ଜୟପୁର: ମଙ୍ଗଳବାର ବିଘ୍ନ ବିନାଶକ ପ୍ରଭୁ ଗଣେଶଙ୍କ ପୂଜା। ଅଗ୍ରପୂଜ୍ୟଙ୍କୁ ପୂଜାକୁ ନେଇ ଉତ୍ସବ ମୁଖର ଗାଁଠୁ ସହର। ପୂଜା ମଣ୍ଡପରେ ବିରାଜମାନ କରିଛନ୍ତି ଗଜାନନ। ପୂଜା ପାଇଁ ସୁସଜ୍ଜିତ ହୋଇଛି ବିଦ୍ୟାଳୟ ଓ ପୂଜା ମଣ୍ଡପ। ଦୁଇବର୍ଷ ପରେ ମହାଆଡମ୍ବରରେ ପାଳନ ହେଉଛି ଗଣେଶ ପୂଜା। ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ଘରେ, ଯୁବ ସଂଗଠନ ଓ ବିଭିନ୍ନ କ୍ଲବ ଗୁଡ଼ିକ ଗଣେଶ ପୂଜା ପାଇଁ ଉତ୍ସବମୁଖର ହୋଇ ପଡ଼ିଛି। ତେଣୁ ଚଳିତଥର ଚାରିଆଡେ ଏବେ ମନ୍ତ୍ରଧ୍ବନି ଗୁଞ୍ଜରିତ ହେଉଛି। ସିଦ୍ଧି ଓ ବୁଦ୍ଧିର ଦେବତାଙ୍କ ଆବାହନ ପାଇଁ ଗାଁରୁ ସହର ହୋଇ ପଡ଼ିଛି ଚଳଚଞ୍ଚଳ। ପ୍ରତିଟି ଗଳିକନ୍ଦିରେ ରଙ୍ଗୀନ ଆଲୋକ ମାଳାରେ ସୁସଜ୍ଜିତ ତୋରଣ ମଧ୍ୟରେ ବସାଯାଇଛି ଗଜାନନଙ୍କୁ।
ଅରବିନ୍ଦନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଶାରଦାବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ସରକାରୀ ଉଚ୍ଚବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ, ସେଣ୍ଟ ଜାଭିୟାର ହାଇସ୍କୁଲ, ମଡର୍ଣ୍ଣ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ, ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ର, ସହ ସରକାରୀ ବିଦ୍ୟାଳୟ, ବିଭିନ୍ନ କୋଚିଂ, ଟ୍ୟୁଟରିଆଲ, ଛାତ୍ରଛାତ୍ରୀ ଧୂପ ଦୀପ ନୈବଦ୍ୟ ଦେଇ ଗଜାନନଙ୍କ ଆବାହନ କରିବା ସଙ୍ଗେ ସଙ୍ଗେ ସମସ୍ତ ଉପଚାର ସହ ଆରାଧନା କରିଛନ୍ତି।
ଏହି ନିଆରା ଅର୍ଚ୍ଚନା କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏକାଠି ହୋଇ ଏକ ସାଙ୍ଗରେ ବିଘ୍ନ ବିନାଶକଙ୍କ ପୂଜା କରିଛନ୍ତି। ସମସ୍ତେ ବିଦ୍ୟାଦାତା ନିକଟରେ ସମସ୍ତଙ୍କର ମଙ୍ଗଳ କରିବା ସହ ଆମକୁ ବିଦ୍ୟା ପ୍ରଦାନ କରନ୍ତୁ ବୋଲି ଆଶୀର୍ବାଦ କାମନା କରିଛନ୍ତି। ତେବେ ସହରର ଅଧିକାଂଶ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଗଣେଶ ପୂଜା ପାଳନ ହୋଇ ନଥିବାରୁ ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି। ଜିଲ୍ଲା ଦୌରାଜଜ୍ କୋର୍ଟ ନୂଆ କୋଠାରେ ଜୟପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଗଜାନନଙ୍କ ପ୍ରତିମୂର୍ତ୍ତିକୁ ନେଇ ପୂଜାଅର୍ଚ୍ଚନା କରାଯାଇଛି। ସହରର ବିଭିନ୍ନ ଛକ ଓଗଳିରେ ଶତାଧିକ ପୂଜା ହେଉଥିବା ଦେଖିବାକୁ ମିଳିଛି।