ବାରିପଦା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ଅହିଂସା ଦିବସ ତଥା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଆଜି ପାଳିତ ହୋଇଯାଇଛି। ଏନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର କିଶୋର କୁମାର ବସା ପୌରୋହିତ୍ୟ କରି ଗାନ୍ଧିଜୀଙ୍କ ଫଟୋରେ ମାଲ୍ୟାର୍ପଣ ପୂର୍ବକ ଏହି ଦିବସର ଉଦ୍ଦେଶ୍ୟ ଓ ବିଶେଷତ୍ତ୍ୱ ସଂପର୍କରେ ଆଲୋକପାତ କରି ଗାନ୍ଧୀ ଆଜି ମଧ୍ୟ ପ୍ରାସଙ୍ଗିକ ବୋଲି ମତପୋଷଣ କରିଥିଲେ। ଭାରତର ସ୍ୱାଧୀନତାରେ ଗାନ୍ଧିଜୀଙ୍କ ଅତୁଲ୍ୟ ଅବଦାନ ତଥା ସ୍ୱାଧୀନତା ପରବର୍ତ୍ତୀ ଦଶକରେ ଭାରତ ନିର୍ମାଣ ପାଇଁ ଶାସ୍ତ୍ରୀଙ୍କ ଅବଦାନ ନିମନ୍ତେ ଏହି ମହାପୁରୁଷଦ୍ୱୟ କାଳଜୟୀ ହୋଇ ରହିବେ ବୋଲି ମତବ୍ୟକ୍ତ କରିବା ସହିତ ସେମାନଙ୍କ ଆଦର୍ଶରେ ନିଜକୁ ଗଢ଼ି ତୋଳିବାକୁ ପ୍ରତିଜ୍ଞାବଦ୍ଧ ହେବା ନିମନ୍ତେ ଆହ୍ୱାନ କରିଥିଲେ। ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଅନୀଲ କୁମାର ବିଶ୍ୱାଳ ଏହି ସଭାକୁ ପରିଚାଳନା କରିଥିଲେ। ଏହି ଅବସରରେ ପ୍ରାଧ୍ୟାପକ ଜୀବେନ୍ଦୁ କୁମାର ମନ୍ତ୍ରୀ, ସୁକାନ୍ତ କୁମାର ନାୟକ, ଯତୀନ୍ଦ୍ରନାଥ ବେଶ୍ରାଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସେହିଭଳି ଗାନ୍ଧୀ ଜୟନ୍ତୀରେ ବାରିପଦା ଉପକଣ୍ଠରେ ଅବସ୍ଥିତ ବୈଷୟିକ ଶିକ୍ଷାନୁଷ୍ଠାନ ଡିଭାଇନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲଜିର ଜାତୀୟ ସେବା ଯୋଜନା(ଏନଏସଏସ) ମାଧ୍ୟମରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Advertisment

publive-image Sambad

ଗତକାଲି ଡିଭାଇନ୍‌ର ପୋଷ୍ୟ ଗ୍ରାମ କରଞ୍ଜିଆରେ ଅବସ୍ଥିତ ବାଉଁଶବିଲା ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ସ୍ଵେଚ୍ଛାସେବୀ ଛାତ୍ରମାନେ ସଫେଇ କାର୍ଯ୍ୟକ୍ରମ କରିବା ସହ ଶ୍ରେଣୀ ଗୃହକୁ ସାନିଟାଇଜ୍ କରିବା, ବିଦ୍ୟାଳୟ ପରିସରରେ ବ୍ଲିଚିଂ ପକାଇବା ଏବଂ ଶୌଚାଳୟକୁ ସଫା କରିଥିଲେ। ପରେପରେ ଡିଭାଇନ୍‌ର ଗ୍ୟାଲେରୀ ହଲ୍‌ରେ ଆୟୋଜିତ ହୋଇଥିଲା “ଅଜାଦୀ କା ଅମୃତ ମହୋତ୍ସବ” କାର୍ଯ୍ୟକ୍ରମ। ଯେଉଁଥିରେ ଅନୁଷ୍ଠାନର ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଡିଭାଇନ୍‌ର ନିର୍ଦ୍ଦେଶକ ଇଂ ବିପ୍ଲବ ଭଞ୍ଜନ ବୁଗୁଡେଇଙ୍କ ତତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ ତଥା ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିବା ସହ କଠୋର ପରିଶ୍ରମୀ, ସଂଯମୀ , ଏକାଗ୍ର ଚିତ୍ତ ହୋଇ ନିଜର ଲକ୍ଷ ସାଧନ କରିବାକୁ ଉପଦେଷ୍ଟା ରଞ୍ଜନ ବାନାର୍ଜୀ , ଡିନ୍ ରଞ୍ଜିତ କୁମାର ସାହୁ, ରଶ୍ମି ରଞ୍ଜନ ମିଶ୍ର, କାଲଲ୍‌ ସିହ୍ନା , ସୌରଭ ରଞ୍ଜନ ଗିରି ପ୍ରମୁଖ ପରାମର୍ଶ ଦେଇଥିଲେ। ଇଲେକ୍ଟ୍ରିକାଲ୍ ବିଭାଗର ଦ୍ଵିତୀୟ ସେମିଷ୍ଟର୍ ଛାତ୍ର ମଙ୍ଗଲ ମୁର୍ମ୍ମୁ ନିଜର ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେବାରେ ସହଯୋଗ କରିଥିଲେ ପ୍ରକାଶ ବିଶ୍ଵାଳ, ବିଶ୍ଵ ରଞ୍ଜନ ମହାନ୍ତି ଓ ଅନ୍ୟ ସହଯୋଗୀ ବୃନ୍ଦ।