କରୋନା ପରେ ଦାଉ ସାଧୁଛି ବର୍ଷା, ବିକ୍ରି ହୋଇପାରୁନି ମୂର୍ତ୍ତି, ଫିକା ପଡିବ ପୂଜା

ଜୟପୁର(ଜ୍ଞାନଚାନ୍ଦ ଜଗନ୍ନାଥ): ଦୁଇ ଦିନ ପରେ ଆସୁଛି ଗଣେଶ ପୂଜା। କରୋନା କଟକଣା ଯୋଗୁଁ ଟେଣ୍ଟ ଲଗାଇ ହେଉନାହିଁ, କି ବଡ ବଡ ମୂର୍ତ୍ତି ନିର୍ମାଣ କରିହେଉନାହିଁ। ରିତୀନିତୀରେ ପୂଜାର୍ଚ୍ଚନା ପାଇଁ ପ୍ରସ୍ତୁତ ହେଉଛନ୍ତି ବିଭିନ୍ନ କମିଟି। ଯାହା ଫଳରେ କରୋନା ପାଇଁ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ଫିକା ପଡିଛି। ଚଳିତବର୍ଷ ମୂର୍ତ୍ତି ତିଆରି ପାଇଁ ବରାଦ ପୂର୍ବଭଳି ମିଳିପାରି ନଥିବା ବେଳେ ତିଆରି କରିଥିବା ମୂର୍ତ୍ତି ମଧ୍ୟ ବିକ୍ରି ହୋଇପାରୁ ନାହିଁ। ଏଭଳି ସ୍ଥିତିରେ ମୂଳ ଟଙ୍କା ମିଳିବ କି ନାହିଁ ସେ ନେଇ ଚିନ୍ତାରେ ପଡିଛନ୍ତି ମୂର୍ତ୍ତି କାରିଗର। ଏଥିସହ କରୋନା ପରେ ଲଘୁଚାପ ବର୍ଷା ସେମାନଙ୍କ ଉପରେ ଦାଉ ସାଧୁଥିବା କାରିଗରମାନେ ପ୍ରକାଶ କରିଛନ୍ତି। ଜୟପୁର ସହରର ବିଭିନ୍ନ ସ୍ଥାନରେ ଗଜାନନଙ୍କ ପୂଜା ହୋଇଥାଏ। ସହର ଠାରୁ ଆରମ୍ଭ କରି ପୁରପଲ୍ଲୀ ପର୍ଯ୍ୟନ୍ତ ସବୁଠି ପାଳନ କରାଯାଏ। ବିଭିନ୍ନ ସାହିରେ ଯୁବକମାନେ ବଢ଼ ମେଢ଼ ତିଆରି କରିଥାନ୍ତି। ଏଥିସହ ଘରେ ଘରେ ପୂଜା ହେବା ସହ ବିଦ୍ୟାଳୟ, କୋଚିଂ ସେଣ୍ଟର ଓ ଶିକ୍ଷାନୁଷ୍ଠାନରେ ମଧ୍ୟ ପୂଜା ହୋଇଥାଏ।

କିନ୍ତୁ କରୋନା କଟକଣା ପାଇଁ ଶିକ୍ଷାନୁଷ୍ଠାନ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଖୋଲି ପାରିନାହିଁ। ପ୍ରତିବର୍ଷ କାରିଗରମାନେ ବରାଦ ଅନୁସାରେ ବଡ ମୂର୍ତ୍ତି ତିଆରି କରିବା ସହ ବିକ୍ରି ପାଇଁ ଛୋଟ ଛୋଟ ମୂର୍ତ୍ତି ମଧ୍ୟ ତିଆରି କରିଥାନ୍ତି। ମୂର୍ତ୍ତି ତିଆରି ପାଇଁ ମାଟି, ନଡା, ବାଲି, ସୁତିଲି, ବାଉଁଶ, କାଠ ଓ ରଙ୍ଗ ଭଳି କଞ୍ଚାମାଲ୍ ଆବଶ୍ୟକତା ହେଉଥିବାବେଳେ ଏହି କଟକଣାରେ ସମସ୍ତ ସାମଗ୍ରୀ କମ୍ ଦରରେ ପାଇବା କଷ୍ଟକର ହୋଇପଡୁଛି। ଏହା ଭିତରେ ବି କାରିଗରମାନେ ନିଜର କୌଶଳ ଦେଖାଇବାରେ ଲାଗିଛନ୍ତି। ମୂର୍ତ୍ତି କାରିଗର ବାବୁଲା ସାହୁଙ୍କ କହିବାନୁଯାୟୀ, ଗଣେଶ ପୂଜା ଆସିଲେ ବିଶ୍ରାମ କରିବାକୁ ମଧ୍ୟ ସମୟ ମିଳିନଥାଏ। ରାତି ଦିନ ଏକ କରି ଶହେରୁ ଅଧିକା ମାଟି ମୂର୍ତ୍ତି ବନାଇଥାଏ। ନଡା ବାନ୍ଧିବାଠାରୁ ଆରମ୍ଭ କରି ରଙ୍ଗ ଦେବା ପର୍ଯ୍ୟନ୍ତ ମୁଣ୍ଡରେ ଚିନ୍ତା ରହିଥାଏ, ମୂର୍ତ୍ତି କାମ କେମିତି ସରିବ। ବହୁ ସ୍ଥାନରେ ଗଣେଶ ପୂଜା ହେଉଥିବାରୁ ବହୁ ମୂର୍ତ୍ତିର ବରାଦ ମଧ୍ୟ ପୂର୍ବରୁ ମିଳିଯାଏ ଓ ଭଲ ରୋଜଗାର ହୋଇଥାଏ।

କିନ୍ତୁ କରୋନା ମହାମାରୀ ପାଇଁ ବ୍ୟବସାୟ ହୋଇପାରୁ ନାହିଁ। କେବେ ଏହି ମହାମାରୀ ଯିବ ଆଉ କିଛିଟା ‌ରୋଜଗାର କରିବୁ ବୋଲି କହିଛନ୍ତି। ମୂର୍ତ୍ତି ତିଆରି ପାଇଁ ଆବଶ୍ୟକ କଞ୍ଚାମାଲ୍ ଦର ବହୁତ ବଢ଼ି ଯାଇଛି, କିନ୍ତୁ ସେହି ହିସାବରେ ମୂର୍ତ୍ତିର ଦର ବୃଦ୍ଧି କରି ହେଉନାହିଁ। ଚଳିତବର୍ଷ ମୟୂର ଗ‌ଣେଶ, ଡ୍ରାଗନ ଗଣେଶ, ପତ୍ର ଗଣେଶ, ବାଛୁରୀ ସହ ଗଣେଶ ଓ ରାଜାଧୀଷ ଗଣେଷ ମୂର୍ତ୍ତି ନିର୍ମାଣ କରିଛନ୍ତି। ଏଥିସହ କରୋନା ଭୂତାଣୁ ଉପରେ ମୂଷକ ବସିଥିବା ବେଳେ ଗଣେଷ ଭ୍ୟାକ୍ସିନ୍ ଇଞ୍ଜେକ୍ସନ୍ ଧରିଥିବା ମୂର୍ତ୍ତି ନୂଆ କରି ତିଆରି କରାଯାଇଛି। ମୂର୍ତ୍ତି ବେପାରୀ ହରି ବେହେରାଙ୍କ କହିବାନୁଯାୟୀ, ସବୁ ବର୍ଷ ଭଳି ଆନ୍ଧ୍ରପ୍ରଦେଶ ଯାଇ ଗଣେଶ ମୂର୍ତ୍ତି ଆଣିଛି। ୫୦ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କାର ମୂର୍ତ୍ତି ରହିଛି। ପିଲମାନେ କିମ୍ବା ଶିକ୍ଷାନୁଷ୍ଠାରେ ଛୋଟ ମୂର୍ତ୍ତିର ଚାହିଦା ରହୁଥିଲା। ପୂଜା ଆଉ ଦୁଇ ଦିନ ରହିଥିବା ବେଳେ ବର୍ଷା ଯୋଗୁଁ ମୂର୍ତ୍ତି ବିକ୍ରି ହୋଇପାରୁ ନାହିଁ। ମୂର୍ତ୍ତି ସରିବ କି ନାହିଁ ବୋଲି ଚିନ୍ତାରେ ପଡିଛନ୍ତି।

ସମ୍ବନ୍ଧିତ ଖବର