ଖୋର୍ଦ୍ଧା: ଗତକାଲି ରାଜ୍ୟ ମନ୍ତ୍ରୀସ୍ତରୀୟ କମିଟି ସହ ଆଲୋଚନା ପରେ ପ୍ରାଥମିକ ଶିକ୍ଷକଙ୍କ ଏକ ଗୋଷ୍ଠୀ ଆନ୍ଦୋଳନରୁ ଓହରି ଯାଇଛନ୍ତି। ତେବେ ନୂତନ ପେନ୍ସନଭୁକ୍ତ ପ୍ରାଥମିକ ଶିକ୍ଷକମାନେ ନିଜର ଆନ୍ଦୋଳନ ଜାରି ରଖିଛନ୍ତି। ଆଜି ମଙ୍ଗଳବାର ଖୋର୍ଦ୍ଧା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଧାରଣାରେ ଆନ୍ଦୋଳନରତ ଶିକ୍ଷକଶିକ୍ଷୟିତ୍ରୀ ମାନେ ଶ୍ରୀଗଣେଶଙ୍କ ପୂଜା କରିଛନ୍ତି। ଆଜି ମଙ୍ଗଳବାର ମିଳିତ ଶିକ୍ଷକସଂଘ ପିଷ୍ଟାର ରାଜ୍ୟ ଉପସଭାପତି ଅଗାଧୁ ସେଠୀ, ସଂଗଠନର ଖୋର୍ଦ୍ଧା ବ୍ଲକ ସଭାପତି ସ୍ବପ୍ନେଶ୍ବର ପ୍ରଧାନ, ସମ୍ପାଦକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ନେତୃତ୍ବରେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକଶିକ୍ଷୟିତ୍ରୀ ମାନେ ଧାରଣା ଦେଇଥିଲେ। ଧାରଣାସ୍ଥଳରେ ରୀତିନୀତି ଅନୁସାରେ ଶ୍ରୀଗଣେଶଙ୍କ ପୂଜା କରିବା ସହ ସେମାନଙ୍କ ତିନିଦଫା ଦାବି ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନକୁ ଚଳାଇରଖିବେ ବୋଲି ନିଷ୍ପତ୍ତି ନେଇଛନ୍ତି।
ଅପରପକ୍ଷରେ, ଗତକାଲି ସୋମବାର ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଏୟୁପିଟିଏଫ୍ ସଂଘ ଆନ୍ଦୋଳନରୁ ଓହରି ଆସିଥିଲା। ଆଜି ଏହାର ପ୍ରତିବାଦରେ ଖୋର୍ଦ୍ଧା ବ୍ଲକ ସଂଘର ସଭାପତି ଯୁଧିଷ୍ଠିର ସାହୁ ଓ କର୍ମକର୍ତା ମାନେ ଧାରଣାସ୍ଥଳରେ ପହଞ୍ଚି ସଂଗଠନରୁ ସମୂହ ଇସ୍ତଫା ଦେବା ସହ ସଂଗଠନକୁ ଖୋର୍ଦ୍ଧା ବ୍ଲକରେ ବିଲୋପ କରିବାକୁ ଘୋଷଣା କରିଥିଲେ ବୋଲି ମିଳିତ ଶିକ୍ଷକ ସଂଘର କାର୍ଯ୍ୟକାରୀ ସଭାପତି ଓ ଏକ୍ସ କ୍ୟାଡର ସଂଘର ସଭାପତି ପ୍ରସନ୍ନ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ଏହି ବିଲୋପ ଓ ଇସ୍ତଫା ସମ୍ପର୍କରେ ଯୁଧିଷ୍ଠିର ସାହୁଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ଫୋନ୍ ଦିନତମାମ ବନ୍ଦ ରହିଥିବାରୁ ପ୍ରତିକ୍ରିୟା ମିଳିପାରି ନାହିଁ। ଆଜିର ଏହି ଧାରଣା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସରୋଜ କୁମାର ସାହୁ, ବିକାଶ ମୁଦୁଲି, ସୁଶାନ୍ତ ସାହୁ, ରବିନାରାୟଣ ପଣ୍ଡା, କଳ୍ପନା ରାଉତ, ଝୁନା କୁମାର ରାଉତରାୟ ପ୍ରମୁଖଙ୍କ ସହ ଶତାଧିକ ଶିକ୍ଷକଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/Khordha-Dharana-Sthalare-sriganesh-puja-palile-Sikhyak-1.jpeg)