ଶ୍ରୀହୀନ ହୋଇପଡ଼ିଛି ଐତିହ୍ୟସମ୍ପନ୍ନ ଗାନ୍ଧୀ ପାର୍କ: ହଜିଯାଇଛି ସବୁଜିମା, ଦୟନୀୟ ଅବସ୍ଥା

ବାରିପଦା: ରାଜାରାଜୁଡ଼ା ଅମଳରୁ ନିର୍ମିତ ହୋଇଥିଲା। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ନାମରେ ହୋଇଛି ପାର୍କର ନାମକରଣ। ସଂସ୍କୃତିସମ୍ପନ୍ନ ବାରିପଦା ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ ଏହି ପାର୍କ ସହିତ ଅନେକ ଐତିହାସିକ ସ୍ମୃତି ଜଡ଼ିତ। କିନ୍ତୁ ଏଥିପ୍ରତି ଯେପରି କାହାର ନଜର ନାହିଁ। ଶ୍ରୀହୀନ ହୋଇପଡ଼ିଛି ଏହି ପାର୍କ। ନା ଅଛି ରକ୍ଷଣାବେକ୍ଷଣ ନା ଅଛି ଯତ୍ନ। ପାର୍କ ହୋଇଥିଲେ ସୁଦ୍ଧା ସବୁଜିମାର ଚିହ୍ନ ନାହଁ। ଓଲଟି କିଛି ମାସ ତଳେ ଲାଗିଥିବା ଷ୍ଟିଲ୍ ରେଲିଂ ଭାଙ୍ଗିରୁଜି ଯାଇଛି। ଅତ୍ୟନ୍ତ ବିପର୍ଯ୍ୟସ୍ତ ଏବଂ ଦୟନୀୟ ଅବସ୍ଥାରେ ପଡ଼ିଛି ବାରିପଦା ପୌରପରିଷଦରେ ଥିବା ଗାନ୍ଧୀ ପାର୍କ। ଯାହାକୁ ନେଇ ସହରବାସୀ ବେଶ ଅସନ୍ତୋଷ ଅଛନ୍ତି। ବାରିପଦା ପୌରପରିଷଦ ୨୦୦୯ରେ କେନ୍ଦ୍ର ସରକାରଙ୍କ ଅମୃତ ଯୋଜନାରେ ସାମିଲ ହୋଇଛି । ଏହି ଯୋଜନାରେ ସହରରେ ଥିବା ବିଭିନ୍ନ ପାର୍କର ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଛି । ଫଳରେ ବାରିପଦା ସହରରେ କୋଟି କୋଟି ଟଙ୍କା ବ୍ୟୟ ବରାଦରେ ବିଭିନ୍ନ ୱାର୍ଡ଼ରେ ନୂତନ ପାର୍କ ନିର୍ମାଣ କରାଯାଇଛି।

ମାତ୍ର ସହରର କେନ୍ଦ୍ରସ୍ଥଳରେ ରହିଥିବା ସର୍ବପୁରାତନ ଗାନ୍ଧୀପାର୍କର ଅବସ୍ଥା ପୌରପରିଷଦର ପାରିବା ପଣିଆକୁ ପରିହାସ କରୁଥିବା ପ୍ରତୀୟମାନ ହେଉଛି। ପାର୍କର ମଝିରେ ବାପୁ, କସ୍ତୁରବା ଗାନ୍ଧୀ ଓ ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତି ରହିଥିବା ବେଳେ ପାଦଚଲା ରାସ୍ତା , ରାସ୍ତା ଉଭୟ ପାଶ୍ୱର୍ରେ ଷ୍ଟିଲ ରେଲିଂ, ବସିବା ପାଇଁ ବେଞ୍ଚ ରହିଛି । ଏଥି ସହିତ ପାର୍କ ଭିତରେ ଏକ ଶୌଚାଳୟ ନିର୍ମାଣ କରାଯାଇଥିଲେ ମଧ୍ୟ ନିର୍ମାଣ ପରଠାରୁ ଏଥିରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି । ସେହିପରି ପାର୍କକୁ ଆକର୍ଷଣ କରାଇବା ନିମନ୍ତେ ଗୋଟାଏ ହେଲେ ଫୁଲଗଛ ଦେଖିବାକୁ ମିଳିନଥାଏ । ପାଦଚଲା ରାସ୍ତାରେ ବିଛାଯାଇଥିବା ଟାଇଲ ମଧ୍ୟ ନଷ୍ଟ ହେବାରେ ଲାଗିଛି । ପୌରପରିଷଦ ପକ୍ଷରୁ ବିଭିନ୍ନ ସମୟରେ ପାର୍କର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟ କରଣ ନାମରେ ଅର୍ଥ ଖର୍ଚ୍ଚ ହୋଇ ଆସୁଥିଲେ ମଧ୍ୟ ଏହା ଅସହାୟ ଅବସ୍ଥାରେ ରହିଛି । ପ୍ରତ୍ୟେକ ଦିନ ଶତାଧିକ ବ୍ୟକ୍ତି ମର୍ଣ୍ଣିଂ ୱାକ୍ ଓ ନିଜର ଅବସାଦ ମେଣ୍ଟାଇବା ପାଇଁ ଏହି ପାର୍କକୁ ଆସୁଥିବା ବେଳେ ପୌରପରିଷଦ ପକ୍ଷରୁ ସହରର ସର୍ବପୂରାତନ ଏହି ପାର୍କକୁ ଅଣଦେଖା ପ୍ରଦର୍ଶନ କରାଯାଉଥିବା ଫଳରେ ଜନଅସନ୍ତୋଷ ଦେଖା ଦେଇଛି ।

ଏହାକୁ ନେଇ ପୌର ନିର୍ବାହୀ ଅଧିକାରୀ ତଥା ବାରିପଦା ଉପଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ପାର୍କରେ ଲାଗିଥିବା ଷ୍ଟିଲ ରେଲିଂ କିପରି ଭାଙ୍ଗି ନଷ୍ଟ ହେଲା ସେ ସମ୍ପର୍କରେ ତଦନ୍ତ କରାଯିବ ବୋଲି କହିଛନ୍ତି। ଏତିସହିତ ଏହାର ତୁରନ୍ତ ମରାମତି ନିମନ୍ତେ ବ୍ୟବସ୍ଥା କରିବା ବ୍ୟବସ୍ଥା ହେବ। ପାର୍କ ପାଶ୍ୱର୍ରେ ରହିଥିବା ବଡ଼ ପୋଖରୀ ଓ ଚାପଲ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ । ସେହି ସମୟରେ ପାର୍କର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପୌରନିର୍ବାହୀ ଅଧିକାରୀ ଶ୍ରୀମତୀ ରେଡୀ ପ୍ରକାଶ କରିଛନ୍ତି । ସାଧାରଣତଃ ଲୋକମାନେ ପାର୍କକୁ ଅବସାଦ ମେଣ୍ଟାଇବା ସହିତ ମାନସିକ ଶାନ୍ତି ପାଇଁ ଆସିଥାଆନ୍ତି। ମାତ୍ର ଏହି ପାର୍କର ଏପରି ଅବସ୍ଥା କାରଣରୁ ଏଠାକୁ ଆସୁଥିବା ଲୋକଙ୍କୁ ନିରାଶ ହେବାକୁ ପଡ଼ୁଛିବୋଲି ଯୁବ ସାମ୍ବାଦିକ ଦୋଳଗୋବିନ୍ଦ ବାରିକ କ୍ଷୋଭ ପ୍ରକାଶ କରିଛନ୍ତି। ସେହିପରି ଏହି ପାର୍କକୁ ସରସ ସୁନ୍ଦର କରିବା ପାଇଁ ବହୁତ ବ୍ୟବସ୍ଥା ହୋଇଥିଲା। ତେବେ ବର୍ତ୍ତମାନ ପରିସ୍ଥିତିରେ ପାର୍କର ଅବସ୍ଥା ଭଲ ନାହିଁ। ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରି ଏହାର ପୁନରୁଦ୍ଧାର ନିମନ୍ତେ ଅନୁରୋଧ କରିବେ ବୋଲି ପୂର୍ବତନ ଉପନଗରପାଳ ଜିତେନ୍ଦ୍ର ମହାନ୍ତି ପ୍ରକାଶ କରିଛନ୍ତି।

ସେହିପରି ପୂର୍ବତନ ନଗରପାଳ ତଥା ଗାନ୍ଧୀବାଦୀ ନେତା ଦୀନକୃଷ୍ଣ ମହାନ୍ତି ପାର୍କଟିକୁ ମୟୂରଭଞ୍ଜ ମହାରାଜା ସମୟରେ ନିର୍ମାଣ କରାଯାଇଥିଲାବୋଲି ସୂଚନା ଦେଇଛଛନ୍ତି। ସେଠାରେ ବ୍ୟାଣ୍ଡଷ୍ଟାଣ୍ଡ ରହିଥିଲା । ରାଜତନ୍ତ୍ର ଶାସନ ବିଲୋପ ହେବାପରେ ଶିଶୁ ଉଦ୍ୟାନ କରାଯାଇଥିଲା ଓ ପରବର୍ତ୍ତି ସମୟରେ ଗାନ୍ଧୀପାର୍କ ହୋଇଥିଲା । ସହରର କେତେକ ମହିଳାମାନେ ମିଶି ଅର୍ଥ ସଂଗ୍ରହ କରି ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଇବା ପରେ ଗାନ୍ଧୀପାର୍କ ଭାବେ ନାମିତ ହୋଇଥିଲା ।

ଯେତେବେଳେ ସେ ନଗରପାଳ ରହିଥିଲେ ସେହି ସମୟରେ ପାର୍କର ଉନ୍ନତିକରଣ ଓ ନବୀକରଣ କାର୍ଯ୍ୟ ହାତକୁ ନେବା ସହ ପାର୍କର ଉଭୟ ପାଶ୍ୱର୍ରେ ଫାଟକ ନିର୍ମାଣ କରାଇ ପାର୍କ ଭିତରକୁ ଅବାଧ ପ୍ରବେଶକୁ ରୋକିବା ସହ ପାର୍କ ଖୋଲିବାର ସମୟ ନିର୍ଘଣ୍ଟ କରିଥିଲେ। ବର୍ତ୍ତମାନ ପାର୍କ ଭିତରେ ଅନୈତିକ କାର୍ଯ୍ୟ ହେଉଥିବା କହି ସେ ଦୁଃଖ ପ୍ରକାଶ କରିଛନ୍ତି। ପୌରପରିଷଦ ପକ୍ଷରୁ ପାର୍କର ନବୀକରଣ ନାମରେ କେବଳ ଅର୍ଥ ହରିଲୁଟ୍ ହେଉଥିବା ଅଭିଯୋଗ କରିଛନ୍ତି ସେ। ଐତିହାସିକ ସ୍ମୃତି ବହନ କରୁଥିବା ଏହି ପାର୍କର ସୌନ୍ଦର୍ଯୀକରଣ ଓ ରକ୍ଷଣାବେକ୍ଷଣ ଉପରେ ପୌରପ୍ରଶାସନ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ଦାବି ହୋଇଛି।

 

ସମ୍ବନ୍ଧିତ ଖବର