ଜୟପୁର: କୋରାପୁଟ ଜୟପୁର ପାର୍କ ସାହି ଗଳିରେ ଗୋବର୍ଦ୍ଧନମୁଣ୍ଡା ପାର୍ଶ୍ବରେ ଥିବା ଗାନ୍ଧୀ ଶିଶୁ ବିନୋଦନ ଉଦ୍ୟାନ ପରିସରରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିର ଅବସ୍ଥାକୁ ନେଇ ଏବେ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତୁରନ୍ତ ଏହି ପ୍ରତିମୂର୍ତ୍ତିକୁ ପରିବର୍ତ୍ତନ କରି ନୂଆ ପ୍ରତିମୂର୍ତ୍ତି ସ୍ଥାପନ କରି ଜାତିର ଜନକ ବାପୁଙ୍କ ପୂଜ୍ୟପୂଜା ବଜାୟ ରଖିବାକୁ ଦାବି ହୋଇଛି। ପୁନଃରୁଦ୍ଧାର ବର୍ଷକ ତଳେ କରାଯାଇଥିବା ବେଳେ ଏବେ ବହୁ ବର୍ଷ ତଳର ପାର୍କ ଭଳି ଦିଶୁଛି। ତେଣୁ ଏହି ଉଦ୍ୟାନର ସଂପୁର୍ଣ୍ଣ ରକ୍ଷଣାବେକ୍ଷଣ ଓ ଦେଖାରଖା କରି ଯତ୍ନ କରିବାକୁ ଉତ୍ତରଦାୟିତ୍ବ ସଂପନ୍ନ ସଂସ୍ଥା, ମହିଳାସ୍ବୟଂ ସହାୟକ ଦଳକୁ ହସ୍ତାନ୍ତର କରିବାକୁ ଉଠିଛି ଦାବି।

Advertisment

ସୂଚନା ଅନୁଯାୟୀ, ୨୦୦୦ମସିହାରେ ଏହି ପାର୍କର ନିର୍ମାଣ ପୌରପାଳିକା କରି ବାପୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ। ଦୀର୍ଘ ୨୨ବର୍ଷ ପରେ ଗତ ବର୍ଷ ଲକ୍ଷାଧିକ ଟଙ୍କା ବ୍ୟୟ କରି ଏହାର ପୁନଃରୁଦ୍ଧାର ପୌରପାଳିକା ପକ୍ଷରୁ କରାଯାଇଥିଲା। ଏହାର ସୌନ୍ଦର୍ଯ୍ୟକରଣକୁ ଗୁରୁତ୍ବ ଦେବା ସହ ଏହା ପରିସରରେ ଓପନ୍ ଜିମ୍ ପାଇଁ ସବୁ ସାମଗ୍ରୀ ଲଗାଯାଇଥିଲା। ଏହା ପରିସରରେ ପାଦରେ ଚାଲି ବୁଲିବା ପାଇଁ ପାଦଚଲା ରାସ୍ତା ବି କରାଯାଇଛି। ଦୀର୍ଘ ୨୨ବର୍ଷ ତଳେ ସ୍ଥାପନ କରାଯାଇଥିବା ବାପୁଙ୍କ ପ୍ରତିମୂର୍ତ୍ତିକୁ କିନ୍ତୁ ବଦଳା ଯାଇନଥିଲା। ବର୍ଷକରେ ଥରେ ରଂଗ ଦେବା ସହ ୪ଥର ମୂର୍ତ୍ତିକୁ ସଫାସୁତୁରା କରାଯାଉଛି। ମହାପୁରୁଷଙ୍କ ପୂଜ୍ୟପୂଜା କଥା କେବଳ ବର୍ଷକର କିଛି ଦିନ ମନେ ପକାଉଥିବା ବେଳେ ବଳକା ଦିନ କେହି ଏ ସଂପର୍କରେ ଚିନ୍ତା ବି କରୁନାହାନ୍ତି। ୨୦ବର୍ଷ ହେବ ପ୍ରତିମୂର୍ତ୍ତିର ରକ୍ଷଣାବେକ୍ଷଣ ନ କରିବା ଫଳରେ ଏହା ଭାଙ୍ଗି ରୁଜି ଯିବା ସହ ପ୍ରତିମୂର୍ତ୍ତିର ରୁପରେଖରେ ସମ୍ପୂର୍ଣ୍ଣ ଅଲଗା ଲାଗୁଛି। ତାଙ୍କ ଚଷମା ଗାଏବ ହୋଇଯିବା ସହ ନାକ ଭାଙ୍ଗି ଯିବା ସହ ପ୍ରତିମୂର୍ତ୍ତିରେ କଳା ରଂଗ ଲଗାଇବା ପରେ ଅଲଗା ଦେଖାଯାଉଛି।

ଏହା ପରିସରରେ ବର୍ଷକ ତଳେ ପକା ଯାଇଥିବା ସବୁ ପେଭରଗୁଡିକ ବି ବାହାରି ପଡ଼ିଲାଣି। ଘାସ ଓ ଲତାବୁଦା ଉଠିଯିବା ସହ ନଡ଼ିଆ ଗଛର ଡାଳ ଏଣେତେଣେ ପଡ଼ିଛି। ଉପଯୁକ୍ତ ଦେଖାରଖା ଓ ରକ୍ଷଣାବେକ୍ଷଣ ଅଭାବରୁ ସାଧାରଣ ଲୋକେ ଯେଉଁ ମାତ୍ରାରେ ବ୍ୟବହାର କରିବା କଥା କରୁ ନଥିବା ବେଳେ ଅସାମାଜିକ, ନିଶା ସେବନକାରୀଙ୍କ ଆଡ୍ଡାସ୍ଥଳୀ ପାଲଟି ଯାଇଛି । ତୁରନ୍ତ ପ୍ରତିମୂର୍ତ୍ତିକୁ ବଦଳାଇବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି। ଦାୟିତ୍ବ ସଂପନ୍ନ ଅନୁଷ୍ଠାନ କିମ୍ବା ମହିଳାସ୍ବୟଂ ସହାୟକ ଦଳକୁ ହସ୍ତାନ୍ତର କରିବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ବର୍ଷକ ତଳେ ଏହାର ସଂପୁର୍ଣ୍ଣ ପୁନଃରୁଦ୍ଧାର କରାଯାଇଥିଲା ବୋଲି କହିଛନ୍ତି ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ। ନୂଆ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଯୋଜନା ରହିଛି। ଆସନ୍ତା ଗାନ୍ଧୀ ଜୟନ୍ତୀ ସମୟରେ ନୂଆ ପ୍ରତିମୂର୍ତ୍ତି ସ୍ଥାପନ କରି ଲୋକାର୍ପଣ କରାଯିବ ବୋଲି ନିର୍ବାହୀ ଅଧିକାରୀ କହିଛନ୍ତି।