଡ଼ଖଣ୍ଡ ସୀମାନ୍ତ ଜାମଶୋଳା ଚେକ୍ଗେଟ୍ରେ କାମ କରୁଥିଲେ। ସେଠାରୁ ଅବସର ନେବା ପରେ ଆର୍ଥିକ ଅନଟନ ଯୋଗୁଁ ସେ ବିଭିନ୍ନ ବ୍ୟବସାୟ କରିବା ପାଇଁ ଉଦ୍ୟମ କଲେ। ହେଲେ ନାନା କାରଣ ପାଇଁ ଗଣପତି ସଫଳ ହୋଇ ପାରି ନଥିଲେ। କୁକୁଡ଼ା ଚାଷ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନେଲେ। ତେବେ ସେହି ବ୍ୟବସାୟ ମଧ୍ୟ ଆଶାନୁରୂପ ଲାଭ ଦେଲା ନାହିଁ। ଏପରି ସମୟରେ ସେ କ’ଣ ବ୍ୟବସାୟ କରିବେ, ଭାବିଲେ। ତେବେ ଚାହିଦା ଦୃଷ୍ଟିରୁ ୨୦୦୨ ମସିହାରେ ଗଣପତି ଲଢ଼ୁଆ ଗଞ୍ଜା ପାଳନ କରିବାକୁ ମନସ୍ଥ କଲେ। ସେହିଦିନଠାରୁ ସେ ବିଭିନ୍ନ ସ୍ଥାନରୁ ଶଙ୍କର ଜାତୀୟ ଗଞ୍ଜାଛୁଆ ସଂଗ୍ରହ କରୁଛନ୍ତି। ସେମାନଙ୍କୁ ନିର୍ଦ୍ଧାରିତ ଖାଦ୍ୟ ଦେବା ସହ ଲବଙ୍ଗ, ରସୁଣ, ଗହମ ଆଦି ଖାଇବାକୁ ଦିଅନ୍ତି। ଯଥାସମ୍ଭବ ଚେଷ୍ଟା କରନ୍ତି, ଗଞ୍ଜାଗୁଡ଼ିକୁ ସତେଜ ଓ ସବଳ ରଖିବା ପାଇଁ।
କେବଳ ସେତିକି ନୁହେଁ, ଛୋଟ ବେଳୁ ଲଢ଼େଇ ପାଇଁ ଅଭ୍ୟାସ କରାନ୍ତି। ସବୁ ଗଞ୍ଜାଙ୍କୁ ସେ ଭିନ୍ନ ଭିନ୍ନ ନାମ ମଧ୍ୟ ଦେଇଛନ୍ତି। ଗତ ସପ୍ତାହ ଯାଏ ୫୦ଟି ଛୁଆଗଞ୍ଜା ଏବଂ ୧୫ଟି ବଡ଼ ଗଞ୍ଜା ଥିଲେ। ତେବେ ଏଇଭିତରେ ମକର ସଂକ୍ରାନ୍ତି ଓ ନୂଆବର୍ଷ ପାଇଁ ଲୋକମାନେ ତାଙ୍କଠାରୁ ୧୦ଟି ବଡ଼ ଗଞ୍ଜା କିଣି ନେଲେଣି। ବାକି ଥିବା ୫ଟି ଗଞ୍ଜା ମଧ୍ୟରୁ ଗୋଟିଏ ଗଞ୍ଜା ଦର ୩୫ ହଜାର ଛୁଇଁଛି। ସଲମାନ ଖାନ୍ଙ୍କ ଟାଇଗର୍-୩ ଚଳଚ୍ଚିତ୍ରକୁ ଦେଖି ଗଣପତି ତା’ର ନାମ ଟାଇଗର୍ ରଖିଛନ୍ତି। ଟାଇଗର୍କୁ ବଡ଼ କରିବା ପାଇଁ ଗଣପତିଙ୍କୁ ୧ ବର୍ଷ ସମୟ ଲାଗିଛି। ଯାହା ଜଣାପଡ଼ିଛି; ଗଞ୍ଜା ପାଳନ କରି ଗଣପତି ବର୍ଷକୁ ଅଢ଼େଇ ଲକ୍ଷ ଟଙ୍କାରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି। ଗଣପତିଙ୍କ କହିବା ଅନୁସାରେ; ଗୋଟିଏ ଗଞ୍ଜାକୁ ଲଢ଼େଇ ଉପଯୁକ୍ତ କରିବା ପାଇଁ ୮ରୁ ୧୦ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବଡ଼ ଓ ଦକ୍ଷ କରିବା ପାଇଁ ବର୍ଷାଧିକ ସମୟ ଲାଗିଯାଉଛି। ପଡ଼ୋଶୀ ଜିଲ୍ଲା; ମୟୂରଭଞ୍ଜ, ଭଦ୍ରକ ସହ ବାହାର ରାଜ୍ୟରୁ ଲୋକମାନେ ଆସି ତାଙ୍କଠାରୁ ଗଞ୍ଜା କିଣି ନେଉଛନ୍ତି। ଗୋଟିଏ ଗୋଟିଏ ଗଞ୍ଜା ୨୦ରୁ ୩୦ ହଜାର ଟଙ୍କାରେ ବିକ୍ରି ହେଉଛି।
ଉଲ୍ଲେଖଥାଉକି; ଗଞ୍ଜା ଲଢ଼େଇ ଆଇନ ଅନୁସାରେ ଦଣ୍ଡନୀୟ ଅପରାଧ। ତେବେ ଏହି ଖବର ପ୍ରକାଶ କରିବା ପଛର ଉଦ୍ଦେଶ୍ୟ ଗଞ୍ଜା ଲଢ଼େଇକୁ ପ୍ରୋତ୍ସାହନ ଦେବା ନୁହେଁ, ବରଂ ଗଣପତିଙ୍କ ପରି ଆତ୍ମନିର୍ଭରଶୀଳ ହେବା ତଥା ନିଜର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ଅନ୍ୟଙ୍କୁ ପ୍ରେରଣା ଯୋଗାଇବା। ଶିକ୍ଷିତ ବେକାର ଯୁବକଯୁବତୀଙ୍କୁ ବିଭିନ୍ନ ବ୍ୟବସାୟ ପ୍ରତି ଆକୃଷ୍ଟ କରିବା।