ଝାରସୁଗୁଡ଼ା(ପ୍ରଶାନ୍ତ କୁମାର ମିଶ୍ର): ‘ଗଣପତି ବାପା ମୋରିୟା, ଅଗଲେ ବରଷ ତୁ ଜଲଦି ଆନା’ । ଗତ ବର୍ଷ ଗଣେଷ ବିସର୍ଜନ ବେଳେ ମାଇକ୍ରେ ଏହି ଭଜନଟି ବାରମ୍ବାର ଲୋକଙ୍କୁ ଉଦ୍ବେଳିତ କରି ପକାଉଥିଲା। ହଜାର ହଜାର ଲୋକ ଗହଳି ଭିତରେ ଗଣେଶଙ୍କ ବଡ଼ ବଡ଼ ମେଢ଼ ବିସର୍ଜିତ ହେବା ପାଇଁ ରାଜରାସ୍ତାରେ ଗଡ଼ି ଯାଉଥିବା ବେଳେ ଅନେକ ପ୍ରକାର ସାଂସ୍କୃତିକ ଶୋଭାଯାତ୍ରାରେ ସହର ଏକ ରକମ ରଙ୍ଗିନ ହୋଇ ଯାଉଥିଲା। ସମସ୍ତେ ୨୦୨୦ ଗଣେଶ ପୂଜାକୁ ଅପେକ୍ଷା କରି ରହିଥିଲେ। ଝାରସୁଗୁଡ଼ା ସହର ଏକ ବ୍ୟବସାୟ ପେଣ୍ଠ ହୋଇଥିବା ବେଳେ ଏଠାରେ ଗଣେଶ ପୂଜା ଅତି ଚମତ୍କାର ଢ଼ଙ୍ଗରେ ହୋଇଥାଏ। ପ୍ରତିବର୍ଷ ଏଠାରେ ନୂଆଁ ରୂପରେ ଓ ନୂଆଁ ଢ଼ଙ୍ଗରେ ଗଣେଶ ପୂଜା ପାଳିତ ହୋଇଥାଏ। ଏଥିପାଇଁ ପୂଜା କମିଟି ମାନଙ୍କ ମଧ୍ୟରେ ବର୍ଷ ବର୍ଷ ଧରି ପ୍ରତିଯୋଗିତା ହୋଇଥାଏ। ଆସନ୍ତା ବର୍ଷ କେମିତି ନୂଆଁ ଢ଼ଙ୍ଗରେ ପୂଜା ହେବ ସେନେଇ ପ୍ରସ୍ତୁତିରେ ବର୍ଷସାରା ବିତି ଯାଇଥାଏ। ମାତ୍ର ଚଳିତ ବର୍ଷ କରୋନା ମହାମାରୀ ଏହି ଗଜାନନଙ୍କ ଆସିବା ବାଟକୁ ବନ୍ଦ କରି ଦେଇଛି। ସାର୍ବଜନିନ ପୂଜା ଉପରେ ନିଷେଧାଦେଶ ଲାଗି ଯିବାପରେ ସହରରେ ଗଣେଶ ପୂଜା ବନ୍ଦ ହୋଇଯାଇଛି। ଏବର୍ଷ କରୋନା ଯୋଗୁଁ ପୂର୍ବ ପ୍ରସ୍ତୁତି ମଧ୍ୟ ହୋଇନଥିଲା। ଝାରସୁଗୁଡ଼ାରେ ଗୋଟିଏ ଗୋଟିଏ ଗଣେଶ ପେଣ୍ଡାଲରେ ୨୫ ରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ।
ଝାରସୁଗୁଡ଼ାରେ ଗଣେଶ ପୂଜା ଅତି ପ୍ରାଚୀନ
ଗଣେଶ ପୂଜାକୁ ଝାରସୁଗୁଡ଼ବାସୀ ଅଗ୍ରାଧିକାର ଦେଇଥାନ୍ତି। ପାର୍ବଣ ଋତୁର ଆଦ୍ୟ ପୂଜା ହେଉଛି ବିଘ୍ନନାଶକ ଶ୍ରୀ ଗଣେଶ। ଝାରସୁଗୁଡ଼ା ଠାରେ ଗଣେଶ ପୂଜା ପରମ୍ପରା ଅତି ପ୍ରାଚୀନ। ମହାରାଷ୍ଟ୍ରରେ ବାଲ ଗଙ୍ଗାଧର ତିଲକ ଯେତେ ବେଳେ ଗଣେଶ ପୂଜା ଆରମ୍ଭ କରିଥିଲେ ତେବେ ବେଳରୁ ଗଣେଶ ପୂଜା ଝାରସୁଗୁଡ଼ାରେ ଆରମ୍ଭ ହୋଇଥିବା କୁହାଯାଏ। ଶ୍ରୀ ହିନ୍ଦି ବାଲ ମଣ୍ଡଲ ଦ୍ବାରା ଏଠାରେ ପ୍ରଥମେ ପୂଜା ଆରମ୍ଭ ହୋଇଥିଲା। ଏବେ ଟିବରିୱାଲ ଧର୍ମଶାଳା ଠାରେ ଏହି କମିଟି ଗଣେଶ ପୂଜା କରୁଛି। ଏହା ପରେ ପରେ ସହରର ଅନେକ ସ୍ଥାନରେ ଗଣେଶ ମେଢ଼ ପୂଜା ପାଇ ଆସୁଛି।
ଭିକୁ ତିୱାରୀ, ବରିଷ୍ଠ ସାମ୍ବାଦିକ
ଭାବ ଓ ଭକ୍ତି ପାଇଁ ସୁନ୍ଦର ହୃଦୟଟିଏ ଦରକାର
କରୋନା ପାଇଁ ଆଜି ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ ତଥା ଲୋକଙ୍କ ବିଶ୍ୱାସ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦିଓ ଅନେକ ବାଧା ବିଘ୍ନ ତଥା କୋର୍ଟ କଚେରି ପରେ ଜଗନ୍ନାଥଙ୍କ ରଥ ଗଡିଲା କିନ୍ତୁ କରୋନା ପାଇଁ ଆଜି ଅଗ୍ରପୂଜ୍ୟ ଗଣେଶଙ୍କ ସାମୁହିକ ଆବାହନ ହେବନାହିଁ। ସ୍କୁଲ୍, କଲେଜ୍, କ୍ଲବ ତଥା ସାମୁହିକ ସ୍ଥାନରେ ଆଉ ପୂର୍ବବର୍ଷ ପରି ଉଦ୍ଦୀପନା ରହିବ ନାହିଁ। ମୃଣ୍ୟୟ ଶିଳ୍ପୀ ଆଉ ମୂର୍ତ୍ତୀ ଗଢି ଦୁଇ ପଇସା ରୋଜଗାର କରିବ ନାହିଁ କିମ୍ବା ଡିଜେ ବାଲା ଦୁଇ ପଇସା ପାଇବ ନାହିଁ। କଥା ହେଲା ଅନେକ ଦିନର ପରମ୍ପରାକୁ ମଧ୍ୟ ଛାଡ଼ିବାକୁ ପଡ଼ିଲା କରୋନା ଯୋଗୁଁ। ତେବେ ମୂଲ୍ୟବାନ ମଣିଷ ଜୀବନ ପାଇଁ ଆମକୁ କିଛି ତ୍ୟାଗ କରିବାକୁ ହେବ। ହୃଦୟ ଭିତରୁ ମଧ୍ୟ ଭଗବାନଙ୍କୁ ଡକା ଯାଇପାରେ। କେବଳ ମନ୍ଦିର ଭିତରେ କିମ୍ବା ଚକଚକ୍ୟ ସୁସଜ୍ଜିତ ମଣ୍ଡପ ଭିତରେ ଭଗବାନ ଥିବେ ସେପରି ନୁହେଁ। ଭାବ, ଭକ୍ତି ପାଇଁ ସୁନ୍ଦର୍ ହୃଦୟ ଟିଏ ଯଥେଷ୍ଟ।
ଅଧ୍ୟାପକ ତପନ ବାରିକ , ଏଲ୍.ଏନ୍.କଲେଜ, ଝାରସୁଗୁଡ଼ା
ବହୁ ଲୋକ ରୋଜଗାର ହରେଇଲେ
କରୋନା ମହାମାରୀ ଯୋଗୁଁ ଗଣେଶ ପୂଜା ବନ୍ଦ କରିବା ପାଇଁ ସରକାର ଦେଇଥିବା ନିର୍ଦ୍ଦେଶ ସ୍ବାଗତ ଯୋଗ୍ୟ ଅଟେ। ପୂଜାରେ ଯେଭଳି ଜନଗହଳି ହୁଏ ମହାମାରୀ ସମୟରେ ଏହି ଗହଳିକୁ ନିୟନ୍ତ୍ରଣ ଆଦୌ ସମ୍ଭବ ନୁହେଁ। ଶିଶୁ ମାନଙ୍କୁ ସଂସ୍କୃତି ସହିତ ଯୋଡ଼ି ରଖିବା ପାଇଁ ଗଣେଶ ପୂଜା ଏକ ମାଧ୍ୟମ ଅଟେ। ଝାରସୁଗୁଡ଼ାରେ ଗଣେଶ ପୂଜା ଉତ୍ସବ ଅତି ଉଚ୍ଚ କୋଟିର ହୋଇଥାଏ। ଏହି ପୂଜା ଅନେକ ଲୋକଙ୍କୁ ଏକ ରୋଜଗାର ମଧ୍ୟ ଦେଇଥାଏ। ପେଣ୍ଡାଲ ନିର୍ମାଣ ଠାରୁ ବିସର୍ଜନ ପର୍ଯ୍ୟନ୍ତ ଏଥିରେ ଖର୍ଚ୍ଚ ହେଉଥିବା ଲକ୍ଷ ଲକ୍ଷ ଟଙ୍କା ଲୋକଙ୍କ ପାଖକୁ ଯାଇଥାଏ। ପୂଜା ବନ୍ଦ ଯୋଗୁଁ ମୂର୍ତ୍ତି କାରିଗର ମାନେ ବିଶେଷ କ୍ଷତିଗ୍ରସ୍ତ ହେଲେ। ଏହି କାରିଗର ମାନେ ଗଣେଶ ପୂଜା ଠାରୁ କାର୍ତ୍ତିକ ମାସ ପର୍ଯ୍ୟନ୍ତ ବିଭିନ୍ନ ପାର୍ବଣ ଋତୁରେ ମୂର୍ତ୍ତି ତିଆରି କରି ବର୍ଷର ସିଂହଭାଗ ଚଳିଥାନ୍ତି। ଏବେ ଏମାନେ ରୋଜଗାର ହରାଇଲେ। ସେଭଳି ଟେଣ୍ଟ ହାଉସ୍, ସାଂସ୍କୃତିକ ଦଳ, ବାଦ୍ୟକାର, ଇଲେକଟ୍ରିସିଆନ, କାର୍ପେଣ୍ଟର, ଡିଜାଇନର, ବିଭିନ୍ନ ପ୍ରକାର ବ୍ୟଞ୍ଜନ ତିଆରି କରୁଥିବା ରୋଷେଇଆ ସମେସ୍ତ ଏଥି ଯୋଗୁଁ ପ୍ରଭାବିତ ହୋଇଛନ୍ତି। ଏହି ପୂଜାରେ ପରିଶ୍ରମ କରି କିଛି ଅର୍ଥ ରୋଜଗାର କରୁଥିବା ମଜୁରିଆ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି।
ଅଜୟ ପୋଦ୍ଦାର, ଫ୍ରେଣ୍ଡସ୍ କ୍ଲବ ପୂଜା କମିଟି
ଅନ୍ୟ ପୂଜା ଉପରେ ମଧ୍ୟ ସ୍ପଷ୍ଟ କରାଯାଉ
କରୋନା ମହାମାରୀ ବେଳେ ସରକାରଙ୍କ ନିଷ୍ପତ୍ତିକୁ ମାନିବାକୁ ପଡ଼ିବ। ଗଣେଶ ପୂଜା ଠାରୁ ପାର୍ବଣ ଋତୁର ଆରମ୍ଭ ହୋଇଥାଏ। କାର୍ତ୍ତିକ ମାସ ପର୍ଯ୍ୟନ୍ତ ବିଭିନ୍ନ ଦେବାଦେବୀଙ୍କ ପୂଜା ହୋଇଥାଏ। ଝାରସୁଗୁଡ଼ାରେ ଗଣେଶ ପୂଜା ଭଳି ଶାରଦୀୟ ଦୁର୍ଗାପୂଜା ମଧ୍ୟ ଧୁମ୍ଧାମ୍ରେ ପାଳିତ ହୁଏ। ତେବେ ଦୁର୍ଗାପୂଜା ପାଇଁ ପୂର୍ବ ପ୍ରସ୍ତୁତି ନିହାତି ଆବଶ୍ୟକ ହୋଇଥିବା ଦୃଷ୍ଟିରୁ ଚଳିତ ବର୍ଷ ଦୁର୍ଗାପୂଜା ନେଇ ମଧ୍ୟ ସରକାର ଆଗୁଆ ସ୍ପଷ୍ଟ କରିବା ନିହାତି ଆବଶ୍ୟକ।
ରାଜୁ ପାଣିଗ୍ରାହୀ, ସଭାପତି , ଓମ୍ ଶ୍ରୀ ଦୁର୍ଗାପୂଜା କମିଟି, ସରବାହାଲ
ଭକ୍ତି ଭାବନା ମଧ୍ୟ ଭୁଲୁଣ୍ଠିତ
କରୋନା ମହାମାରୀ ସବୁ କ୍ଷେତ୍ରକୁ ଉଜାଡ଼ି ଦେଇଥିବା ବେଳେ ମଉଜ ମଜଲିସ୍ ଛଡ଼ାଇ ନେଇଛି। ସାରା ବିଶ୍ବ ଏଥିପାଇଁ ଚିନ୍ତିତ ହୋଇ ପଡ଼ିଛି। କରୋନା ମୁକାବିଲା ପାଇଁ ସମସ୍ତେ ଚେଷ୍ଟିତ । ଏଭଳି ଘଡ଼ିସନ୍ଧି ସମୟରେ ପାର୍ବଣ ଋତୁ ଆସି ଆମ ପାଖରେ ପହଞ୍ଚି ଯାଇଛି। ମାତ୍ର ମନରେ ସୁଖ ନାର୍ହି। ଚଳିତ ବର୍ଷ ଆଗ୍ରପୂଜ୍ୟ ଗଜାନନଙ୍କୁ ସାର୍ବଜନୀନ ସ୍ଥଳରେ ଦେଖିବାକୁ ମିଳିବ ନହିଁ। ଆଗକୁ ଅନ୍ୟ ପୂଜା ମଧ୍ୟ ହେବକି ନାହିଁ ଜଣାନାହିଁ। ମନ ଦୁଃଖ ହେଲେବି ମହାମାରୀରୁ ରକ୍ଷା ପାଇବା ପାଇଁ ସରକାରୀ କଟକଣା ମାନିବାକୁ ପଡ଼ିବ ।
ସ୍ବାତୀପ୍ରଜ୍ଞା ରଥ, ଛାତ୍ରୀ ,ଝାରସୁଗୁଡ଼ା