ରାଉରକେଲାରେ ଗାନ୍ଧୀ ଜୟନ୍ତୀ ପାଳିତ

ବିଶାଳ ଶାନ୍ତି ଶୋଭାଯାତ୍ରା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା: ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୩ ତମ ଜୟନ୍ତୀ ରାଉରକେଲାରେ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ଶାନ୍ତି ଶୋଭାଯାତ୍ରା ଅମ୍ବେଦକର ଛକରୁ ଆରମ୍ଭ ହୋଇ ପାନପୋଷ ସ୍ଥିତ ଗାନ୍ଧୀ ଛକରେ ସମାପ୍ତ ହୋଇଥିଲା। ଏହି ଶାନ୍ତି ଶୋଭାଯାତ୍ରାରେ ମୁନିସିପାଲ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ବିଭିନ୍ନ କଲେଜର ସମର ଶିକ୍ଷାର୍ଥୀ ବାହିନୀ, ପାନପୋଷ ସ୍ଥିତ ରାଜ୍ୟ କ୍ରୀଡ଼ା ଛାତ୍ରାବାସର କ୍ରୀଡ଼ାବିତ, ସ୍ବଛସାଥୀ, ସହରର ବୁଦ୍ଧିଜୀବୀ ଏବଂ ସାଧାରଣ ଜନତା ସାମିଲ ହୋଇ ଥିଲେ। ଶୋଭାଯାତ୍ରା ସଂପନ୍ନ ହେଲା ପରେ ପାନପୋଷ ଛକ ସ୍ଥିତ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ନିକଟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମ ଆୟୁକ୍ତ ଡଃ. ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଗାନ୍ଧୀଜିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଅତିରିକ୍ତ ଜିଲ୍ଲାପାଳଙ୍କ ବ୍ୟତୀତ ଉପଜିଲ୍ଲାପାଳ ଅଭିମନ୍ୟୁ ମାଝୀ, ରାଉରକେଲା ମହାନଗର ନିଗମ ଉପଆୟୁକ୍ତ ସୁଧାଂଶୁ ଭୋଇ, ଆୟୁକ୍ତ ଡଃ. ଗୌରବମୟ ପ୍ରଧାନ ସହାୟତ ଆୟୁକ୍ତ ସୁକାନ୍ତ ବେଉରା, ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ ମଧ୍ୟ ମାଲ୍ୟାର୍ପଣ କରିଥିଲେ। ଏହାସହିତ ଗାନ୍ଧୀ ଜୟନ୍ତୀ ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାପାତ୍ର ପୁରସ୍କାର ପ୍ରଦାନ କରିଥିଲେ। ବିଦ୍ୟାଳୟସ୍ତରରେ ଅନୁଷ୍ଠିତ ହୋଇଥିବା ବକୃତା ପ୍ରତିଯୋଗିତାର କନିଷ୍ଠ ବିଭାଗରେ ମୁନିସିପାଲ ହାଇସ୍କୁଲର ପ୍ରତୀକ କୁମାର ବିଶ୍ବାଳ ପ୍ରଥମ, ନୂଆ ବଜାର ହାଇସ୍କୁଲର ଅଙ୍କିତ ସ୍ବାଇଁ ଦ୍ବିତୀୟ, ସେକ୍ଟର ୬ ସ୍ଥିତ ସରକାରୀ ହାଇସ୍କୁଲର ଦୀପାଞ୍ଜଳି ରାଉତ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

Sambad

ସେହିଭଳି ବିଦ୍ୟାଳୟସ୍ତରରେ ଅନୁଷ୍ଠିତ ବରିଷ୍ଠ ବିଭାଗର ବକୃତା ପ୍ରତିଯୋଗିତାରେ ଉତ୍କଳମଣି ସରକାରୀ ରାଜେଶ ପ୍ରଧାନ ପ୍ରଥମ, ଉଦିତ୍‌ ନଗର ସରକାରୀ ହାଇସ୍କୁଲର ସୁଭଦ୍ରା ପଲେଇ ଦ୍ବିତୀୟ ଓ ସେକ୍ଟର ୬ ସ୍ଥିତ ସରକାରୀ ବିଦ୍ୟାଳୟର ସ୍ବପ୍ନାପ୍ରିୟା ମହାରଣା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ମହାବିଦ୍ୟାଳୟସ୍ତରରେ ଓଡ଼ିଆ ବକୃତା ପ୍ରତିଯୋଗିତାରେ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ପାନପୋଷର ପ୍ରୀତମ ମହାନ୍ତି ପ୍ରଥମ, କଲେଜ୍‌ ଅଫ୍‌ ଆର୍ଟସ୍‌ ସାଇନ୍ସ ଏବଂ ଟେକ୍ନୋଲୋଜି (ସିଏଏସ୍‌ଟି) ବନ୍ଧମୁଣ୍ଡାର ଦିବ୍ୟା ମହାତୋ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଲୋକେଶ କୁମାର ମହାତୋ। ମହାବିଦ୍ୟାଳୟସ୍ତରରେ ଅନୁଷ୍ଠିତ ଇଂରାଜୀ ପ୍ରତିଯୋଗିତାରେ ଶ୍ରୀ ଅରବିନ୍ଦ ଶିକ୍ଷାନୁଷ୍ଠାନର ଶୁଭଶ୍ରୀ ନାୟକ ପ୍ରଥମ, ସିଏଏସ୍‌ଟି ବନ୍ଧମୁଣ୍ଡାର ଲକ୍ଷ୍ମୀଧର ନାୟକ ଦ୍ବିତୀୟ, ଗାନ୍ଧୀ କଲେଜ ଦେଓଗାଁର ସସ୍ମିତା ପାଇକରାୟ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ।। ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅଧିକାରୀ, କଲେଜ ଛାତ୍ରଛାତ୍ରୀ, ସମର ଶିକ୍ଷାର୍ଥୀ ବାହିନୀ, କ୍ରୀଡ଼ାବିତ, ସହରର ବୁଦ୍ଧିଜୀବୀ ଏବଂ ସାଧାରଣ ଜନତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର